ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ଏକ ଫାର୍ମା କମ୍ପାନୀରେ ଗ୍ୟାସ ଲିକ୍ ମାମଲା ସାମ୍ନାକୁ ଆସିଛି। ଆଜି ସକାଳେ ଏହି ଘଟଣା ଘଟିଛି। ଏବେ ସୁଦ୍ଧା 10 ଜଣଙ୍କ ମୃତ୍ୟୁ ହୋଇଥିବା ଏନଡିଆରଏଫ୍ ଡିଜି ପ୍ରକାଶ ପାଇଛି ଏହାସହ ପ୍ରାୟ 1000 ଏହି ଘଟଣାରେ ଅସୁସ୍ଥ। ଅନ୍ୟପକ୍ଷେ 1500ରୁ ଉର୍ଦ୍ଧ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଉଛି । ଏହା ପରେ ସମଗ୍ର ସହରରେ ଉତ୍ତେଜନା ଦେଖାଦେଇଛି । ଅବସ୍ଥା ଏପର୍ଯ୍ୟନ୍ତ ନିୟନ୍ତ୍ରଣରେ ନାହିଁ। ସ୍ଥାନୀୟ ପ୍ରଶାସନ ଏବଂ ନୌସେନା କାରଖାନା ପାଖରେ ଥିବା ସମସ୍ତ ଗ୍ରାମକୁ ଖାଲି କରିଛନ୍ତି।
ଆର.ଆର ଭେଙ୍କଟାପୁରମରେ ଅବସ୍ଥିତ ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ ଲିକ ହୋଇଛି। ଏହି ବିଷାକ୍ତ ଗ୍ୟାସ ଯୋଗୁଁ କାରଖାନାର ତିନି କିଲୋମିଟର ପ୍ରଭାବିତ ହୋଇଛି । ଏହି ସମୟରେ ପାଞ୍ଚଟି ଗାଁକୁ ସ୍ଥାନାନ୍ତର କରାଯାଇଛି। ଶତାଧିକ ଲୋକ ମୁଣ୍ଡବିନ୍ଧା, ବାନ୍ତି ଏବଂ ଶ୍ବାସ ନେବାରେ ଅସୁବିଧା ସହିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସରକାରୀ ଡାକ୍ତରଖାନାରେ 10 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20 ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏଥିରେ ମୁଖ୍ୟତଃ ବୟସ୍କ ଓ ଶିଶୁ ରହିଛନ୍ତି । 150-170 ଜଣଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ଅନେକ ଲୋକଙ୍କୁ ଗୋପାଳପୁରମର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 1500-2000 ଶଯ୍ୟା ବ୍ୟବସ୍ଥା କରାଯାଇଛି ।
ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଦିନ 11 ଟାରେ ଏହି ଘଟଣା ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଡାକିଥିଲେ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ ଗୃହ ମନ୍ତ୍ରଣାଳୟ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏହି ଘଟଣାର ତଦାରଖ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ମଧ୍ୟ ଜର୍ଜ ହସ୍ପିଟାଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।
ସେ କହିଛନ୍ତି, ‘ମୁଁ ଗୃହ ମନ୍ତ୍ରଣାଳୟର ଅଧିକାରୀ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀଙ୍କ ସହ ବିଶାଖାପାଟନମ୍ ସ୍ଥିତିର ପରିସ୍ଥିତି ଉପରେ ନଜର ରଖିଛି। ମୁଁ ସମସ୍ତଙ୍କୁ ସୁରକ୍ଷିତ ଓ ମଙ୍ଗଳ କାମନା କରୁଛି’। ଅନ୍ୟପକ୍ଷେ ଭାରତୀୟ ନୌସେନା 5ଟି ଅଧିକ ଅମ୍ଲଜାନ ଗ୍ୟାସ ଜର୍ଜ ହସ୍ପିଟାଲକୁ ପଠାଇଛି । ଖବର ଅନୁଯାୟୀ, ନାଭାଲ୍ ଡକୟାର୍ଡ ବିଶାଖାପାଟନମ୍ (NDV) ର ଟେକ୍ନିକାଲ୍ ଟିମ୍ ହସ୍ପିଟାଲରେ ଅଛନ୍ତି, ଶ୍ବାସକ୍ରିୟାରେ ଅସୁବିଧା ଭୋଗୁଥିବା ଶହ ଶହ ଲୋକଙ୍କୁ ଅମ୍ଳଜାନ ଯୋଗାଇବା ପାଇଁ ଶୀଘ୍ର ବ୍ୟବସ୍ଥା କରିଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ଏହାସହ ଗୁରୁତରଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପକ୍ଷେ ପ୍ରାୟ 27 NDRF ନିୟୋଜିତ ଥିବା ବେଳେ 80-90 ପ୍ରତିଶତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ କର୍ମଚାରୀମାନେ ଘରୁ ବାହାରକୁ ଯାଇ ଏକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଅନୁରୋଧ କରୁଛନ୍ତି। ଏଥିସହ ପ୍ରଭାବିତ ଅଞ୍ଚଳକୁ ନ ଯିବାକୁ ଲୋକଙ୍କୁ ନିବେଦନ କରାଯାଇଛି।