ହାଇଦ୍ରାବାଦ: ବ୍ରିଟେନର ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା ଅକ୍ସଫୋର୍ଡ ୟୁନିଭରସିଟିର କୋଭିଡ-19 ଟୀକାର ବ୍ୟାପକ ଉତ୍ପାଦନ ଏବଂ ସାମୂହିକ ବିତରଣ ଦିଗରେ କାମ କରିବ । ଏନେଇ କମ୍ପାନୀ ଏକ ଲ୍ୟାଣ୍ଡମାର୍କ ଚୁକ୍ତି ସ୍ବାକ୍ଷର କରିଛି । ସମଗ୍ର ବିଶ୍ବରେ କିପରି ଶସ୍ତା ଦରରେ ଅକ୍ସଫୋର୍ଡର କୋଭିଡ-19 ଟୀକା ଉପଲବ୍ଧ ହୋଇପାରିବ ସେନେଇ କମ୍ପାନୀ ପ୍ରତିଶୃତିବଦ୍ଧ ବୋଲି କହିଛି ।
କମ୍ପାନୀ ଶୁକ୍ରବାର ସିଇପିଆଇ ଏବଂ ଗାଭି ସହିତ ଅକ୍ସଫୋର୍ଡର କୋଭିଡ-19 ଟୀକାର 300 ମିଲିଅନ ଡୋଜ ଉତ୍ପାଦନ, କ୍ରୟ ଏବଂ ବିତରଣକୁ ସମର୍ଥନ କରିବା ପାଇଁ 750 ମିଲିୟନ ଡଲାର ଚୁକ୍ତି କରିଛି । ଏହାସହ, ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶଗୁଡିକ ପାଇଁ ଏକ ବିଲିୟନ ଡୋଜ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏପରିକି 2020 ଶେଷ ପୂର୍ବରୁ 400 ମିଲିଅନ ଡୋଜ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି ଆଷ୍ଟ୍ରାଜେନେକା । ମହାମାରୀ କାଳରେ କୌଣସି ଲାଭ ନରଖି ବିଶ୍ବସ୍ତରରେ ଟୀକାକୁ ଉପଲବ୍ଧ କରିବା ପାଇଁ ଅନେକ ଯୋଗାଣ ଶୃଙ୍ଖଳା ନିର୍ମାଣ କରୁଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ବିଲିଅନ ଡୋଜ ଟୀକା ପାଇଁ ଉତ୍ପାଦନ କ୍ଷମତା ସୁରକ୍ଷିତ କରିଛି ବୋଲି ସୂଚନା ଦେଇଛି କମ୍ପାନୀ ।