ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ହିନ୍ଦୁତ୍ବ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଏନେଇ ସେ କହିଛନ୍ତି, ‘ଆମ ବିଚାର ସମାନ ନୁହେଁ, ଧର୍ମର ବ୍ୟବହାର ଓ କ୍ଷମତା ହାସଲ କରିବା ହିନ୍ଦୁତ୍ବ ନୁହେଁ । ’
ସେ ଏହା ମଧ୍ୟ କହିଛନ୍ତି, ‘ମୁଁ ଏକ ଅଶାନ୍ତ ହିନ୍ଦୁ ରାଷ୍ଟ୍ର ଚାହୁଁନାହିଁ। ବିଜେପିର ହିନ୍ଦୁତ୍ବ ଅନ୍ୟ ହିନ୍ଦୁତ୍ବ ଠାରୁ ଭିନ୍ନ। ବିଜେପି ସବୁବେଳେ ହିନ୍ଦୁ ରାଷ୍ଟ୍ରର କଥା କହୁଛି ମାତ୍ର ଲୋକେ ପରସ୍ପରକୁ ହତ୍ୟା କରୁଛନ୍ତି ଓ ଦେଶରେ ଅଶାନ୍ତ ପରିବେଶ ସୃଷ୍ଟି ହେଉଛି। ଏହା ସେମାନଙ୍କ ହିନ୍ଦୁତ୍ବ ’ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଥିଲେ ଯେ, ‘ମୁଁ ଏନଆରସିକୁ ବିରୋଧ କରୁଛି ତାହାଲେ ମୁଁ ଦେଶଦ୍ରୋହୀ ହୋଇଗଲି, ଆଉ ଯେଉଁମାନେ ଏନଆରସି ସପକ୍ଷରେ ସେମାନେ ଦେଶଭକ୍ତ । ଏନଆରସି ଆସିଲେ ଆପଣଙ୍କୁ ନାଗରିକତା ପ୍ରମାଣ ଦେବା ପାଇଁ ଧାଡିରେ ଠିଆ ହେବାକୁ ପଡିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଙ୍ଗଲ ଓ ପାହାଡରେ ରହୁଥିବା ଆଦିବାସୀ କେଉଁଠାରୁ ଜନ୍ମ ପ୍ରମାଣ ପତ୍ର ଆଣିବେ । ସେମାନେ ଯଦି ଏହା ବିଷୟରେ ଜାଣିବେ, ସେମାନେ ମଧ୍ୟ ଏହାକୁ ବିରୋଧ କରିବେ। ’
ଶିବସେନା ସୁୁପ୍ରିମୋ ଏନଆରସିକୁ ବିରୋଧ କରୁଥିବା ବେଳେ ସିଏଏକୁ ସମର୍ଥନ କରୁଛନ୍ତି । ତାଙ୍କର କହିବା କଥା ଯେ, ଏନଆରସି ହିନ୍ଦୁଙ୍କୁ ମଧ୍ୟ ଦେଶରୁ ବାହାର କରିବ। ଏହାସହ ସିଏଏର ଆବଶ୍ୟକତା କିଛି ନଥିବା ବି ସେ କହିଛନ୍ତି ।