ତର୍କସାପେକ୍ଷ ହେଲେ ହେଁ, ଭାରତରେ କୋଭିଡ୍-19 ସଂକଟରେ ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ପ୍ରପୀଡ଼ିତ ହୋଇଛନ୍ତି ପ୍ରବାସୀ ଶ୍ରମିକମାନେ । ଦୀର୍ଘ କାଳ ଧରି ଲାଗୁ ହୋଇଥିବା ଲକ୍ଡାଉନ୍ର ପ୍ରକୋପ ଯୋଗୁଁ ପ୍ରଭାବିତ ପ୍ରବାସୀ ଶ୍ରମିକମାନଙ୍କର ସଂଖ୍ୟା ସଂପର୍କରେ ବିଶ୍ବସନୀୟ ତଥ୍ୟ ମିଳି ନଥିଲେ ହେଁ, ନିଜ ନିଜର ଜନ୍ମସ୍ଥାନ ଅଭିମୁଖେ ସେମାନଙ୍କର ସଂଘର୍ଷପୂର୍ଣ୍ଣ ପ୍ରତ୍ୟାବର୍ତ୍ତନର ଦୃଶ୍ୟାବଳୀ ଆଲୋଡ଼ନ ସୃଷ୍ଟି କରେ । ବିଭିନ୍ନ ସହରାଞ୍ଚଳରୁ ଅବିଶ୍ବସନୀୟ ସଂଖ୍ୟକ ପ୍ରବାସୀ ଶ୍ରମିକଙ୍କର ନିଜ ନିଜ ଘରକୁ ସାମୂହିକ ପ୍ରତ୍ୟାବର୍ତ୍ତନ ଘଟଣାରୁ, ଗତ କେଇ ଦଶନ୍ଧି ଧରି ଭାରତରେ ସେମାନଙ୍କ ପ୍ରତି ପ୍ରଦର୍ଶିତ ସାମାଜିକ ଓ ରାଜନୈତିକ ଉଦାସୀନତା ହିଁ ପ୍ରତିଫଳିତ ହୁଏ । ପ୍ରବାସୀ ଶ୍ରମିକମାନଙ୍କ ପ୍ରତି ଐକ୍ୟଭାବ ପ୍ରଦର୍ଶନ ପୂର୍ବକ ସାମାଜିକ ଗଣମାଧ୍ୟମରେ ସୃଷ୍ଟି ଗୁଞ୍ଜରଣ ଏବଂ ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ସଂପର୍କିତ ସରକାରୀ କଳର ପ୍ରତୀକାତ୍ମକ ତତ୍ପରତାରୁ ଦଶନ୍ଧି ଦଶନ୍ଧି ଧରି ଜୀବନ ନିର୍ବାହ କ୍ଷେତ୍ରରେ ସେମାନେ ସମ୍ମୁଖୀନ ହୋଇଥିବା ବହୁବିଧ ଅସମାନତାର ସୁସ୍ପଷ୍ଟ ପରିପ୍ରକାଶନ ହୋଇଥାଏ । ନିମ୍ନରେ ପ୍ରଦତ୍ତ ବିବରଣୀରେ ପ୍ରବାସୀ ଶ୍ରମିକମାନଙ୍କର ଏଭଳି ଦୁର୍ଦ୍ଦଶାଗ୍ରସ୍ତ ସ୍ଥିତି ନିମନ୍ତେ ସୂକ୍ଷ୍ମ ଭାବରେ ଦାୟୀ ତିନିଟି ପ୍ରମୁଖ ବୈଷମ୍ୟ ଉପରେ ଆଲୋକପାତ କରାଯାଇଛି ।
ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଏକ ପ୍ରମୁଖ ବୈଷମ୍ୟ ହେଉଛି ଏକ ନୂତନ ଧରଣର ବିଭେଦ ଭାବନା ଏବଂ ସେମାନଙ୍କ ପାଖରେ ଆବଶ୍ୟକ ସାମଗ୍ରୀର ଅଭାବ । ପୂର୍ବରୁ କାରଖାନା ମାଲିକ ଓ ଶ୍ରମିକଙ୍କ ମଧ୍ୟରେ ରହିଆସିଥିବା ପାରମ୍ପରିକ ସଂପର୍କ ଏବେ ଅପସରି ଯାଇଛି ଏବଂ ଏକ ଉଦାରୀକରଣ ଅର୍ଥନୀତିର ବଜାରରେ ପୁଞ୍ଜିନିବେଶକାରୀ ମାଲିକଙ୍କ ସହିତ ପ୍ରବାସୀ ଶ୍ରମିକମାନଙ୍କର ସମ୍ବନ୍ଧ ଆଦୌ ନାହିଁ କହିଲେ ଚଳେ । ଶ୍ରମିକମାନଙ୍କୁ ମାଲିକଙ୍କଠାରୁ ଅଲଗା କରି ରଖିବାରେ ଶ୍ରମିକ ଠିକାଦାରମାନେ ପ୍ରମୁଖ ଭୂମିକା ନିର୍ବାହ କରନ୍ତି ଏବଂ ଏହା ଫଳରେ ଶ୍ରମିକମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇପଡ଼ନ୍ତି ଏବଂ ଅଧିକନ୍ତୁ, ମାଲିକଙ୍କ ଉପରେ ହିଁ ନିର୍ଭର କରନ୍ତି ।
କର୍ମପ୍ରାପ୍ତି ଉଦ୍ଦେଶ୍ୟରେ ସ୍ଥାନ ପରିବର୍ତ୍ତନ ପାଇଁ ସଦା ପ୍ରସ୍ତୁତ ରହୁଥିବା ଏକ ବୃହତ୍ ଭାଗ ପ୍ରବାସୀ ଶ୍ରମିକ ପ୍ରାୟତଃ ଠିକାଦାରଙ୍କ ଦୟା ଉପରେ ନିର୍ଭର କରନ୍ତି ଏବଂ ସେମାନଙ୍କ ଅଧିକାର ଏବଂ ପ୍ରାପ୍ୟ ବିଷୟ ସହିତ ଯେଉଁ ଶିଳ୍ପ ସଂସ୍ଥା ପାଇଁ କାମ କରୁଥାଆନ୍ତି ସେ ସଂପର୍କରେ ମଧ୍ୟ ଅଜ୍ଞତା ଘେରରେ ରହନ୍ତି । ଏଭଳି ଅଧିକାଂଶ ଶ୍ରମିକଙ୍କର ପଞ୍ଜୀକରଣ ହୋଇନଥାଏ । ନିଜ ସ୍ବାର୍ଥ ବ୍ୟତିରେକେ, ଜଣେ ଅଣ ପଞ୍ଜୀକୃତ ଶ୍ରମିକ ଶିଳ୍ପ ସଂସ୍ଥା ଓ ଠିକାଦାରଙ୍କ ଫାଇଦା ଲାଗି ଭଲ କାମ କରନ୍ତି । ଏବଂ ଶ୍ରମିକ ଠିକାଦାରମାନଙ୍କୁ ମଧ୍ୟବର୍ତ୍ତୀ ସ୍ଥାନରେ ରଖି, ଶିଳ୍ପ ସଂସ୍ଥା ଏବଂ ସେମାନଙ୍କର ଉତ୍ପାଦଠାରୁ ଶ୍ରମିକମାନଙ୍କୁ ପୃଥକ୍ କରିବାର ଏହି ପ୍ରକ୍ରିୟା, ଭାରତର ଅଭିବୃଦ୍ଧି ହାସଲ ପାଇଁ ଅଭିଳାଷ ଏବଂ ଦ୍ରୁତ ସହରୀକରଣ ପ୍ରଚେଷ୍ଟାର ଏକ ସ୍ବାଭାବିକ ବୈଶିଷ୍ଟ୍ୟ ରୂପେ ପରିଗଣିତ ହେବାରେ ଲାଗିଛି । ଦେଶରେ ଲକ୍ଡାଉନ୍ ଜାରି କରାଯିବାର ଏହି ଅଭୂତପୂର୍ବ ସ୍ଥିତିରେ, ଉଭୟ ଶିଳ୍ପ ସଂସ୍ଥା ଓ ଶ୍ରମିକ ଠିକାଦାରମାନେ ଶ୍ରମିକଙ୍କ ସମସ୍ୟାରୁ ଦୂରେଇ ଗଲେ ଏବଂ ଏହା ଫଳରେ ଶ୍ରମିକମାନେ ଘୋର ଆର୍ଥିକ ଦୁଃସ୍ଥିତିରେ ଉପନୀତ ହେଲେ । ଶ୍ରମିକମାନଙ୍କ ଉପରେ ଲକ୍ଡାଉନର ପ୍ରଭାବ ହୃଦୟଙ୍ଗମ କରିବା କ୍ଷେତ୍ରରେ ସରକାରଙ୍କ ଉଦାସୀନ ମନୋଭାବକୁ ରାଜନୈତିକ ବିଷମତା ଦୃଷ୍ଟିକୋଣରୁ ହିଁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇପାରେ ।
