ଅଧିକାଂଶ ସମୟରେ ଆମେ ଦେଖିଛେ ଯେ, ଲୋକଙ୍କର ତ୍ୱଚାରେ ସ୍ଥାନେ ସ୍ଥାନେ କଳାଦାଗ ଥାଏ, ଯାହା କି ସ୍ୱାଭାବିକ ସ୍କିନ ଟୋନ୍ଠାରୁ ଅଲଗା । ଏହା ‘ହାଇପରପିଗମେଂଟେସନ’ ନାମରେ ପରିଚିତ । ଏହା ଗୁରୁତର ସ୍ଥିତି ନୁହେଁ ଓ କ୍ଷତିକାରକ ବି ହୋଇ ନ ଥାଏ । ‘ହାଇପରପିଗମେଂଟେସନ’ବାବଦରେ ଅଧିକ ଜାଣିବା ପାଇଁ ଆମେ କାୟା କ୍ଲିନିକ୍ସ ଇଣ୍ଡିଆର ମେଡିକାଲ ହେଡ୍ ଡକ୍ଟର ସୁଶାନ୍ତ ସେଟ୍ଟୀଙ୍କ ସହ ଆଲୋଚନା କରିଥିଲୁ । ସେ କହନ୍ତି ଯେ, ସ୍ୱାଭାବିକ ସ୍କିନ୍ ଟୋନଠାରୁ ଅଧିକ କଳା ଦାଗ ତ୍ୱଚାରେ ଦେଖାଗଲେ ତାହା ହାଇପରପିଗମେଂଟେସନ କୁହାଯାଏ । ଏହାର କାରଣକୁ ତିନିଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଅନୁବଂଶୀୟ, ହରମୋନାଲ୍ ଓ ପ୍ରାପ୍ତ ( ଆକ୍ୱାୟର୍ଡ) ଏହି ଭଳି ତିନିଟି ଶ୍ରେଣୀରେ ହାଇପରପିଗମେଂଟେସନକୁ ବିଭକ୍ତ କରାଯାଇପାରେ । ଏହା ଏକ ଛୋଟ ପ୍ୟାଚ୍ ହୋଇପାରେ ବା ସମଗ୍ର ଶରୀରରୁ ପ୍ରଭାବିତ କରିପାରେ ।
ଆମ ବିଶେଷଜ୍ଞଙ୍କ କହିବା ଅନୁସାରେ ହାଇପରପିଗମେଂଟେସନ କିଛି ପ୍ରକାର ଭେଦ ନିମ୍ନରେ ଦିଆଗଲା ।
- ମେଲାସ୍ମା – ହରମୋନାଲ ପରିବର୍ତ୍ତନ ହେଲେ ମେଲାସମା ସ୍ଥିତି ସୃଷ୍ଟି ହୋଇଥାଏ ବୋଲି କୁହାଯାଏ । ଏହା ବିଶେଷ କରି ମହିଳାମାନଙ୍କଠାରେ ଦେଖାଯାଏ । ଗର୍ଭବତୀ ଥିବା ବେଳେ ସେମାନଙ୍କ ପେଟରେ ଓ ମୁହଁରେ ମେଲାସ୍ମା ଦେଖାଯାଏ । ପୁରୁଷମାନେ ବି ଏହା ଦ୍ୱାରା ପ୍ରଭାବିତ ହୁଅନ୍ତି ।
