ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ଗୁରୁବାର ରାଜ୍ୟରେ କୋରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ 1 ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ କଣ୍ଟେନମେଣ୍ଟ ଜୋନରେ ରହିଥିବା ଲୋକଙ୍କୁ ସରକାରୀ ନିର୍ଦ୍ଦେଶାନାମା ଓ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଏକ ଭିଡିଓ କନଫରେନ୍ସିଂ ବୈଠକରେ ଯୋଗ ଦେଇ କହିଛନ୍ତି, ‘ଉତ୍ତରାଖଣ୍ଡରେ କୋରୋନା ରୋଗୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ସଂପର୍କୀୟଙ୍କୁ 1 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହା ସହ ରାଜ୍ୟର ଜନତା ମାସ୍କ ତଥା ସାମାଜିକ ଦୂରତାର ଆବଶ୍ୟକତା ବିଷୟରେ ସଚେତନ ହେବା ଉଚିତ । ଏପରିକି କଣ୍ଟେନମେଣ୍ଟ ଜୋନ ବାହାରେ ମଧ୍ୟ ଯେଉଁମାନେ ଗାଇଡଲାଇନ ପାଳନ କରୁନାହାଁନ୍ତି, ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।
ଗୁରୁବାର ଉତ୍ତରାଖଣ୍ଡରେ 60ଟି ନୂତନ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଥିବା ବେଳେ ମୋଟ ମାମଲା 1ହଜାର 1ଶହ 45ରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଉତ୍କଳ କୁମାର ସିଂ କୋରୋନା ପରୀକ୍ଷଣ ବୃଦ୍ଧି କରିବା ସହ କଣ୍ଟ୍ରାକ୍ଟ ଟ୍ରେସିଂ ଉପରେ ବିଶେଷ ଧ୍ୟାନ ଦେବାକୁ କହିଛନ୍ତି । କୋରୋନା ସଂକ୍ରମଣ ରୋକିବା ପାଇଁ ସାନିଟାଇଜେସନ ପାଇଁ ପ୍ରତି ସପ୍ତାହର ଶନିବାର ଓ ରବିବାର ଡେରାଡୁନ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।