ଯେଉଁ ରାଜନୈତିକ ବୈଷମ୍ୟ ସଂଲଗ୍ନ ହୋଇ ପ୍ରବାସୀ ଶ୍ରମିକମାନେ ଜୀବନ ନିର୍ବାହ କରନ୍ତି, ସେ ସଂପର୍କରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଦିଗରୁ ଆଲୋଚନା କରାଯାଇପାରେ: ରାଜନୈତିକ ସାମର୍ଥ୍ୟର ଅଭାବ ଏବଂ ନିର୍ବାଚନୀ ରାଜନୀତିରେ ନଗଣ୍ୟ ପ୍ରତିନିଧିତ୍ବ । ନିଜ ଜନ୍ମସ୍ଥାନରୁ ଦୂରବର୍ତ୍ତୀ ସହରକୁ ସ୍ଥାନାନ୍ତରିତ ହୋଇଥିବା ଯୋଗୁଁ ଶ୍ରମିକମାନେ ରାଜନୈତିକ ସ୍ତରରେ ସାମର୍ଥ୍ୟହୀନ ହୋଇଯାଆନ୍ତି । କାରଣ, ସେମାନେ ନିଜର ସ୍ବାର୍ଥସାଧନ ନିମନ୍ତେ ରାଜନୈତିକ ଶକ୍ତି ସହ ବୁଝାମଣା କରିବାର ଇଚ୍ଛାଶକ୍ତି ହରାଇ ବସନ୍ତି । ବିଶେଷତଃ.କାମ ପାଇଁ ଗୋଟିଏ ସହରରୁ ଅନ୍ୟ ସହରକୁ, କିମ୍ବା ସେଇ ସହର ଅନ୍ତର୍ଗତ ଗୋଟିଏ କାର୍ଯ୍ୟସ୍ଥଳୀରୁ ଅନ୍ୟଟିକୁ ଘୂରି ବୁଲୁଥିବା ଶ୍ରମିକମାନଙ୍କୁ ସମର୍ଥ ଭୋଟଦାତା ଭାବରେ ରାଜନୈତିକ ଦଳଗୁଡ଼ିକ ପ୍ରାୟ ବିଚାର କରନ୍ତି ନାହିଁ । ଯଦି କେବେ ଭୋଟ ବ୍ୟାଙ୍କ ଭାବରେ ପ୍ରବାସୀ ଶ୍ରମିକମାନଙ୍କ ସାମର୍ଥ୍ୟକୁ ରାଜନୈତିକ ଦଳଗୁଡ଼ିକ ବୁଝିପାରନ୍ତି, ତେବେ ଭଲମନ୍ଦ ବୁଝିବା ପାଇଁ ସୁଦୂରବର୍ତ୍ତୀ ସ୍ଥାନରେ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚି ଯିବାର ଅନେକ ଦୃଷ୍ଟାନ୍ତ ରହିଛି । 2019ରେ ରାଜ୍ୟ ବିଧାନସଭା ଏବଂ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ, 2018 ଡିସେମ୍ବରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ମନ ଜିଣିବା ପାଇଁ ଗୁଜରାଟର ସୁରତ ଗସ୍ତରେ ଯିବା ଏଭଳି ଏକ ଉଦାହରଣ ମାତ୍ର । ଯେହେତୁ ନିର୍ବାଚନୀ ରାଜନୀତିର ଫଳାଫଳକୁ ଅଧିକାଂଶ ପ୍ରବାସୀ ଶ୍ରମିକଙ୍କ ଭୋଟଦାନ ପ୍ରଭାବିତ କରିବାର ସମ୍ଭାବନା ଖୁବ୍ କମ୍ ରହିଛି, ତେଣୁ, କୋଭିଡ୍-19 ସଂକଟ ସମୟରେ ସେମାନଙ୍କୁ ନିର୍ବିଘ୍ନରେ ପରିତ୍ୟାଗ କରାଯାଇଛି ।