ହାଇଦ୍ରାବାଦ: ଆପଣଙ୍କ ସକାଳର କପ ପାଇଁ ଖୁସି ଖବର । ପଶ୍ଚିମବଙ୍ଗରୁ ବିଶେଷକରି ଦାର୍ଜିଲିଂ ଅଞ୍ଚଳରୁ ଉତ୍ପାଦିତ ଚା’ ଜୈବିକ ହେବାରେ ଲାଗିଛି । କୀଟନାଶକର କମ ବ୍ୟବହାର ପାହାଡିଆ ଓ ତେରାଇ ଅଞ୍ଚଳରେ ଚା’ଚାଷର ନୂତନ ମନ୍ତ୍ର ପାଲଟିଛି ।
ରାଜ୍ୟର ଚା’ ବଗିଚାରେ କୀଟନାଶକ ବ୍ୟବହାର ଉପରେ ନିଲାମଧାରୀଙ୍କ ଚିନ୍ତାଧାରା ବଦଳିବାରେ ଲାଗିଛି । ପ୍ୟାକିଂ ହୋଇ ବ୍ୟବହାର ପାଇଁ ବଜାରକୁ ପଠାଯିବା ପୂର୍ବରୁ ତଥା ରପ୍ତାନି କିମ୍ବା ଘରୋଇ ବ୍ୟବହାର କ୍ଷେତ୍ରରେ ଚା’ ପତ୍ରକୁ ପ୍ରକ୍ରିୟାକରଣ କରାଯାଇଥାଏ । ସବୁଥିରେ କୀଟନାଶକର ଉପସ୍ଥିତିକୁ ଏଡାଇବା ପାଇଁ ଉଦ୍ୟମ କରାଯାଉଛି ।
ପଶ୍ଚିମବଙ୍ଗର ଦାର୍ଜିଲିଂ ଅଞ୍ଚଳ ସମେତ ତେରେଇ, ଜାଲପାଇଗୁରି, ଆଲିପୁରଦୁଆର, କୋଚ ବିହାର ଓ ଉତ୍ତର ଦିନାଜପୁରର କିଛି ବଗିଚାରେ ଚା’ ରୋପଣ ସମୟରେ କୀଟ ଓ ପୋକ ଆକ୍ରମଣ କରିଥାନ୍ତି । ଫଳରେ ଚାଷୀମାନେ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଥାନ୍ତି । କେବଳ ପ୍ରବଳ ବର୍ଷା ହିଁ ଫସଲକୁ ପୋକରୁ ରକ୍ଷାକରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ପ୍ରବଳ ବର୍ଷା ଭଲ ଫସଲ ଉତ୍ପାଦନ ପାଇଁ ବାଧକ ସାଜିଥାଏ ।
ସୁକ୍ନା ଚା ବଗିଚାର ପରିଚାଳକ ଭାସ୍କର ଚକ୍ରବର୍ତ୍ତୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ଚା’ ଚାଷରେ ସାଧାରଣତଃ ଲୁପର କ୍ୟାଟପିଲର ପୋକ ଦେଖାଯାଇଥାନ୍ତି । ଏହା ବ୍ୟତୀତ ଚା’ ପତ୍ରରେ ଥିବା ଲାଲ ଦାଗ ଚାଷୀଙ୍କ ପାଇଁ ବଡ ଚିନ୍ତା ଭାବରେ ଉଭା ହୋଇଥାଏ ।
ସେ ପୁଣି କହିଛନ୍ତି, ବିଭିନ୍ନ ପ୍ରଜାତିର ଥ୍ରିପ୍ସ(ପତଳା କୀଟ) ଚା’କୁ ସଂକ୍ରମିତ କରେ । ଏହା ଚା’ ଗଛର କୋମଳ ପତ୍ର ଓ ପୁରୁଣା ପତ୍ରକୁ ଖାଇବା ସହଅଧିକ କ୍ଷତି ଘଟାଇଥାଏ । ଏହା ମଧ୍ୟ ଭାରତର ପ୍ରମୁଖ କୀଟ ଭାବରେ ଫସଲର ବିଶେଷ କ୍ଷତି ଘଟାଇଥାଏ । ଫସଲ ଅମଳ ଓ ଛେଦନ ସମୟରେ ଏମାନେ ବିଶେଷ ଭାବରେ ଫସଲ ନଷ୍ଟ କରିଥାନ୍ତି । କିନ୍ତୁ ଏମାନଙ୍କୁ ମୁକାବିଲା କରିବା ସମୟରେ କୀଟନାଶକର ବ୍ୟବହାର ନିର୍ଦ୍ଦେଶନାମାକୁ ସତର୍କତା ସହ ଅନୁସରଣ କରିବାକୁ ହେବ ବୋଲି ଭାସ୍କର ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି ।
