ନୂଆଦିଲ୍ଲୀ: ଦୁଇଦିନ ଧରି ମରଣ ସହ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଉନ୍ନାଓ ଦୁଷ୍କର୍ମ ପୀଡିତା । ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପାଖପାଖି 11.40ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ପୀଡିତା - ଉନ୍ନାଓ ଗଣଦୁଷ୍କର୍ମ ମାମଲା
ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ହୋଇଛି । ଗତ ଗୁରୁବାର ପୀଡିତା ଜଣଙ୍କ କୋର୍ଟକୁ ଯିବା ସମୟରେ ଅଭିଯୁକ୍ତ ଶୁଭମ୍ ଏବଂ ତାର 4 ଜଣ ସାଥୀ ପୀଡିତାଙ୍କ ଉପରେ କିରୋସିନି ଢାଳି ଜିଅନ୍ତା ଜାଳିଥିଲେ ।
ସଫଦରଜଙ୍ଗ ଡାକ୍ତରଖାନାର ବର୍ଣ୍ଣ ଏବଂ ପ୍ଲାଷ୍ଟିକ ବିଭାଗର ଡାକ୍ତର ସଲାବ କୁମାରଙ୍କ କହିବାନୁଯାୟୀ, ପୀଡିତା କାର୍ଡିଆକ୍ ଆରେଷ୍ଟରେ ପୀଡିତ ଥିଲେ । ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ସବୁ ପ୍ରକାର ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ ।
ସୂଚନାଯୋଗ୍ୟ, ଗତ 2018 ଡିସେମ୍ବର 10ରେ ଦୁଇଜଣ ଯୁବକ ଶୁଭମ୍ ଏବଂ ଶିବମ୍ ପୀଡିତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏହାପରେ ପୀଡିତା ଜଣଙ୍କ 2019 ମାର୍ଚ୍ଚ ମାସରେ ଲାଲଗଞ୍ଜ ଥାନାରେ ଏନେଇ ଏକ ଅଭିଯୋଗ କରିଥିଲେ । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଶୁଭମଙ୍କୁ ଗିରଫ କରିଥିଲେ । ମାତ୍ର କିଛି ମାସ ପରେ ଶୁଭମକୁ ଜାମିନ ମିଳିବା ପରେ ସେ ଜେଲରୁ ବାହାରିଥିଲା । ତେବେ ଗୁରୁବାର ପୀଡିତା ଜଣଙ୍କ କୋର୍ଟକୁ ଯିବା ସମୟରେ ଶୁଭମ ଏବଂ ତାର 4 ଜଣ ସାଥୀ ପୀଡିତାଙ୍କ ଉପରେ କିରୋସିନି ଢାଳି ଜିଅନ୍ତା ଜାଳିଥିଲେ । ଏଥିରେ ପୀଡିତାଙ୍କ ଶରୀରର 90 ପ୍ରତିଶତ ଜଳିଯାଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସଫଦରଜଙ୍ଗରେ ଭର୍ତ୍ତି କରାଯାଇଥିଲା ।