ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚମୋଲିର ହିମସ୍ଖଳନ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ଏହା ସହ ସେ ଟ୍ବିଟ କରି ଗଭୀର ଦୁଃଖ ଜଣାଇଛନ୍ତି । ହିମାଳୟର ଗଙ୍ଗା ଉପରେ ହୋଇଥିବା ଅଘଟଣ ଯେତିକି ଚିନ୍ତାଜନକ ସେତିକି ଚେତାବନୀ ମଧ୍ୟ ଦେଇଛି ବୋଲି କହିଛନ୍ତି । ପୂର୍ବରୁ ସେ ଗଙ୍ଗା ଓ ଶାଖା ନଦୀ ଉପରେ ବନ୍ଧ କରି କୌଣସି ପ୍ରକାରର ବିଦ୍ୟୁତ ପ୍ରକଳ୍ପ ନ କରିବାକୁ ଚେତାବନୀ ମଧ୍ୟ ଦେଇଥିଲେ । କେନ୍ଦ୍ରର ନଦୀ ବିକାଶ ଓ ଗଙ୍ଗା ନବୀକରଣର ମନ୍ତ୍ରୀ ଥିବାବେଳେ ସେ ଏନେଇ ସମସ୍ତଙ୍କୁ ସଜାଗ କରିଥିଲେ ।
ଉମା ଭାରତ ଏହି ଘଟଣାରେ ଶୋକ ବ୍ୟକ୍ତ କରି ସିରିଜ ଟ୍ବିଟ କରିଥିଲେ । ଏହି ଟ୍ବିଟରେ ସେ ଗଙ୍ଗା ଏବଂ ଏହାର ଶାଖା ନଦୀରେ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ମନ୍ତ୍ରଣାଳୟ ପକ୍ଷରୁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବନ୍ଧ ଉପରେ ଏକ ଆଫିଡେବିଟ ଜରିଆରେ କହିଥିଲେ, ହିମାଳୟ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ । ତେଣୁ ଗଙ୍ଗା କିମ୍ବା ଏହାର ଶାଖାରେ କୌଣସି ପ୍ରକଳ୍ପ କରାଯିବ ଉଚିତ ନୁହେଁ । ଏହା ସହ ଉତ୍ତରାଖଣ୍ଡରେ ଯଦି 12 ପ୍ରତିଶତ କ୍ଷତି ହୁଏ ଏହାକୁ ନ୍ୟାସନାଲ ଗ୍ରୀଡ ପକ୍ଷରୁ ପୁରା କରିବାକୁ ହେବ ବୋଲି କହିଥିଲେ ।