ଓଡିଶା

odisha

ETV Bharat / bharat

କୁମ୍ବିଂ ଜୋରଦାର, ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ନକ୍ସଲ ମୃତ

ମାଓ ପ୍ରବଣ ଅଞ୍ଚଳ ଦନ୍ତେଓ୍ବାଡାରେ ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ନକ୍ସଲ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏମାନଙ୍କ ମୁଣ୍ଡପିଛା ପୁରସ୍କାର ରାଶି ଥିଲା 5 ଲକ୍ଷ ଟଙ୍କା । ତେବେ ଦୁଇ ମୃତ ନକ୍ସଲ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ହତ୍ୟା ଘଟଣାରେ ସାମିଲ ଥିବା ନେଇ ଜଣାପଡ଼ିଛି ।

By

Published : Sep 14, 2019, 5:22 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାୟପୁର: ଛତିଶଗଡ଼ ମାଓ ପ୍ରବଣ ଅଞ୍ଚଳ ଦନ୍ତେଓ୍ବାଡ଼ାରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାଟି ଘଟିଛି ଦନ୍ତେଓ୍ବାଡା଼ ଅନ୍ତର୍ଗତ କୁଟେରାମ ଜଙ୍ଗଲରେ ।

ମିଳିଥିବା ସୂଚନା ମୁତାବକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କୁଟେରାମ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂକୁ ଜୋରଦାର କରାଯାଇଥିଲା । କୁମ୍ବିଂକୁ ଯାଇଥିବା ସୁରକ୍ଷାକର୍ମୀଙ୍କ ସହିତ ଡିଆରଜି ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରିଥିଲେ । ଶୁକ୍ରବାର ରାତି ପ୍ରାୟ 12 ଟା ସମୟରେ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କ ସହିତ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିଲା ।

ସୁରକ୍ଷାକର୍ମୀଙ୍କ ଗୁଳିରେ ସେଠାରେ ମଲାଙ୍ଗିର ଏରିଆ କମିଟିର ଦୁଇ ନକ୍ସଲ ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ । ତେବେ ଏହି ଦୁଇ ନକ୍ସଲଙ୍କୁ ଧରିବା ପାଇଁ ପ୍ରତ୍ୟେକଙ୍କ ମୁଣ୍ଡପିଛା 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । କୁହାଯାଉଛି ଏହି ଦୁଇ ନକ୍ସଲ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ । ତେବେ ଏନକାଉଣ୍ଟର ସ୍ଥଳରୁ ଏକ 9 ଏମଏମ ଇଟାଲୀ ନିର୍ମିତ ପିସ୍ତଲ ଜବତ କରାଯାଇଛି ।

ତେବେ ଏହି ଦୁଇଜଣ ନକ୍ସଲଙ୍କ ନାମରେ ବିଭିନ୍ନ ଥାନାରେ ବହୁ ସଙ୍ଗୀନ ମାମଲା ରହିଥିଲା । ସେଗୁଡ଼ିକ ମଧ୍ୟରେ ଚୋଲନାର ବୋମା ବିସ୍ଫୋରଣ ମାମଲାରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି । ଏହି ଘଟଣାରେ 6 ଜଣ ଯବାନ ଶହୀଦ ହୋଇଥିଲେ । ସେହିପରି ମଦାଡ଼ି ବିସ୍ଫୋରଣରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିଛି । ଏହି ଘଟଣାରେ ମଧ୍ୟ 6 ଯବାନ ଶହୀଦ ହୋଇଥିଲେ । ଏମାନଙ୍କୁ ପୋଲିସ ଦୀର୍ଘଦିନ ଧରି ଖୋଜୁଥିଲା ।

ABOUT THE AUTHOR

...view details