ଗରିବ ଲୋକଙ୍କ ଉପରେ କୋଭିଡ୍-19 ପ୍ରାଦୁର୍ଭାବ ଜନିତ କୁପ୍ରଭାବର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି 1 ଲକ୍ଷ 70 ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନାମକ ଏହି ପ୍ୟାକେଜ୍ ଦ୍ବାରା ଦେଶର ଗରିବ ପରିବାର, ନିଜ ରାଜ୍ୟ ଛାଡ଼ି ଆସିଥିବା ଶ୍ରମିକ, ନିର୍ମାଣ ଶ୍ରମିକ ଏବଂ ସଂଗଠିତ କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିମାନଙ୍କ ସମେତ ଦେଶର ପ୍ରାୟ 80 କୋଟି ଲୋକ ଓ ଶ୍ରମିକଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଘୋଷିତ ବିଭିନ୍ନ ସହାୟତା ପଦକ୍ଷେପ ଭିତରେ କୋରୋନା ଭାଇରସ୍ ସହ ଲଢ଼େଇରେ ନିୟୋଜିତ କର୍ମୀ, ନର୍ସ୍ ଓ ଡାକ୍ତରଙ୍କ ପାଇଁ 50 ଲକ୍ଷ ଟଙ୍କାର ଡାକ୍ତରୀ ବୀମା ସୁବିଧା ମଧ୍ୟ ପ୍ରଦାନ କରାଯିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ, “କେହି ଭୋକିଲା ରହନ୍ତୁ ବୋଲି ଆମେ ଚାହୁଁନାହୁଁ ।” ଏହା ସହିତ, ଏଭଳି କଷ୍ଟକର ସମୟକୁ ଅତିକ୍ରମ କରିବା ଲାଗି ସରକାର ସେମାନଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ପ୍ରଣାଳୀ ଜରିଆରେ ନଗଦ ଟଙ୍କା ମଧ୍ୟ ପ୍ରଦାନ କରିବେ ବୋଲି ସେ କହିଥିଲେ ।
ସହାୟତା ପ୍ୟାକେଜ୍ ଘୋଷଣା କରିବାରେ ସରକାର ବିଳମ୍ବ କରିଲେ ବୋଲି ହେଉଥିବା ସମାଲୋଚନାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ।
ନିର୍ମଳା ସୀତାରମଣ କହିଲେ, “ଆମେ ତାଲାବନ୍ଦ ବା ଲକ୍ଡାଉନ୍ ଘୋଷିତ ହେବାର 36 ଘଣ୍ଟା ମଧ୍ୟରେ କାମ କଲୁ ଏବଂ ଏହି ପ୍ୟାକେଜ୍ ଘୋଷଣା କଲୁ ।”
ଅର୍ଥମନ୍ତ୍ରୀ କହିଲେ ଯେ କୃଷକ, ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ ନିଯୁକ୍ତି ଆଇନ ଅନ୍ତର୍ଗତ ଶ୍ରମିକ, ଦରିଦ୍ର ବରିଷ୍ଠ ନାଗରିକ, ବିଧବା ଏବଂ ଗରିବ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସମେତ 8ଟି ବର୍ଗର ବ୍ୟକ୍ତିମାନଙ୍କୁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସାମିଲ କରାଯିବ । ଏହି ପ୍ୟାକେଜ୍ରେ ଜନ ଧନ ଆକାଉଣ୍ଟଧାରୀ 20 କୋଟି ମହିଳା, ରିହାତିରେ ରନ୍ଧନ ଗ୍ୟାସ୍ ଯୋଗାଣ ସଂକ୍ରାନ୍ତ ଉଜ୍ଜ୍ବଳା ଯୋଜନାର 8 କୋଟି 20 ଲକ୍ଷ ହିତାଧିକାରୀ, 63 ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ (SHG), 3 କୋଟି 50 ଲକ୍ଷ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଏବଂ ସଂଗଠିତ କ୍ଷେତ୍ରରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ରେ ପଞ୍ଜୀକୃତ 4 କୋଟି କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଏବଂ କୋଭିଡ୍-19 ଭୂତାଣୁ ସହ ମୁକାବିଲା ଲାଗି ଡାକ୍ତରୀ ପରୀକ୍ଷଣ ଏବଂ ସ୍ବାସ୍ଥ୍ୟସେବା ସୁବିଧା ବଢ଼ାଇବା ନିମନ୍ତେ ଜିଲ୍ଲା ଖଣିଜ କଲ୍ୟାଣ ପାଣ୍ଠିର ଉପଯୋଗ କରିବା ନିମନ୍ତେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବେ ।
କୋରୋନା ଯୋଦ୍ଧାଙ୍କ ପାଇଁ 50 ଲକ୍ଷ ଟଙ୍କାର ଚିକିତ୍ସା ବୀମା ସୁବିଧା
ଏହି ମାରାତ୍ମକ ଭୂତାଣୁ ବିରୋଧୀ ସଂଗ୍ରାମରେ ନିୟୋଜିତ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀଙ୍କ ସମେତ ସମସ୍ତ କର୍ମୀ ଓ କର୍ମଚାରୀଙ୍କୁ 50 ଲକ୍ଷ ଟଙ୍କାର ଚିକିତ୍ସା ବୀମା ସୁବିଧା ଯୋଗାଇ ଦିଆଯିବ ବୋଲି ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ଭୂତାଣୁ ବିରୋଧୀ ଯୁଦ୍ଧରେ ନିୟୋଜିତ ସମସ୍ତ କର୍ମୀ, ଯେମିତି କି ଡାକ୍ତର, ନର୍ସ୍, ପାରାମେଡିକାଲ କର୍ମଚାରୀ, ସଫେଇ କର୍ମଚାରୀ, ଆଶା କର୍ମୀ ଏବଂ ଅନ୍ୟ ସମସ୍ତଙ୍କୁ ଏହି ଚିକିତ୍ସା ବୀମା ସୁବିଧା ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
