ନୂଆଦିଲ୍ଲୀ: କୋଭିଡ ସଂକଟ ଭିତରେ ସଂସଦରେ ଉପସ୍ଥାପନା ହୋଇଛି ସାଧାରଣ ବଜେଟ । ଆର୍ଥିକ ବର୍ଷ 2021-22 ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ କୃଷି, ସ୍ବାସ୍ଥ୍ୟକୁ ସରକାର ବେଶ ଗୁରୁତ୍ବ ଦେଇଥିବା ବେଳେ ନିର୍ବାଚନ ଛାପ ମଧ୍ୟ ଛାଡି ନାହାଁନ୍ତି ।
ଚଳିତ ବର୍ଷ ହେବାକୁ 4 ଟି ରାଜ୍ୟ ବିଧାନସଭା ନିର୍ବାଚନକୁ ଦୃଷ୍ଟିର ରଖି ସରକାର ସଂପୃକ୍ତ ରାଜ୍ୟ ଗୁଡିକରେ ପ୍ରକଳ୍ପର ବର୍ଷା କରିଛନ୍ତି । ଏଥିପାଇଁ ବଜେଟରେ ସ୍ବତନ୍ତ୍ର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଚଳିତ ବର୍ଷ 35 ଶହ କିମି ନୂଆ ଜାତୀୟ ରାଜପଥ ନିର୍ମାଣ ହେବ । ତାମିଲନାଡୁ ରୁ କେରଳ ଓ ଆସାମରୁ ପଶ୍ଟିମବଙ୍ଗ ମଧ୍ୟରେ ଏହି ରାଜମାର୍ଗ ନିର୍ମାଣ ହେବ । ଏହି ରାଜ୍ୟ ଗୁଡିକ ପାଇଁ ଟେକ୍ସଟାଇଲ ପାର୍କରୁ ଆରମ୍ଭ କରି, ଅର୍ଥନୈତିକ କରିଡର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ତାମିଲନାଡୁ ଓ ପଶ୍ଚିମବଙ୍ଗ ଉଭୟ ରାଜ୍ୟରେ ସରକାର ନିର୍ବାଚନ ଛାପ ଛାଡିବାକୁ ପ୍ରୟାସ କରିଛନ୍ତି ।
ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ତାମିଲନାଡୁରେ ଜାତୀୟ ରାଜପଥ ପ୍ରକଳ୍ପରେ 10.3 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ଅର୍ଥନୈତିକ କରିଡର ନିର୍ମାଣ ହେବ । ସେହିପରି କେରଳରେ 11 ଶହ କିମିର ଲମ୍ବା ଜାତୀୟ ରାଜପଥ ନିର୍ମାଣ ହେବ । ଖର୍ଚ୍ଚ ହେବ 65 ହଜାର କୋଟି ଟଙ୍କା । ଏହାବାଦ ମୁମ୍ବାଇ-କନ୍ୟାକୁମାରୀ ଅର୍ଥନୈତିକ କରିଡର ନିର୍ମାଣ ହେବ । ଏହି ପ୍ରକଳ୍ପ ରାଜ୍ୟର ଭିତ୍ତିଭୂମି ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି ।
ବଜେଟରୁ ବେଙ୍ଗଲ ସ୍ବାଗତ
ଅର୍ଥମନ୍ତ୍ରୀ ଆଜି ପଶ୍ଚିମବଙ୍ଗ ପାଇଁ ମଧ୍ୟ ଶୁଭଦୃଷ୍ଟି ଦେଇଛନ୍ତି । ଯଦିଓ ରାଜ୍ୟରେ କିଛି ମାସ ପରେ ବିଧାନସଭା ନିର୍ବାଚନ ଅଛି ସେଥିପାଇଁ ବେଙ୍ଗଲକୁ ବଜେଟରେ ଗୁରୁତ୍ବ ଦିଆଯାଇଛି । ରାଜ୍ୟପାଇଁ କୋଲକାତା- ସିଲିଗୁଡି ଜାତୀୟ ରାଜପଥ ପ୍ରକଳ୍ପ ଘୋଷଣା ହୋଇଛି । ଏଥିପାଇଁ ଖର୍ଚ୍ଚ ହେବ 25 ହଜାର କୋଟି । ନିର୍ମାଣ ହେବ 1 ହଜାର କିମି ଜାତୀୟ ରାଜପଥ । ଯେଉଁଥିରେ ଏହି ପ୍ରକଳ୍ପର ମରାମତି ବ୍ୟୟ ମଧ୍ୟ ସାମିଲ ଅଛି । ଖାଲି ଏତିକି ନୁହେଁ ଜାତୀୟ ରେଳ ଯୋଜନା 2030 ଅଧିନରେ କେରଳ ଓ ତାମିଲନାଡୁ ପାଇଁ କେନ୍ଦ୍ର ସରକାର ମେଟ୍ରୋ ପ୍ରକଳ୍ପର ବିସ୍ତାର ଘୋଷଣା କରିଛନ୍ତି । ଯେଉଁଥିରେ କୋଚି ଓ ଚେନ୍ନାଇ ମେଟ୍ରୋର ବିସ୍ତାର ପ୍ରସ୍ତାବ ରହିଛି । ସେହିପରି ଦେଶର ପ୍ରମୁଖ 5 ଟି ମାଛଧରା ହବ ବିକଶିତ ପାଇଁ ଯେଉଁ ପ୍ରସ୍ତାବ ରହିଛି ସେଥିରେ ତାମିଲନାଡୁକୁ ମଧ୍ୟ ପ୍ରଧାନ୍ୟ ଦିଆଯାଇଛି ।