ଭୋପାଳ: ଆଜି ପବିତ୍ର ଜନ୍ମାଷ୍ଟମୀ । ସାରା ଦେଶ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିବାରେ ବ୍ୟସ୍ତ । ଲହୁଣୀ ଚୋରି ହେଉ ଅବା ବନ୍ଧୁତ୍ବ ପାଳନ । ଅବା ଗୀତାର ଉପଦେଶ ହେଉ ବା ଧର୍ମର ସ୍ଥାପନା, ସବୁଥିରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସାରଥୀ ଭାବେ ଭକ୍ତମାନେ ପାଇ ଆସିଛନ୍ତି । ଦେଶର କୋଣ ଅନୁକୋଣରେ ତାଙ୍କର ପୂଜା କରାଯାଉଛି । ମଧ୍ୟପ୍ରଦେଶର ଏଭଳି ଏକ ମନ୍ଦିର ରହିଛି ଯେଉଁଠାରେ ଶ୍ରୀକୃଷ୍ଣଙ୍କ ସହିତ ଜଡିତ ଅନେକ କାହାଣୀ ସାମିଲ ରହିଛି ।
ମଧ୍ୟପ୍ରଦେଶର ଧାର ଅନ୍ତର୍ଗତ ଅମଝୋରା ଅଞ୍ଚଳରେ ରହିଛି ଏହି ମନ୍ଦିର । ଅମକା-ଝମକା ଭାବେ ଏହାର ପରିଚୟ ରହିଛି । ପୁରାଣ ଅନୁଯାୟୀ ଏହି ମନ୍ଦିର ଦ୍ବାପର ଯୁଗର । ରୁକ୍ମିଣୀଙ୍କୁ ହରଣ କରିବା ପରେ ଏଠାରେ ସେ ତାଙ୍କୁ ବିବାହ କରିଥିବା ଜଣାଯାଏ । ଦ୍ବାପର ଯୁଗରେ ଏହି ଅଞ୍ଚଳ କୁନ୍ଦନପୁର ଭାବେ ପରିଚୟ ଲାଭ କରିଥିଲା । କୁନ୍ଦନପୁରକୁ ତତ୍କାଳୀନ ରାଜା ଭୀଷ୍ମକ ଶାସନ କରୁଥିଲେ । ରାଜାଙ୍କର 5 ପୁତ୍ର ସହିତ ଗୋଟିଏ ଝିଅ ଥିଲା । ଯାହାର ନାମ ରୁକ୍ମିଣୀ ଥିଲା ।
ତେବେ ରୁକ୍ମିଣୀ ଭଗବାନ ଶ୍ରୀକୃଷ୍ଣଙ୍କୁ ଭଲପାଉଥିଲେ । ତାଙ୍କୁ ସ୍ବାମୀଭାବେ ପାଇବା ପାଇଁ ମନେ ମନେ ସ୍ଥିର କରିଥିଲେ ରୁକ୍ମିଣୀ । କିନ୍ତୁ ଅନ୍ୟପଟେ ରାଜା ଭିଷ୍ମକ ଝିଅ ରୁକ୍ମିଣୀଙ୍କୁ ଚନ୍ଦେରୀ ରାଜ୍ୟର ରାଜା ଶିଶୁପାଳଙ୍କୁ ବିବାହ ଦେବା ପାଇଁ ସ୍ଥିର କରିଥିଲେ । ତେବେ ଏ ବିଷୟରେ ସୂଚନା ପାଇବା ପରେ ରୁକ୍ମିଣୀ ବିଚଳିତ ହୋଇ ପଡ଼ିଥିଲେ ।