ନୂଆଦିଲ୍ଲୀ: ସରକାରଙ୍କ ନିକଟରେ କିଛି ପରିମାଣର ନିଜର ବକେୟା ଆଡଜଷ୍ଟଟେଡ୍ ଗ୍ରସ୍ ରେଭିନ୍ୟୁ(ଏଜିଆର) ଜମା କରିବାକୁ ଭୋଡାଫୋନ୍ ଆଇଡିଆକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର କୋର୍ଟ କମ୍ପାନୀକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ବେଳେ କୋର୍ଟ କହିଛନ୍ତି ଯେ, କୋରୋନା ସଙ୍କଟ ସମୟରେ ଏହି ଟଙ୍କାକୁ ବିଶେଷ କରି ଲୋକଙ୍କ ହିତ ପାଇଁ ବ୍ୟବହାର କରାଯିବା ଉଚିତ୍ ।
ଭୋଡାଫୋନ ଆଇଡିଆ ପକ୍ଷରୁ କେସ ଲଢୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି ଯେ, ବର୍ତ୍ତମାନ କମ୍ପାନୀର ସ୍ଥିତି ଅନିଶ୍ଚିତତା ଘେରରେ ରହିଛି । ଏପରିକି କମ୍ପାନୀ ବର୍ତ୍ତମାନ କୌଣସି ବ୍ୟାଙ୍କ ଗ୍ୟାରେଣ୍ଟି ଦେବା ସ୍ଥିତିରେ ନାହିଁ । ରୋହତଗୀ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ମୁଁ ଅଧିକ ଦେୟ ଦେବି, ତେବେ ମୋ ପାଖରେ କିଛି ରହିବ ନାହିଁ । ମୋ ପାଖରେ 11,000 କର୍ମଚାରୀ ଅଛନ୍ତି । ସେମାନଙ୍କୁ ଆଉ ଦରମା ଦେବା ସମ୍ଭବ ହେବନି । ଖୋଦ୍ ଭୋଡାଫୋନ୍ ଆଇଡିଆ ସ୍ବୀକାର କରିଛନ୍ତି ଯେ, ବର୍ତ୍ତମାନ କୌଣସି ବ୍ୟାଙ୍କ ସେମାନଙ୍କୁ ଲୋନ ଦେବ ନାହିଁ । ତେଣୁ କିସ୍ତିରେ ଦେୟ ଦେବା ସେମାନଙ୍କ ପାଖରେ ଏକମାତ୍ର ବିକଳ୍ପ ରହିଛି ।
ଗୁରୁବାର କେନ୍ଦ୍ର ସରକାରଙ୍କ ଟେଲିକମ ବିଭାଗ(ଡିଓଟି) ଖଣ୍ଡପୀଠକୁ ଏଜିଆର ଦେବା ନେଇ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ ସମେତ ଟେଲିକମ୍ କମ୍ପାନୀଗୁଡିକ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟ୍ ଉପରେ ଜବାବ ଦେବାକୁ ସମୟ ମାଗିଥିଲେ । ଗତବର୍ଷ ଅକ୍ଟୋବର 24 ରେ ସୁପ୍ରିମକୋର୍ଟ ଆଇନଗତ ବକେୟା ଅର୍ଥକୁ ନେଇ ଶୁଣାଣି କରିଥିଲେ । ଏହି ଶୁଣାଣିରେ ଟେଲିକମ କମ୍ପାନୀର ଏଜିଆରରେ ଅଣ-ଟେଲିକମ ରାଜସ୍ବକୁ ମିଶାଇ ମୋଟ ବକେୟା ଗଣତି କରାଯିବା ଉଚିତ୍ ବୋଲି କୋର୍ଟ କହିଥିଲେ ।
ପୀଠ ଆହୁରି ମଧ୍ୟ କହିଛି ଯେ, କୋଭିଡ-19 ମହାମାରୀ ସମୟରେ ଟେଲିକମ କମ୍ପାନୀ ଗୁଡିକ ଟଙ୍କା ରୋଜଗାର କରୁଛି । ଏମିତି ସ୍ଥିତିରେ ସରକାର କୋରୋନା ମୁକାବିଲା ପାଇଁ ଟଙ୍କା ଆବଶ୍ୟକ କରୁଥିବା ବେଳେ ସେମାନେ କିଛି ଟଙ୍କା ଜମା କରିବା ଉଚିତ ।