ହାଇଦ୍ରାବାଦ: ଦୀର୍ଘ ଏକମାସରୁ ଊର୍ଦ୍ଧ୍ବ ସମୟ ଧରି ଆନ୍ଦୋଳନ ଜାରି ରଖିଥିବା ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ(ଟିଏସଆରଟିସି)ର କର୍ମଚାରୀମାନେ ଆଜି ଏକ ଶୋଭାଯାତ୍ରାରେ ବାହାରିଥିଲେ । ପୋଲିସର କଡ଼ା ନିୟମ କରିଥିବା ସତ୍ତ୍ବେ ଏହାକୁ ବେଖାତିର କରି ଶୋଭାଯାତ୍ରାରେ ବାହାରିଥିଲେ ଏହି କର୍ମଚାରୀମାନେ । ଚଲୋ ଟ୍ୟାଙ୍କ ବଣ୍ଡ ନାରା ଦେଇ ଶୋଭାଯାତ୍ରାରେ ଯାଇ ଏମାନେ ହୁସେନ ସାଗର ଅଞ୍ଚଳରେ ପହଞ୍ଚିଥିଲେ ।
ଶତାଧିକ ସଂଖ୍ୟାରେ ଏହି ଆନ୍ଦୋଳନକାରୀମାନେ ବ୍ୟାରିକେଡ଼ ଭାଙ୍ଗି ଟ୍ୟାଙ୍କ ବଣ୍ଡ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ତେବେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା । ତେବେ ଏହି ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ ହେଁ ଏହି ଆନ୍ଦୋଳନକାରୀଙ୍କୁ ପୋଲିସ ନିୟନ୍ତ୍ରଣ କରିପାରିନଥିବା ଜଣାପଡ଼ିଛି । ଫଳରେ ପୋଲିସ ସେମାନଙ୍କୁ ଉପରେ ଲାଠିଚାର୍ଜ କରିଥିବା ଜଣାପଡ଼ିଛି । ଲାଠିଚାର୍ଜ ଫଳରେ କିଛି ଆନ୍ଦୋଳନକାରୀମାନେ ଆହତ ହୋଇଥିବା ସୂଚନା ରହିଛି । ଏହି ଆନ୍ଦୋଳନକାରୀଙ୍କୁ ବିଭିନ୍ନ ରାଜନୈତିକ ଦଳମାନେ ସମର୍ଥନ ଜଣାଇଛନ୍ତି ।
ସେପଟେ ଏହି ଆନ୍ଦୋଳନ ସମ୍ପର୍କରେ ସୂଚନା ପାଇ ସୁରକ୍ଷା ଦୃଷ୍ଟିରୁ ଶନିବାର ସକାଳୁ ଟ୍ୟାଙ୍କ ବଣ୍ଡ ଏବଂ ଏହାର ଚତୁଃପାର୍ଶ୍ବକୁ ପୋଲିସ ବ୍ୟାରିକେଡ଼ କରିଥିଲା । ଟ୍ୟାଙ୍କ ବଣ୍ଡ, ଲୋୟର ଟ୍ୟାଙ୍କ ବଣ୍ଡ, ତେଲୁଗୁ ତାଲି ଫ୍ଲାୟ ଓଭର, ଇନ୍ଦିରା ପାର୍କ, ସେକ୍ରେଟାରିଏଟ ରୋଡ଼, ନେକଲେସ ରୋଡ଼, ଖୈରତାବାଦ ଫ୍ଲାଏଓଭର ଏବଂ ଏହି ଅଞ୍ଚଳ ସଂଲଗ୍ନ ଅନ୍ୟ ରାସ୍ତା ଗୁଡ଼ିକୁ ମଧ୍ୟ ପୋଲିସ ସୁରକ୍ଷା ପାଇଁ ବ୍ୟାରିକେଡ଼ିଂ କରିଦେଇଥିଲା ।