ଲକ୍ଷ୍ନୌ: କୋଭିଡ-19 ସଂକ୍ରମିତଙ୍କୁ ରେଲୱେ ଆଇସୋଲେସନ କୋଚରେ ରଖିବାରେ ଉତ୍ତରପ୍ରଦେଶ ପ୍ରଥମ ରାଜ୍ୟ ହୋଇପାରିଛି । ରେଳବାଇର ଅଣ-ଏସି କୋଚରେ ପ୍ରସ୍ତୁତ ଆଇସୋଲେସନ କୋଚକୁ ମଉ ଷ୍ଟେସନରେ ନିୟୋଜିତ କରାଯାଇଛି । ଯେଉଁଥିରେ ଏପର୍ଯ୍ୟନ୍ତ କୋଭିଡ-19ର 59 ସନ୍ଦିଗ୍ଧ ଏଥିରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ସେଥିମଧ୍ୟରୁ 8 ଜଣ ସଂକ୍ରମିତ ସୁସ୍ଥ ହେବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିବା ରେଳ ଅଧିକାରୀ କହିଛନ୍ତି ।
ରେଳ ବିଭାଗ ଅନୁଯାୟୀ, ରେଳବାଇର କୋରୋନା କେୟାର ସେଣ୍ଟରଗୁଡ଼ିକ ସଂକ୍ରମିତଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ନାନ ପାଇଁ ସାୱାର, ମଶାଜାରୀ, ବାୟୋ ଟଏଲେଟ, ଚାର୍ଜର ପ୍ଲଗ୍, ଅମ୍ଳଜାନ ସିଲିଣ୍ଡର ଏବଂ ଅନ୍ୟାନ୍ୟ ସୁବିଧା ଅନ୍ତର୍ଭୁକ୍ତ ହୋଇଛି ।
ମଉ ରେଳ ଷ୍ଟେସନର ଅଧିକାରୀ କହିଛନ୍ତି ଯେ, ବଗିରେ ବଡ଼ ଆକାରର ପଙ୍ଖା ଲଗାଯାଇଛି। ଏହା ସହିତ ବାୟୁ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି।
ଉତ୍ତାପକୁ ରୋକିବା ଏବଂ ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ କୋଚଗୁଡ଼ିକର ଛାତ ଏକ ସ୍ୱତନ୍ତ୍ର ବସ୍ତୁ ଦ୍ବାରା ଆଚ୍ଛାଦିତ କରାଯାଇଛି । କୋଭିଡ କେୟାର ସେଣ୍ଟରକୁ ଥଣ୍ଡା ରଖିବା ପାଇଁ ରେଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପେଣ୍ଟ ଏବଂ ବାଉଁଶ ବାଡ଼ି ବ୍ୟତୀତ 'ବବୁଲ ରାପ୍ସ' ଭଳି ନୂତନ ପଦ୍ଧତି ବ୍ୟବହାର କରାଯାଇଛି । ରେଳବାଇ କହିଛି ଯେ ଏହି କୋଚଗୁଡିକ ସିଟ ଦ୍ୱାରା ଆଚ୍ଛାଦିତ ହୋଇଛି ଯାହା ଦ୍ବାରା ଏହା ଭିତର ଥଣ୍ଡା ରହିପାରିବ।
ସୂଚନାମୁତାବକ, କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର 5ଟି ରାଜ୍ୟରେ 960 କୋଚ ନିୟୋଜିତ ହୋଇଛି ।