80 କୋଟି ଗରିବଙ୍କୁ ଖାଦ୍ୟ ସହାୟତା
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ ଯେ, ଦେଶର 80 କୋଟି କିମ୍ବା ମୋଟ ଜନସଂଖ୍ୟାର ଦୁଇ ତୃତୀୟାଂଶ ଗରିବ ଲୋକଙ୍କୁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସାମିଲ କରିବା ସହ କେହି ଯେମିତି ଭୋକିଲା ନ ରହନ୍ତି ତାହା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସେ କହିଲେ, ଏହି ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ ପ୍ରତ୍ୟେକ ଦରିଦ୍ର ବ୍ୟକ୍ତିଙ୍କୁ ସେମାନଙ୍କ ପସନ୍ଦ ଅନୁସାରେ ମାସକୁ 5 କିଲୋ ଗହମ କିମ୍ବା 5 କିଲୋ ଚାଉଳ, ସଂପୂର୍ଣ୍ଣ ମାଗଣାରେ, ତିନି ମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବ । ଏହା ସହିତ ପ୍ରତି ଗରିବ ପରିବାରକୁ ସେମାନଙ୍କ ପସନ୍ଦ ଅନୁସାରେ ଏବଂ ସଂପୃକ୍ତ ଅଞ୍ଚଳରେ ମିଳୁଥିବା 1 କିଲୋ ଡାଲି
ପରବର୍ତ୍ତୀ ତିନି ମାସ ଯାଏଁ ପୂରା ମାଗଣାରେ ଯୋଗାଇ ଦିଆଯିବ । ଏହି ମାଗଣାରେ ଦିଆଯାଉଥିବା ଅତିରିକ୍ତ ଗହମ, ଚାଉଳ ଏବଂ ଡାଲି ସହିତ ସେମାନଙ୍କୁ ସେମାନଙ୍କ ନିୟମିତ ପ୍ରାପ୍ୟ ସାମଗ୍ରୀ ମିଳିବ ।
ସାରା ଦେଶରେ କରୋନା ଭାଇରସ୍ର ପ୍ରତିକୂଳ ପ୍ରଭାବ ସହିତ ମୁକାବିଲା ଦିଗରେ ସରକାରଙ୍କ ଦ୍ବାରା ଘୋଷିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦୁଇଟି ଉପାଦାନ ରହିବ । ଯାହା ହେଲା, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (DBT) ଯୋଜନାରେ ସିଧାସଳଖ ଅର୍ଥ ଜମା କରିବା ଏବଂ ମାଗଣାରେ ଅତିରିକ୍ତ ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି
ଅର୍ଥମନ୍ତ୍ରୀ କହିଲେ ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 8 କୋଟି 69 ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ କିଛି ଟଙ୍କା ରଖିବା ଲକ୍ଷ୍ୟରେ ସରକାର ସେମାନଙ୍କ ଖାତାକୁ ଅଗ୍ରୀମ 2,000 ଟଙ୍କାର କିସ୍ତି ପଠାଇବେ । ଏହି 2,000 ଟଙ୍କାର କିସ୍ତି ସିଧାସଳଖ ଯୋଜନାରେ ସଂଯୋଗୀକୃତ ସେମାନଙ୍କ ଆକାଉଣ୍ଟକୁ ଆସନ୍ତା
ମାସରେ ପଠାଇ ଦିଆଯିବ ।
ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ମଜୁରି ବୃଦ୍ଧି
ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଆଇନ ଅନ୍ତର୍ଗତ ଯୋଜନାରେ କାର୍ଯ୍ୟରତ କର୍ମୀଙ୍କ ପାଇଁ ବୃହତ୍ ସହାୟତା ସ୍ବରୂପ ସରକାର ସେମାନଙ୍କ ମଜୁରିରେ ପାଖାପାଖି 11% ବୃଦ୍ଧି କରିଛନ୍ତି । ଅର୍ଥାତ୍, ଦୈନିକ 182 ଟଙ୍କାରୁ 202 ଟଙ୍କା ହିସାବରେ ଏଥିରେ 20 ଟଙ୍କା ବୃଦ୍ଧି କରାଯାଇଛି । ଏହି ପଦକ୍ଷେପ ଦ୍ବାରା ଏହି ଯୋଜନାରେ ପଞ୍ଜୀକୃତ 5
କୋଟି ସଦସ୍ୟଙ୍କ ପରିବାର ଉପକୃତ ହେବେ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ ଯେ ଏହି ପଦକ୍ଷେପ ଦ୍ବାରା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପ୍ରତି କର୍ମୀଙ୍କୁ ଅତିରିକ୍ତ 2,000 ଟଙ୍କା ମିଳିବ ।
ଗରିବ ବରିଷ୍ଠ ନାଗରିକ, ବିଧବା ଏବଂ ଭିନ୍ନକ୍ଷମଙ୍କ ପାଇଁ ସହାୟତା