ଓଡିଶା

odisha

ETV Bharat / bharat

କଂଗ୍ରେସର ଅଜବ ନୀତି, ସମୀକ୍ଷା ଆଳରେ ଚୌକି ଉପରେ ଆଖି - ରାହୁଲ ଗାନ୍ଧୀ

ଦଳ ପଛେ ଭାସିଯାଉ, ଆସନ ଥାଉ । ଏହି ନୀତିରେ ଆଗେଇଛି କଂଗ୍ରେସ । ଦିଲ୍ଲୀ ପରଜାୟକୁ ନେଇ ବୈଠକ ବସିଲା । କିନ୍ତୁ ରାଜ୍ୟସଭା ଆସନକୁ ନେଇ ଦଳୀୟ ମହଲରେ ଆରମ୍ଭ ହେଲା ଟଣାଓଟରା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

congress
congress

By

Published : Feb 15, 2020, 9:59 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସମୀକ୍ଷା ବୈଠକ ତୁହାକୁ ତୁହା ଚାଲିଛି ଦଳୀୟ ମୁଖ୍ୟାଳୟରେ । ସମୀକ୍ଷା ବୈଠକରେ ମୁଖ୍ୟତଃ ଦଳର ଶୀର୍ଷ ନେତୃତ୍ବ ପରିବର୍ତ୍ତନ ପାଇଁ ଦାବି ହେଉଛି । ତେବେ ସମୀକ୍ଷା ବୈଠକ ନାରେ ଏବେ ରାଜ୍ୟସଭା ଆସନକୁ ନେଇ ଦଳ ମଧ୍ୟରେ ଆରମ୍ଭ ହୋଇଛି ଲଢେଇ ।

ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା ଓ ଦିଲ୍ଲୀରେ ଶୋଚନୀୟ ପରାଜୟ ପରେ ଦଳର ନେତୃତ୍ବ ପରିବର୍ତ୍ତନ ପାଇଁ ଦଳୀୟ ମହଲରେ ଜୋରଦାର ଦାବି ହେଉଛି । ଦଳର ଏହି ସ୍ଥିତିକୁ ଦେଖି ରାହୁଲ ଗାନ୍ଧୀଙ୍କ ସମର୍ଥକମାନେ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଅଧ୍ୟକ୍ଷ କରିବା ପାଇଁ ଦାବି କରୁଛନ୍ତି । କିନ୍ତୁ ଏହାକୁ ବିରୋଧ କରୁଛନ୍ତି ବରିଷ୍ଠ ନେତାମାନେ । ବରିଷ୍ଠ ନେତାଙ୍କ ଯୁକ୍ତି ହେଲା ଯଦି ଏବେ ରାହୁଲଙ୍କୁ ଅଧ୍ୟକ୍ଷ କରାଯାଏ ଏହା ଏକ ଭୁଲ ବାର୍ତ୍ତା ଯିବ । ସେହି ଦୃଷ୍ଟିରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଏବେ ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ ଅଧ୍ୟକ୍ଷ କରାଯାଉ ।

ଏଭଳି ସ୍ଥିତିରେ କଂଗ୍ରେସର ପରାଜୟକୁ ନେଇ ବରିଷ୍ଠ ନେତାଙ୍କ ଖୁସୀ ଦେଖି ଯୁବନେତା ଖପ୍ପା ହୋଇପଡିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଶର୍ମିଷ୍ଠା ମୁଖାର୍ଜୀଙ୍କ ଟ୍ବିଟରୁ ଏହା ସ୍ପଷ୍ଟ ହେଉଛି ଯେ ବରିଷ୍ଠ ଓ ଯୁବନେତାଙ୍କ ମଧ୍ୟରେ ତାଳମେଳ ନାହିଁ । ଏହାକୁ ନେଇ ଏବେ ଦଳୀୟ କାର୍ଯ୍ୟାଳୟରେ ଆଶା ଆଶଙ୍କା ଲାଗି ରହିଛି । ଠିକ ଏତିକି ବେଳେ ଏପ୍ରିଲ ମାସରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ଏହି ବର୍ଷ କଂଗ୍ରେସର 18 ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । କିନ୍ତୁ ଗଣିତ କହୁଛି କଂଗ୍ରେସ କେବଳ 9 ଜଣ ସଦସ୍ୟଙ୍କୁ ରାଜ୍ୟସଭାକୁ ପଠାଇ ପାରିବ ।

ଏପ୍ରିଲରେ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ରାଜ୍ୟସଭା ଆସନ ଖାଲି ହେବ । ମୋତିଲାଲ ବୋହରା, ଦିଗବିଜୟ ସିଂ, କୁମାରୀ ଶୈଳଜା, ମଧୁସୂଦନ ମିସ୍ତ୍ରୀ ଓ ହୁସେନ ଦଳୱାଇ ଭଳି ବରିଷ୍ଠ ନେତାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେବେ ରାହୁଲ ଗାନ୍ଧୀଙ୍କ ଯୋଜନା ଖାଲି ହେଉଥିବା ଆସନରେ ଦଳର ବରିଷ୍ଠ ନେତାଙ୍କ ପରିବର୍ତ୍ତେ ଯୁବନେତାଙ୍କୁ ପଠାଇବା । ରାହୁଲଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ବରିଷ୍ଠ ନେତା ଖପ୍ପା ହୋଇପଡିଛନ୍ତି । ରାହୁଲ ନିଜର ବିଶ୍ବସ୍ତ ଜ୍ୟୋତିରାଦିତ୍ୟ ସିନ୍ଧିଆ, ରଣଦୀପ ସୂର୍ଯ୍ୟେୱାଲା, ମିଲିନ୍ଦ ଦେୱଡା, ଜିତିନ ପ୍ରସାଦ ଓ ଆରପିଏମ ସିଂ ଙ୍କୁ ପଠାଇବା ପାଇଁ ଚାହୁଁଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଦଳର ଏହି ସଂକଟ ସମୟରେ ଦଳର ପୁନଃରୁଦ୍ଧାର ପାଇଁ କୌଣସି ନିଷ୍ପତ୍ତି ନେବା ବଦଳରେ କିଏ ରାଜ୍ୟସଭା ଯିବେ ତାକୁ ନେଇ ଦଳ ଭିତରେ ଲଢେଇ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ନେଇ ବିରୋଧୀ ଏବେ କଂଗ୍ରେସକୁ ତେରଛା ବାଣ ମାରିବା ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details