- ପୋଷ୍ଟ ଇନଫ୍ଲେମୋଟରୀ – ତ୍ୱଚାରେ କୌଣସି ଆଘାତ ହେଲେ ଏହା ଘଟିଥାଏ । ବ୍ରଣ, କାଛୁ, ବଏଲ୍ସ ଓ ମଶା କାମୁଡିଥିବା ଜାଗାକୁ କୁଣ୍ଡାଇଲେ ତ୍ୱଚାରେ କଳା ଦାଗ ପଡିଯାଏ । ପ୍ରାୟତଃ ଏହି ଦାଗଗୁଡିକ ଧୀରେ ଧୀରେ ଉଭେଇଯାଏ । କିନ୍ତୁ ଏଗୁଡିକୁ ଯଦି ଅସ୍ଥିର କରାଯାଏ ଓ ସ୍ୱାଭାବିକ ଭାବେ ଶୁଖିବାକୁ ଦିଆ ନ ଯାଏ, ତାହା ହେଲେ ଅଡୁଆ ପରିସ୍ଥିତି ସୃଷ୍ଟି ହୁଏ । ଏପରିକି ସେଗୁଡିକ ସ୍ଥାୟୀ ଭାବେ ରହିଯିବା ସମ୍ଭାବନା ଥାଏ ।
- ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସିଲେ – ସୂର୍ଯ୍ୟ ଆଲୋକ ସଂସ୍ପର୍ଶରେ ଆସିଲେ ବି ହାଇପରପିଗମେଣ୍ଟେସନ ସୃଷ୍ଟି ହୋଇଥାଏ । ଛୋଟ ଛୋଟ କଳା ପ୍ୟାଚ୍ସବୁ ଆପଣଙ୍କ କପାଳ, ନାକ ଓ ହାତରେ ସୃଷ୍ଟି ହେବା ଆପଣ ଲକ୍ଷ୍ୟ କରିଥିବେ ।
- ଅନୁବଂଶୀୟ - ଅନୁବଂଶୀୟ ବା ଜେନେଟିକ୍ କାରଣରୁ ବି ଶରୀରରେ ମୋଲ୍ , ଏପରିକି ଫ୍ରିକଲ୍ସ ସୃଷ୍ଟି ହୁଏ ।
- ମେଡିକାଲ କଣ୍ଡିସନ- କିଛି ନିର୍ଦ୍ଦିଷ୍ଟ ମେଡିକାଲ ସ୍ଥିତି ବି ପିଗମେଂଟେସନର କାରଣ ହୋଇଥାଏ । ନିର୍ଦ୍ଦିଷ୍ଟ କିଛି ଔଷଧ ସେବନ କଲେ ମଧ୍ୟ ସ୍କିନ୍ ରିଆକସନ୍ ହୋଇଥାଏ ।
ପ୍ରକୃତରେ କଣ ଘଟେ ?
ମିଲାନୋକାଇଟସ୍ ନାମକ ତ୍ୱଚା କୋଷିକା ମେଲାନିନ୍ ଉତ୍ପାଦନ କରନ୍ତି । ଏହା ତ୍ୱଚାକୁ ରଂଗ ଦେଇଥାଏ । ବିଭିନ୍ନ କାରଣରୁ ଆମ ଶରୀରରେ ମେଲାନିନ୍ ଉତ୍ପାଦନ ପ୍ରଭାବିତ ହୋଇଥାଏ । ଆଉ ଏହାର ପରିଣାମ ସ୍ୱରୂପ ସମୟେ ସମୟେ କଳା ପ୍ୟାଚ୍ ସୃଷ୍ଟି ହୁଏ । ଉଦାହରଣ ସ୍ୱରୂପ ଯଦି ଶରୀରର କୌଣସି ନିର୍ଦ୍ଦିଷ୍ଟ ଜାଗାରେ ଅତ୍ୟଧିକ ସୂର୍ଯ୍ୟାଲୋକ ପଡେ, ତାହା ହେଲେ ସେହି ଜାଗାର କୋଷିକା ଅଧିକ ରଂଗ ସୃଷ୍ଟି କରି ସେହି ପ୍ୟାଚରେ ଜମା କରିଥାଏ । ଆଉ ଏହା ତ୍ୱଚାକୁ କ୍ଷତିରୁ ବଂଚାଇଥାଏ । ତେଣୁ ତ୍ୱଚାରେ କଳା ପ୍ୟାଚ୍ ରହିଯାଏ ।