ମୁମ୍ବାଇ: ତ୍ରେତୟା ଯୁଗରେ ଅଧର୍ମ ବିରୋଧରେ ଧର୍ମର ଯୁଦ୍ଧ ଶେଷ ହେବାକୁ ଲାଗିଥିଲା 18 ଦିନ । ଠିକ ସେହିପରି ମହାରାଷ୍ଟ୍ର ମହାଭାରତରେ ମଧ୍ୟ ଯବନିକା ପଡିବାକୁ ଯାଉଛି 18 ଦିନରେ । ରାଜ୍ୟ ବିଧାନସଭା ନିର୍ବାଚନ ଫଳକୁ ଆଜି ପୁରିଛି 18ଦିନ । ରବିବାର ସଂଧ୍ୟାରେ ଏକକ ସଂଖ୍ୟା ଗରିଷ୍ଠତା ଦଳ ଭାବେ ଉଭା ହୋଇଥିବା ବିଜେପି ସରକାର ଗଠନ ପାଇଁ ଅସମର୍ଥ ପ୍ରକାଶ କରିବା ପରେ ରାଜ୍ୟପାଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ରାଜ୍ୟପାଳଙ୍କ ନିମନ୍ତ୍ରଣ ପାଇବା ପରେ ଶିବସେନା ନିଜ ଗୋଟି ଚାଳନାକୁ ଆହୁରି କ୍ଷିପ୍ର କରିଛି । ଗୈରିକ ଦଳ ମୈଦାନରୁ ବାହାରିବା ଯିବା ପରେ ଏବେ ଶିବସେନା ଘଣ୍ଟା-ହାତଙ୍କୁ ନେଇ ଚମ୍ପିୟାନ ହେବାକୁ ଶେଷ ତୀର ଚାଳନା କରୁଛି । ସେନାର ଏହି ରଣନୀତି ସ୍ପଷ୍ଟ କରୁଛି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଅରବିନ୍ଦ ସାୱନ୍ତଙ୍କ ଇସ୍ତଫା ଦେବା । କାରଣ ଶରଦ ପାୱାର କହିଛନ୍ତି ସମର୍ଥନ ନେବ ତ ସମର୍ଥନ ପ୍ରତ୍ୟାହାର କର । ଅର୍ଥାତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ରୁ ଶିବସେନାକୁ ସମର୍ଥନ ପ୍ରତ୍ୟାହାର କରିବାକୁ ଶରଦ ସର୍ତ୍ତ ରଖିଛନ୍ତି ।
ସୂତ୍ର ଅନୁସାରେ ଶିବସେନା-ଏନସିପି ସରକାର ଗଠନ କରିବେ । କଂଗ୍ରେସ ସରକାରରେ ସାମିଲ ନହେଲେ ମଧ୍ୟ ମେଣ୍ଟକୁ ବାହ୍ୟ ସମର୍ଥନ କରିବ । ଫଳରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହେବେ ମୁଖ୍ୟମନ୍ତ୍ରୀ । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଭଣଜା ଅଜିତ ପାୱାର ହେବେ ଉପ-ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସକୁ ମିଳିପାରେ ବିଧାନସଭା ବାଚସ୍ପତି ପଦ । ଉଦ୍ଧବ-ଶରଦ ଉଭୟ ମନ୍ତ୍ରୀମଣ୍ଡଳର ରୂପରେଖ ପ୍ରସ୍ତୁତ କରିସାରିଛନ୍ତି । କାହାକୁ କେଉଁ ବିଭାଗ ମିଳିବ ? କିଏ ମନ୍ତ୍ରୀମଣ୍ଡଳରେ ସାମିଲ ହେବ ? ସେନେଇ ସବୁ ହିସାବ ନିକାଶ ସରିଛି ।