ନୂଆଦିଲ୍ଲୀ: ବିଶ୍ବର ସର୍ବାଧିକ କୋରୋନା ସଂକ୍ରମିତ ମାମଲାରେ ଭାରତ ପଞ୍ଚମ ସ୍ଥାନରେ ରହିଛି। ଲଗାତର ଚତୁର୍ଥ ଥର ପାଇଁ ଦେଶରେ ସଂକ୍ରମଣ ମାମଲା 10 ହଜାର ପାଖାପାଖି ରହୁଛି । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ 6 ହଜାରରେ ପହଞ୍ଚିଛି । ଗତ 24 ଘଣ୍ଟାରେ ସର୍ବାଧିକ 9971 କୋରୋନା ମାମଲା ସହ 287 ମୃତ୍ୟୁ ରେକର୍ଡ ହୋଇଛି । ଆଗକୁ ଦେଶରେ କୋରୋନା ସଂକ୍ରମଣ ଶିଖର ଛୁଇଁବ ବୋଲି କହିଛନ୍ତି ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ(ଏମ୍ସ)ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ।
ଦିଲ୍ଲୀ-ମୁମ୍ବାଇ ଭଳି କିଛି ବଡ ବଡ ସହରରେ କ୍ଲଷ୍ଟର କିମ୍ବା ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି । ପୁରା ଦେଶରେ କିନ୍ତୁ ଏପରି ପରିସ୍ଥିତି ସୃଷ୍ଟି ହୋଇନାହିଁ । ଦେଶର 10 ରୁ 12ଟି ସହର ରହିଛି ଯେଉଁଠି ଗୋଷ୍ଠୀ ସଂକ୍ରମଣ ଆଶଙ୍କା ରହିଛି । ଏବେ ସେଠାରୁ 70ରୁ 80 ପ୍ରତିଶତ ମାମଲା ସାମ୍ନାକୁ ଆସିଛି ।
ସେପଟେ, ଲକଡାଉନକୁ ନେଇ କହିଛନ୍ତି, ତାଲା ବନ୍ଦ ଯୋଗୁଁ କିଛିଟା ଲାଭ ହୋଇଛି । କିନ୍ତୁ ସଂକ୍ରମଣ ମାମଲାକୁ ହ୍ରାସ କରାଯାଇପାରିଲା ନାହିଁ । ଗରିବ ଓ ଦିନ ମଜୁରିଆଙ୍କ ପାଇଁ ଅନଲକ ବା ଲକଡାଉନ ଖୋଲିବା ବି ଜରୁରୀ ଥିଲା । ଲକଡାଉନ ଖୋଲିବା ପରେ ଏବେ ସାଧାରଣ ଲୋକଙ୍କ ଦାୟିତ୍ବ ବଢିଯାଇଛି । ନିଜେ କିପରି ଏହି ଭାଇରସ ମୁକାବିଲା କରିବା ପାଇଁ ସାମାଜିକ ଦୂରତା ବଜାୟୀ ରଖିବେ ଓ ମାସ୍କ ବ୍ୟବହାର କରିବେ ସେ ଉପରେ ଧ୍ୟାନ ଦେବେ ।
ଏହା ସହ ସେ କହିଛନ୍ତି , ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ଆସିବା ଜରୁରୀ ନୁହେଁ । କାରଣ ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତି ନିଜେ ନିଜର ଯତ୍ନ ନେବା ପରେ ସୁସ୍ଥ ହୋଇଥିବା ନଜିର ରହିଛି । ଫଳରେ ଏହା ଦ୍ବାରା ହସ୍ପିଟାଲରେ ବେଡ ଓ ଭେଣ୍ଟିଲେଟରର ମଧ୍ୟ ନିଅଣ୍ଟରୁ ବର୍ତ୍ତି ଯାଇପାରିବା । ଡକ୍ଟର ଗୁଲେରିଆ କହିଛନ୍ତି, ଆମେ ଭିଭିଆଇପି ରୋଗୀ ନୁହେଁ ସମସ୍ତଙ୍କର ଚିକିତ୍ସା କରୁଛୁ । ଯଦି କାହା ଭିତରେ ଲକ୍ଷଣ ନଥାଏ, ତେବେ ଆମେ ଏହାକୁ କିପରି ପରୀକ୍ଷା କରିପାରିବା ?
ଦିଲ୍ଲୀ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କୁ ସୁବିଧା ନେଇ ଡ.ଗୁଲେରିଆ କହିଛନ୍ତି, ସେମାନେ ସମସ୍ତେ ଆମ ଦେଶର ନାଗରିକ । ଯେଉଁମାନେ ଏନସିଆରରେ ରହୁଛନ୍ତି, ସେମାନେ ବାହ୍ୟ ରାଜ୍ୟର ସୁବିଧା ପାଇ ପାରୁନାହାଁନ୍ତି । ଏପରି ସ୍ଥିତିରେ ସେମାନେ ଦିଲ୍ଲୀ ଉପରେ ନିର୍ଭର କରିବା ସ୍ବାଭାବିକ । ତେଣୁ ସେମାନଙ୍କ ଯତ୍ନ ନେବା ଆବଶ୍ୟକ ।