ଶ୍ରୀନଗର: ଧାରା 370 ଉଚ୍ଛେଦ ପରେ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଅପରେସନ ଜୋରଦାର ହେଉଛି । ବିଭିନ୍ନ ଜାଗାରେ କଟକଣା ଲାଗୁ ଯୋଗୁଁ ନିଜ ଯୋଜନା ସଫଳ କରିପାରୁନାହାନ୍ତି ଆତଙ୍କବାଦୀ । ଫଳରେ ଅନେକ ଆତଙ୍କବାଦୀଙ୍କୁ ସେନା ଗିରଫ କରିବାରେ ସଫଳ ହେଉଛି ।
ଆଜି ପୁଣି ବାରମୂଳା ଜିଲ୍ଲାରୁ ପୋଲିସ 2 ଜଣ ଆତଙ୍କୀଙ୍କୁ ଗିରଫ କରିଛି । CRPFର 53 ବାଟାଲିୟାନ, ଜମ୍ମୁ ଓ କାଶ୍ମୀର ପୋଲିସ ଏବଂ ସେନା ପକ୍ଷରୁ ଏକ ମିଳିତ ଅପରେସନ କରାଯାଇଥିଲା । ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇବା ପରେ ପୋଲିସ ପକ୍ଷରୁ ଏହି ଅଭିଯାନ ହୋଇଥିଲା । ଏଥିରେ ସୁରକ୍ଷାକର୍ମୀଙ୍କ ହାତରେ ଏହି 2 ଆତଙ୍କୀ ଧରା ପଡିଥିଲେ । ତେବେ ଏମାନେ କୌଣସି ଆତଙ୍କବାଦୀ ସଙ୍ଗଠନ ସହ ସମ୍ପୃକ୍ତି ନଥିବା ଜଣାପଡିଛି ।
ଗିରଫ ଆତଙ୍କୀଙ୍କ ପାଖରୁ ଅନେକ ଯୁଦ୍ଧ ସାମଗ୍ରୀ ଜବତ ହୋଇଛି । ଏହା ମଧ୍ୟରେ ବନ୍ଧୁକ ସମେତ ଯୁଦ୍ଧ ପାଇଁ ଉସୁକାଇବା ଭଳି ବହି ମଧ୍ୟ ସାମିଲ ଅଛି । ପ୍ରାଥମିକ ସୂଚନାରୁ ଉପତ୍ୟକାରେ କାଶ୍ମୀର ଯୁବକଙ୍କୁ ସେନା ବିରୋଧରେ ମାତିବା ଲାଗି ଏହି 2 ଆତଙ୍କବାଦୀ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ଗତ ଏକ ମାସ ମଧ୍ୟରେ ସୁରକ୍ଷାକର୍ମୀଙ୍କ ହାତରେ ପ୍ରାୟ 10 ଆତଙ୍କବାଦୀ ଧରା ପଡିଥିବାବେଳେ ଅନେକ ସେନା ଏନକାଉଣ୍ଟରରେ ନିହତ ମଧ୍ୟ ହୋଇଛନ୍ତି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ କାଶ୍ମୀରରେ ଅଶାନ୍ତ ସୃଷ୍ଟି କରିବା ଲାଗି ଏହି ଆତଙ୍କବାଦୀ ଲଗାତାର ପ୍ରୟାସ ଜାରି ରଖିଛନ୍ତି । ବିଶେଷ କରି ଧାରା 370 ଉଚ୍ଛେଦ ପରେ ଏମାନଙ୍କ ଉପଦ୍ରବ ବଢିବାରେ ଲାଗିଛି । ତେବେ ପ୍ରଶାସନ ପକ୍ଷରୁ ବିଭିନ୍ନ ଜାଗାରେ କଟକଣା ଜାରି କରାଯିବା ସହ ବିପୁଳ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଅନେକ ସମ୍ବେଦନଶୀଳ ଜାଗାରେ ପୋଲିସ ଚେକିଂ କରିବା ସହ ଆତଙ୍କବାଦୀଙ୍କ ଗତିବିଧି ଉପରେ କଡା ନଜର ରଖିଛି ।