ତେରାଇ ଅଞ୍ଚଳର ଦାଗପୁର ଚା ବଗିଚାର ପରିଚାଳକ ସନ୍ଦୀପ ଘୋଷ ଚକ୍ରବର୍ତ୍ତୀଙ୍କ ଅନୁସାରେ, ‘କେତେକ ଛୋଟ ବଗିଚାରେ କୀଟନାଶକ ପ୍ରୟୋଗ କରାଯାଉଛି । ବଡ ବଗିଚା ଗୁଡିକରେ ଏହାକୁ ବ୍ୟବହାର କରାଯାଉନାହିଁ । ପ୍ରତ୍ୟେକ ଚା ବଗିଚା ବୋର୍ଡର ନିର୍ଦ୍ଦେଶାନାମାକୁ ପାଳନ କରିବାକୁ ବାଧ୍ୟ ।’ ଯଦି ଏହା ପାଳନ ନହୁଏ କେବେ ବୋର୍ଡ ଉତ୍ପାଦିତ ଫସଲକୁ ଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି ।
କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ଚା ବୋର୍ଡ ଫସଲରେ କୀଟନାଶକ ବ୍ୟବହାର ଉପରେ କଡା ନିର୍ଦ୍ଦେଶନାମା ଜାରିକରିଛି । ବୋର୍ଡ ଭାରତର ଚା’ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଟିଆରଆଇ), ଉତ୍ତର-ପୂର୍ବ ଭାରତର ଚା ରିସର୍ଚ୍ଚ ଆସୋସିଏସନ ଓ ଦକ୍ଷିଣ ଭାରତର ଚା ରିସର୍ଚ୍ଚ ଫାଉଣ୍ଡେସନ ସହ ମିଳିତ ଭାବରେ ହୋଇ ଟି ପ୍ଲାଣ୍ଟ ପ୍ରୋଟେକ୍ସନ କୋଡ ପ୍ରସ୍ତୁତ କରିଛନ୍ତି ।
ଏହି କୋଡ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ(FSSAI) ଓ ପ୍ଲାଣ୍ଟ ପ୍ରୋଟେକ୍ସନ ଫର୍ମୁଲେସନ(PPFs) ଦ୍ବାରା ସୁପାରିଶ କରାଯାଇଥିବା ଖାଦ୍ୟ ସୁରକ୍ଷା ମାନକ ଗୁଡିକୁ ଧାରଣ କରେ । କୀଟନାଶକ ଅଧିନିୟମ 1968 ଅନୁଯାୟୀ ଗଠିତ କେନ୍ଦ୍ରୀୟ କୀଟନାଶକ ବୋର୍ଡ (CIB)ର ପଞ୍ଜୀକରଣ କମିଟି ଆଧାରରେ ଏହାକୁ ଗ୍ରହଣ କରାଯାଇଥାଏ । ଏହା ଫସଲରେ ନୂତନ କୀଟନାଶକ ତଥ୍ୟର ଆବଶ୍ୟକତା ଯାଞ୍ଚ କରିବା ସହ ଖାଦ୍ୟ ସାମଗ୍ରୀ ଉପରେ ଅନୁମତିପ୍ରାପ୍ତ କୀଟନାଶକର ପ୍ରୟୋଗ ଅନୁମତି ସୀମାଠାରୁ ଅଧିକ ନ ପକାଇବାପାଇଁ ସୁନିଶ୍ଚିତ କରିବ । ଚା ବୋର୍ଡ କୀଟନାଶକ ସିଞ୍ଚନ ଓ ନିୟନ୍ତ୍ରଣ ଉପରେ ଇପିଏ, ଏଫଓଓ, ଡବ୍ଲ୍ୟୁଏଚଓ, କୋଡେକ୍ସ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂସ୍ଥା ସହିତ ମଧ୍ୟ ନିଜର ସଂପର୍କ ଜାରି ରଖିଛି ।