ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ ବୁଧବାର କାଶ୍ମୀର ପ୍ରସଙ୍ଗରେ ପୁଣିଥରେ ଆଲୋଚନା କରିଛନ୍ତି। ତେବେ ଏହା କୌଣସି ଏଜେଣ୍ଡା ଭିତ୍ତିକ ବୈଠକ ନୁହେଁ ବରଂ ପୂର୍ବଭଳି ଏକ ରୁଦ୍ଧଦ୍ଵାର ବୈଠକ ବୋଲି କୁହାଯାଇଛି । ଗତ ୬ ମାସ ଭିତରେ କାଶ୍ମୀର ପ୍ରସଙ୍ଗକୁ ଭିତ୍ତିକରି ଏହା ଜାତିସଂଘ ସୁରକ୍ଷା ପରିଷଦର ଦ୍ଵିତୀୟ ରୁଦ୍ଧ ଦ୍ଵାର ବୈଠକ। ଯଦିଓ ଏହି ବୈଠକରୁ କୌଣସି ନିର୍ଯାସ ଆଶା କରାଯାଉ ନାହିଁ । କିନ୍ତୁ ବାରମ୍ବାର ଚୀନ ଏ ପ୍ରସଙ୍ଗରେ ସୁରକ୍ଷା ପରିଷଦର ଦୃଷ୍ଟି ଆକର୍ଷଣ କରିବାକୁ ଯାଉଛି। ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପାକିସ୍ତାନ ପକ୍ଷରୁ ଚୀନ, ଜମ୍ମୁ ଓ କାଶ୍ମୀରକୁ କେନ୍ଦ୍ରକରି ବିଭିନ୍ନ ପ୍ରସଙ୍ଗକୁ ଉଠାଇବାକୁ ଯାଉଛି । ଧାରା ୩୭୦ ଉଚ୍ଛେଦ ଏବଂ ତତ୍ପର ସ୍ଥିତିରେ କଶ୍ମୀରର ସ୍ଥିତିକୁ ଏଠାରେ ଅନୁଧ୍ୟାନ ପାଇଁ ଚୀନ ଦାବି କରିଥିବା ଜଣାପଡ଼ିଛି ।
ଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଗତ ଅଗଷ୍ଟ ମାସରେ ଜମ୍ମୁ ଓ କାଶ୍ମୀରକୁ ଦିଆଯାଇଥିବା ରାଜ୍ୟ ମାନ୍ୟତାକୁ ପ୍ରତ୍ୟାହାର କରାଯାଇ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ଦ୍ଵାରା ପୂର୍ବରୁ ଜମ୍ମୁ ଓ କଶ୍ମୀର ରାଜ୍ୟ ପାଉଥିବା ସ୍ଵତନ୍ତ୍ର କ୍ଷମତା ପ୍ରତ୍ୟାହୃତ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ ସେଠାରେ ବିଶିଷ୍ଟ ରାଜନୀତିକ ନେତା ତଥା ତିନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଟକ ରଖାଯିବା, ସେଠାରେ ଯୋଗାଯୋଗ ବିଚ୍ଛିନ୍ନ ହେବା ଆଦି ପ୍ରସଙ୍ଗକୁ ଭିତ୍ତିକରି ପାକିସ୍ତାନ ଲଗାତାର ଆନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛି। ଏହିକ୍ରମରେ ଚୀନ ପାକିସ୍ତାନ ପକ୍ଷଭୁକ୍ତ ହୋଇ ଏହି ପ୍ରସଙ୍ଗକୁ ଜାତିସଂଘଙ୍କ ସୁରକ୍ଷା ପରିଷଦର ଦୃଷ୍ଟି ଆକର୍ଷଣ କରିବାକୁ ଡିସେମ୍ବର ମାସରେ ଉଦ୍ୟମ କରିଥିଲା କିନ୍ତୁ ତାହା ବିଫଳ ହୋଇଥିଲା।
ଏହି ରୁଦ୍ଧଦ୍ଵାର ବୈଠକରେ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କ ସହ ୧୦ ଅସ୍ଥାୟୀ ସଦସ୍ୟ ଉପସ୍ଥିତ ଥିଲେ। ନିୟମ ଅନୁସାୟୀ, ଏହିପରି ରୁଦ୍ଧଦ୍ଵାର ବୈଠକରେ କୌଣସି ପ୍ରସଙ୍ଗ ବାବଦରେ ସଂକଳ୍ପ ପାରିତ କରାଯିବ ନାହିଁ। ଏହାକୁ ଅନ୍ୟ କାର୍ଯ୍ୟକ୍ରମ ଏଜେଣ୍ଡା ଭାବରେ ବିବେଚନା କରାଯିବ। ଆଲୋଚନା ପୂର୍ବରୁ ସୁରକ୍ଷା ପରିଷଦର ଅନ୍ୟତମ ସ୍ଥାୟୀ ସଦସ୍ୟ ତଥା ଭିଟୋ ଅଧିକାରୀ ଫ୍ରାନ୍ସ ଏହାର ପୂର୍ବ ଆଭିମୁଖ୍ୟକୁ ପୁନରାବୃତ୍ତି କରି କହିଛନ୍ତିଯେ, ପରିଷଦର ଅନ୍ୟତମ ସଦସ୍ୟ ଚୀନ, କଶ୍ମୀର ପ୍ରସଙ୍ଗକୁ ଆଉଥରେ କାଉନ୍ସିଲରେ ଉପସ୍ଥାପନ କରିବାକୁ ଚାହିଁଛନ୍ତି। ହେଲେ ଫ୍ରାନ୍ସର ଆଭିମୁଖ୍ୟରେ ଏହା କୌଣସି ପ୍ରଭାବ ପକାଇବ ନାହିଁ। କଶ୍ମୀର ପ୍ରସଙ୍ଗରେ ଫ୍ରାନ୍ସ ସବୁବେଳେ କହି ଆସୁଛି ଯେ, ଏହା ଏକ ଦ୍ଵିପାକ୍ଷିକ ପ୍ରସଙ୍ଗ। ଭାରତ-ପାକିସ୍ତାନ ମଧ୍ୟରେ ଆଲୋଚନା ଦ୍ଵାରା ଏହି ପ୍ରସଙ୍ଗକୁ ପ୍ରଶମିତ କରାଯାଇପାରିବ। ଏହାକୁ ଆମେ ବାରମ୍ବାର କହିଛୁ ଏବଂ ଏବେ ବି ସେହି କଥାକୁ ପୁଣିଥରେ ଉପସ୍ଥାପନ କରିବୁ’ ବୋଲି ଫ୍ରାନ୍ସ ସ୍ପଷ୍ଟ କରିଛି ।