ନୂଆଦିଲ୍ଲୀ: ସିଏଏକୁ ନେଇ ଦେଶର ଅଧିକାଂଶ ଅଞ୍ଚଳରେ ଦେଖାଯାଇଛି ବିକ୍ଷୋଭ । ଅନେକ ସ୍ଥାନରେ ଏହାକୁ ନେଇ ପ୍ରତିବାଦ ପ୍ରଦର୍ଶନ ମଧ୍ୟ କରାଯାଇଛି । ସେହିପରି ନାଗରିକତା ସଂଶୋଧନ ସମକ୍ଷରେ ସମର୍ଥନ ଜଣାଇ ମଧ୍ୟ ଶୋଭାଯାତ୍ରା କରାଯାଉଛି । ଏଭଳି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରକାଶ କରିଛନ୍ତି ପ୍ରତିକ୍ରିୟା ।
‘ଅଧିକାର ଅଛି, ଶାନ୍ତିପୂର୍ଣ୍ଣ ପ୍ରତିବାଦ କର’ - ନାଗରିକତା ସଂଶୋଧନ ଆଇନ
ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଦେଖାଯାଉଥିବା ହିଂସା ଘଟଣାକୁ ନିନ୍ଦା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ଦେଶରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ରହିଛି କିନ୍ତୁ ପ୍ରତିବାଦ ଶାନ୍ତିପୂର୍ଣ୍ଣ ହେଉ । ଏକାସଙ୍ଗରେ ସାମ୍ବିଧାନିକ ପଦ୍ଧତି ଓ ହିଂସା ଚାଲିପାରିବ ନାହିଁ ବୋଲି ସେ କହିଛନ୍ତି ।
![‘ଅଧିକାର ଅଛି, ଶାନ୍ତିପୂର୍ଣ୍ଣ ପ୍ରତିବାଦ କର’ vicepresident](https://etvbharatimages.akamaized.net/etvbharat/prod-images/768-512-5527280-thumbnail-3x2-caa.jpg)
vicepresident
ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ରହିଛି । ତେବେ ଏହା ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । କୌଣସି ପ୍ରସଙ୍ଗ ଉପରେ ଆଲୋଚନା ବା ପ୍ରତିବାଦ କଲାବେଳେ ତାହାକୁ ଜାତି ଓ ଧର୍ମର ରଙ୍ଗ ଦିଆଯିବା ଉଚିତ ନୁହେଁ। ଜନସାଧାରଣ ଓ ରାଜନୈତିକ ଦଳମାନଙ୍କୁ ଆହ୍ବାନ ଦେଇ ଏପରି କହିଛନ୍ତି ଉପରାଷ୍ଟ୍ରପତି ।
ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସ୍ବର୍ଗତ ଅରୁଣ ଜେଟ୍ଲୀଙ୍କ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଭେଙ୍କୟା କହିଛନ୍ତି, ଗଣତନ୍ତ୍ରରେ ନାହିଁ ହିଂସାର ସ୍ଥାନ। ତେଣୁ ସାମ୍ବିଧାନିକ ପଦ୍ଧତି ଓ ହିଂସା ଏକସଙ୍ଗେ ଚାଲିପାରିବେ ନାହିଁ ।