ଲକ୍ଷ୍ନୌ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହା ବିକାଶ ଆଘାଡି ସରକାରକୁ 100 ଦିନ ପୁରିଛି । ଏହି ଅବସରରେ ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି ଠାକରେ ପରିବାର । ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ 1 କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଉଦ୍ଧବ । ତେବେ ଏହି ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ନୁହେଁ ବରଂ ତାଙ୍କର ନିଜସ୍ବ ଟ୍ରଷ୍ଟରୁ ଦେବେ ବୋଲି ଉଦ୍ଧବ କହିଛନ୍ତି ।
ଏନେଇ ଉଦ୍ଧବ ଠାକରେ କହିଛନ୍ତି, ମୁଁ ଏଠାକୁ ରାମଲାଲାଙ୍କ ଆଶୀର୍ବାଦ ନେବାକୁ ଆସିଛି । ଗତ ଦେଢବର୍ଷରେ ଏହା ମୋର ତୃତୀୟ ଅଯୋଧ୍ୟା ଗସ୍ତ । ମୁଁ ଏଠାରେ ପୂଜାର୍ଚ୍ଚନା ମଧ୍ୟ କରିବି । ମୁଁ ବିଜେପିଠାରୁ ଅଲଗା ହୋଇଛି, ହିନ୍ଦୁତ୍ବଠାରୁ ନୁହେଁ । ବିଜେପିର ଅର୍ଥ ହିନ୍ଦୁତ୍ବ ନୁହେଁ । ବିଜେପି ଏବଂ ହିନ୍ଦୁତ୍ବ ଉଭୟ ଭିନ୍ନ ଭିନ୍ନ ଜିନିଷ ।