ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାର ଜିଦ ଧରି ବସିଛନ୍ତି ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର । ପୀଡିତାଙ୍କ ମୃତଦେହ ତାଙ୍କ ଗ୍ରାମରେ ପହଞ୍ଚି ସାରିଛି । କଡା ସୁରକ୍ଷା ମଧ୍ୟରେ ତାଙ୍କ ଅନ୍ତିମ ସଂସ୍କାରର ସମସ୍ତ ପ୍ରସ୍ତୁତି ମଧ୍ୟ ହୋଇସାରିଛି । କିନ୍ତୁ ଅନ୍ତିମ ସଂସ୍କାର ପାଇଁ ରାଜି ହେଉନାହାନ୍ତି ପୀଡିତାଙ୍କ ପରିବାର । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଉନ୍ନାଓ ଆସି ପରିବାର ସହ ସାକ୍ଷାତକାର ନକରିବା ପର୍ଯ୍ୟନ୍ତ ସେମାନେ ପୀଡିତାଙ୍କ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି ଅଡି ବସିଛନ୍ତି ।
'ମୁଖ୍ୟମନ୍ତ୍ରୀ ଯୋଗୀ ନଆସିବା ପର୍ଯ୍ୟନ୍ତ ହେବ ନାହିଁ ଅନ୍ତିମ ସଂସ୍କାର' - ଉନ୍ନାଓ ଗଣଦୁଷ୍କର୍ମ
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉନ୍ନାଓ ଆସି ପରିବାର ସହ ସାକ୍ଷାତକାର ନକରିବା ପର୍ଯ୍ୟନ୍ତ ସେମାନେ ପୀଡିତାଙ୍କ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି ପୀଡିତାଙ୍କ ପରିବାର ଅଡି ବସିଛନ୍ତି ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ସେମାନେ ନିଜ ପକ୍ଷ ରଖିବାକୁ ଚାହୁଁଛନ୍ତି । ସେମାନଙ୍କୁ ନ୍ୟାୟ ଆବଶ୍ୟକ, କିନ୍ତୁ କୋର୍ଟଙ୍କଠାରୁ ନ୍ୟାୟର ଆଶା ନାହିଁ । କାରଣ ସେମାନେ ଆର୍ଥିକ ରୂପରେ ଖୁବ ଦୁର୍ବଳ । କୋର୍ଟ କେବଳ ଧନି ଲୋକଙ୍କ ପାଇଁ । ତାଙ୍କ ପାଖରେ ମୋକଦ୍ଦମା ଲଢିବା ପାଇଁ ଅର୍ଥ ନାହିଁ ବୋଲି ପୀଡିତାଙ୍କ ଭଉଣୀ କହିଛନ୍ତି । ଏହା ସହିତ ସରକାର ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ମଧ୍ୟ ଦିଅନ୍ତୁ ବୋଲି ପରିବାର ଲୋକେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ଶନିବାର ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର । ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଦିଆଯିବ ଏବଂ ଏହି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।