ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଘଟଣାରେ ବିଶ୍ବବ୍ୟାପୀ ଭାରତ ପାଇଁ ସମବେଦନାର ସୁଅ ଛୁଟୁଛି । ଆତଙ୍କବାଦ ବିରୋଧରେ ଲଢ଼ିବାକୁ ବହୁ ବିଶ୍ବଶକ୍ତି ଭାତରର ସାଥ ଦେବାକୁ ଆଗେଇ ଆସିଛନ୍ତି । ଇତିମଧ୍ୟରେ ଋଷ, ଇସ୍ରାଏଲ ଭଳି ରାଷ୍ଟ୍ର ନିଜ ନିଜର ପୂର୍ଣ୍ଣ ସମର୍ଥନ ଜଣାଇସାରିଥିବା ବେଳେ ଆମେରିକା ମଧ୍ୟ ସହଯୋଗର ହାତ ବଢ଼ାଇଛି ।
ଭାରତର 'ଆତ୍ମରକ୍ଷା' ଅଧିକାରକୁ ଆମେରିକାର ସମର୍ଥନ - Pulwama attack
ପୁଲୱାମା ଆକ୍ରମଣକୁ ନିନ୍ଦା କରିବା ପରେ ଭାରତକୁ ସହଯୋଗର ହାତ ବଢ଼ାଇଲା ଆମେରିକା । ଆତଙ୍କବାଦ ବିରୋଧୀ ଲଢ଼େଇରେ ସାଥ ଦେବା ନେଇ ପ୍ରତିଶୃତି ।
ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଜନ ବଟଲନ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ସେ ଆତ୍ମରକ୍ଷା ଲାଗି ଭାରତର ଅଧିକାରକୁ ସମର୍ଥନ ଜଣାଇଛନ୍ତି । ଏଥିସହ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମେରିକା ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛନ୍ତି । ୱାସିଂଟନ ଠାରେ ଖବର ସରବରାହ ସଂସ୍ଥା ପିଟିଆଇକୁ ସ୍ବତନ୍ତ୍ର ବିବୃତି ଦେବା ଅବସରରେ ସେ ପୁଲୱାମା ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ହ୍ବାଇଟ ହାଉସ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି । ଆମେରିକା ସେକ୍ରେଟାରୀ ଅଫ୍ ଷ୍ଟେଟ ମାଇକ ପୋମ୍ପିଓ ସିଧାସଳଖ ଇସଲାମାବାଦକୁ କଡ଼ା ଚେତାବନୀ ଦେଇଛନ୍ତି । 'ଆତଙ୍କବାଦୀ ସଂଗଠନଙ୍କୁ ସହଯୋଗ କରିବା ପାକିସ୍ତାନ ବନ୍ଦ କରୁ ଏବଂ ସେମାନଙ୍କୁ ସୁରକ୍ଷିତ ଭୂସ୍ବର୍ଗ ପ୍ରଦାନ କରିବା କାର୍ଯ୍ୟରୁ ବିରତ ରହୁ ।' ଏଭଳି ଭାବେ ନିଜର ପକ୍ଷ ରଖିଛି ଆମେରିକା ।