ଭୋପାଳ : ବିବାହ ଭୋଜିରେ ଆପଣ ଗଲେ ନିଶ୍ଚୟ କିଛି ଦାମି ଉପହାର ଦେବା କଥା ଭାବୁଥିବେ । ଆଉ ନିଜ ପ୍ରିୟ ଜନଙ୍କ ମନ ପସନ୍ଦର ଦାମୀଦାମୀ ଉପହାର ଦେଉଥିବେ ମଧ୍ୟ । କାହାକୁ ସୁନା ତ କାହାକୁ ଟଙ୍କା ଦେଉଥିବେ । ହେଲେ କେବେ ଉପହାରରେ ପାଣି ଦେବା କଥା ଶୁଣିଛନ୍ତି କି ? କେବେ ଶୁଣିନଥିବେ ବୋଧେ । ହେଲେ ଏହି କଥା କୌଣସି ଗପ ନୁହେଁ ସମ୍ପୂର୍ଣ୍ଣ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାର ରାୟଟେମରୀରେ ।
ବିବାହ ଉପହାରରେ ମିଳୁଛି ‘ଜଳ’ - marriage
ଦାମି ଉପହାର ବଦଳରେ ମିଳୁଛି ପାଣି । ଜଳକଷ୍ଟରେ ଜର୍ଜରିତ ମଧ୍ୟପ୍ରଦେଶର ଏହି ଗାଁରେ ବିବାହ ଭୋଜି ଖାଇ ଯାଉଥିବା ଅତିଥି, ଉପହାର ରୂପେ ପାଣି ବୋତଲ କିମ୍ବା ଜାର ଦେଉଛନ୍ତି । ଏହି ପରମ୍ପରା ଆଗକୁ ମଧ୍ୟ ରହିବ ।
ଏଭଳି ଉପହାର ଦେବା ପଛରେ ରହିଛି କାରଣ । ଅନେକ ଦିନ ହେବ ଏହି ଗାଁରେ ଦେଖାଦେଇଛି ଜଳକଷ୍ଟ । ପାଣି ଟୋପାଏ ପାଇଁ ଲୋକେ ଡହଳବିକଳ । ତେବେ ଏଭଳି ଜଳକଷ୍ଟର ସମାଧାନ ପାଇଁ ଗ୍ରାମବାସୀମାନେ ଏହି ନିଷ୍ପତ୍ତି ନେଇଥିଲେ । ବିବାହ ଉତ୍ସବ ଥିବା ଘରକୁ ପାଣି ଉପହାର ଦେଇ ସେମାନଙ୍କ କଷ୍ଟ ଲାଘବ କରିବେ ।
ମେ 22 ତାରିଖରେ ଗାଁର କୁଅଁର ସିଂ ନାମକ ଜଣେ ବ୍ୟକ୍ତିଙ୍କର ଝିଅ ବିବାହ ଥିଲା । ଭୋଜିକୁ ଆମନ୍ତ୍ରିତ ଅତିଥି ସାଥିରେ ଆଣିଥିଲେ ପାଣି ଉପହାର । ଭୋଜିରେ ପ୍ରାୟ 250 ଅତିଥି ସାମିଲ ହୋଇଥିଲେ । ଗାଁରେ ଜଳ କଷ୍ଟ ଦୂର ନହେବା ପର୍ଯ୍ୟନ୍ତ ଏହି ପରମ୍ପରା ଚାଲୁ ରହିବ ବୋଲି କହିଛନ୍ତି ଗ୍ରାମବାସୀ ।