ହୁବଲି: ଭାଇଚାରାର ଭିନ୍ନ ଏକ ନିଦର୍ଶନ। ଏଠି ସାମ୍ପ୍ରଦାୟିକତା ବିବାଦ ନାହିଁ, ହିନ୍ଦୁ ଓ ମୁସଲିମ ଭିତରେ ମତ ପାର୍ଥକ୍ୟ ନାହିଁ। ସତେ ଯେମିତି ସମସ୍ତେ ଗୋଟିଏ ସୂତା ଖିଅରେ ବନ୍ଧା। ତେବେ ଯେଉଁଠି ଆତ୍ମାର ମିଳନ ହୋଇଛି ସେଠି ଭଗବାନ ବା ଅଲଗା କେମିତି ହେବେ। ଖାସ୍ ସେଥିପାଇଁ ପରମ୍ପରା,ରୀତିନୀତିର ଉର୍ଦ୍ଧ୍ବକୁ ଯାଇ ଏଠାକାର ଲୋକମାନେ ଗୋଟିଏ ଛାତ ତଳେ ଉଭୟ ଧର୍ମର ଭଗବାନଙ୍କୁ ପୂଜା କରୁଛନ୍ତି।
ଆମେ କହୁଛୁ ଆପଣଙ୍କୁ କର୍ଣ୍ଣାଟକର ଏକ ଆଦର୍ଶ ଗ୍ରାମ କଥା। ଯେଉଁ ଗ୍ରାମରେ ରହୁଥିବା ଉଭୟ ହିନ୍ଦୁ ଓ ମୁସଲିମ ଭାଇ ଭଉଣୀ ସାରା ଦେଶ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଧରୱାଡ ଜିଲ୍ଲାର ହୁବଲିର ବିଡନାଲ ଅଞ୍ଚଳର ବାସିନ୍ଦା ଗଣେଶ ଚତୁର୍ଥୀ ଓ ମହରମ ପାଳନ କରନ୍ତି । ଏବଂ ଯେତେବେଳେ ଉଭୟ ପର୍ବର ତାରିଖ ସମକକ୍ଷ ହୁଏ ସେତେବେଳେ ସମାନ 'ପେଣ୍ଡାଲ' ଏହି ଦୁଇ ପର୍ବ ପାଳନ କରାଯାଏ।