ନୂଆଦିଲ୍ଲୀ: ଲଗାତାର ମୌସୁମୀ ବର୍ଷା ହେତୁ ନଦୀର ଜଳ ସ୍ତର ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆସାମ ଏବଂ ବିହାରର ନଦୀରେ ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ଗଙ୍ଗା ଏବଂ ଯମୁନା ନଦୀର ଜଳ ସ୍ତର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରୟାଗରାଜରେ ଗତ 3 ଦିନ ଧରି ଉଭୟ ଗଙ୍ଗା ଏବଂ ଯମୁନା ନଦୀର ଜଳ ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଙ୍ଗମରେ ଜଳସ୍ତର ବୃଦ୍ଧି ହେତୁ ତୀର୍ଥଯାତ୍ରୀ, ନାବିକ ତଥା ଘାଟରେ ରହୁଥିବା ଭକ୍ତଙ୍କୁ ମଧ୍ୟ ସଚେତନ କରାଯାଇଛି। ଏହା ସହିତ ଜଳସେଚନ ବିଭାଗ ଦ୍ୱାରା ସ୍ଥାପିତ ବନ୍ୟା ନିୟନ୍ତ୍ରଣ କକ୍ଷରୁ ଗଙ୍ଗା ଏବଂ ଯମୁନା ନଦୀର ଜଳସ୍ତର ବୃଦ୍ଧି ଉପରେ 24 ଘଣ୍ଟା ମନିଟରିଂ କରାଯାଉଛି।
ତେବେ ବର୍ତ୍ତମାନ ଉଭୟ ଗଙ୍ଗା ଏବଂ ଯମୁନା ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। କିନ୍ତୁ ଗତ 24 ଘଣ୍ଟା ମଧ୍ୟରେ ଗଙ୍ଗା ନଦୀର ଜଳ ସ୍ତର 10 ସେମି ଏବଂ ଯମୁନା ନଦୀର ଜଳ ସ୍ତର 16 ସେମି ବୃଦ୍ଧି ପାଇଛି। ସଙ୍ଗମରେ ଉଭୟ ଗଙ୍ଗା ଏବଂ ଯମୁନା ନଦୀର ବିପଦ ସ୍ତର ହେଉଛି 84.734 ମିଟର ।
ସୋମବାର, ଗଙ୍ଗା ନଦୀର ଜଳ ସ୍ତର ଫାଫାମଉରେ 77.850 ମିଟର ଏବଂ ଛତ୍ରନଗରରେ 73.470 ମିଟର ରେକର୍ଡ କରାଯାଇଛି। ଯମୁନା ନଦୀର ଜଳ ସ୍ତର ନୈନିରେ 74.02 ମିଟର ରେକର୍ଡ କରାଯାଇଛି।
ଆସାମରେ ବନ୍ୟା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ସମଗ୍ର ରାଜ୍ୟରେ ହାହାକାର ପରିସ୍ଥିତି ଦେଖାଦେଇଛି । ସୋମବାର ଏଠାରେ ପ୍ରବଳ ବର୍ଷା ସମୟରେ 6 ଜଣଙ୍କର ମୃତ୍ୟୁ ଘଟିଛି। ବନ୍ୟା ଯୋଗୁଁ ଏଠାରେ ପ୍ରାୟ 22 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ଆସାମ ପାଇଁ ପାଣିପାଗ ବିଭାଗରୁ ଆଶ୍ବସ୍ତି ଦେବା ଭଳି ଏକଖବର ରହିଛି। ବିଭାଗର କହିବାନୁସାରେ, ମୌସୁମୀ ତାର ଗତି ପଥ ବଦଳାଇ ଦେଇଛି ଏବଂ ଏହା ବର୍ତ୍ତମାନ ଦକ୍ଷିଣ ଦିଗକୁ ଦ୍ରୁତ ଗତିରେ ଗତି କରୁଛି। ମୌସୁମୀର ଏହି ପରିବର୍ତ୍ତନ ଯୋଗୁଁ ଉତ୍ତର-ପୂର୍ବ ଭାରତରେ ବର୍ଷା ହ୍ରାସ ପାଇବ।