ନୂଆଦିଲ୍ଲୀ:ଉତ୍ତର ଭାରତରେ ପାରଦ ଲଗାତାର ହ୍ରାସ ପାଇବାରେ ଲାଗିଛି । ଆଗକୁ ଆହୁରି ଖସିବ ବୋଲି ଅନୁମାନ କରାଯାଉଛି। ରାଜଧାନୀ ନୂଆଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା 5.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି । 13.4 ଡିଗ୍ରୀ ସେଲସିୟସ ସର୍ବାଧିକ ରହିଛି । ବାୟୁମଣ୍ଡଳର ଆର୍ଦ୍ରତା 100%କୁ ବୃଦ୍ଧି ପାଇଛି।
1997 ମସିହାର ଥଣ୍ଡା ସର୍ବାଧିକ ଥିଲା । ଯାହାକୁ ନେଇ 17 ଦିନ ଥଣ୍ଡା ଦିନ ଛୁଟି ଘୋଷଣା ହୋଇଥିଲା । ଚଳିତ ବର୍ଷ ଡିସେମ୍ବର 14 ଠାରୁ ବିଭିନ୍ନ ଅଞ୍ଚଳ ଲଗାତାର 13 ଦିନ ଧରି ଏଭଳି ଥଣ୍ଡା ରହିଛି। ସପ୍ତାହ ଶେଷରେ ଆଉ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି।
ପାଣିପାଗ ବିଭାଗ ମୁଖ୍ୟ କୁଲଦୀପ ଶ୍ରୀବାସ୍ତବଙ୍କ କହିବା ଅନୁସାରେ, ସାଧାରଣତଃ ଥଣ୍ଡା ଦିନ 6.5 ଡିଗ୍ରି ସେଲସିୟସ ତାପମାତ୍ରା ଥିଲେ ଘୋଷଣା କରାଯାଏ । ଏହାସହ 4.5 ତଳକୁ ତାପମାତ୍ରା ତଳକୁ ଖସିଲେ ସିଭିୟର କୋଲ୍ଡ ଡେ ବୋଲି ଘୋଷଣା କରାଯାଏ ।
ରାଜଧାନୀ ଦିଲ୍ଲୀ ସମେତ ପଞ୍ଜାବ ଏବଂ ହରିୟାଣାର ବିଭିନ୍ନ ସ୍ଥାନରେ ଶୀତ ଲହରୀ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ହରିୟାଣାର ନରନୁଲ ଅଞ୍ଚଳରେ ତାପମାତ୍ରା 2.5 ଡିଗ୍ରୀ ସେଲସିୟସ ରହିଛି । ହିସାରରେ 3.3, ରୋହତକରେ 3.4, ଭିୱାନୀରେ 4.8, ସିରସାରେ 4.3 ଏବଂ ଅମ୍ବାଲାରେ 5.3 ଡିଗ୍ରୀ ସେଲସିୟସ ରହିଛି ।
କାଶ୍ମୀର ବର୍ତ୍ତମାନ ଥଣ୍ଡାର ଚାଦର ଘୋଡାଇ ହୋଇଛି । ପ୍ରାୟ 40 ଦିନ ହେଲାଣି ସେଠାରେ ତାପମାତ୍ରା 2ରୁ 3 ଡିଗ୍ରୀ ରହିଛି । ପ୍ରବଳ ବରଫପାତ ଯୋଗୁଁ ବଢୁଛି ଥଣ୍ଡା । ଉନା ଏବଂ କଙ୍ଗା ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ବଢୁଛି ଥଣ୍ଡା । ଲଦାଖର ଦ୍ରାସରେ ତାପମାତ୍ରା -30.2 ଡିଗ୍ରୀ ସେଲସିୟସ ରହିଛି ।