ମେଙ୍ଗାଲୁରୁ: ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇବାକୁ ଚାରିଆଡୁ ଚାଲିଛି ପ୍ରୟାସ । ପ୍ରଚାରରେ ମଧ୍ୟ ଲାଗିଛନ୍ତି ବିଶ୍ବବାସୀ । କିନ୍ତୁ ପ୍ଲାଷ୍ଟିକକୁ ରୋକ୍ ଲଗାଇବାକୁ ହେଲେ ପ୍ରଥମେ ନିଜେ ବଦଳିବାକୁ ହେବ । ଆଉ ନିଜକୁ ପ୍ଲାଷ୍ଟିକ ଅଭ୍ୟାସ ଠାରୁ ଦୂରେଇ ରଖିବାକୁ ପଡିବ । ଏହି ମର୍ମକୁ ବେଶ ଭଲଭାବେ ବୁଝିଛନ୍ତି କର୍ଣ୍ଣାଟକ ରାଜ୍ୟର ଜଣେ ପରିବେଶବିତ୍ । ଯିଏକି ପ୍ଲାଷ୍ଟିକ ବ୍ରଶ ବଦଳରେ କରୁଛନ୍ତି କାଠ ବ୍ରଶର ବ୍ୟବହାର । ଖାଲି ନିଜେ ବଦଳି ନାହାଁନ୍ତି, ଲୋକଙ୍କୁ ମଧ୍ୟ କରୁଛନ୍ତି ସଚେତନ ।
ପ୍ଲାଷ୍ଟିକ ବିପଦକୁ ନେଇ ଚିନ୍ତାରେ ବିଶ୍ବ । ଏଥିରୁ ମୁକ୍ତି ପାଇଁ ସାରା ଦୁନିଆର ଲୋକେ ଚଳାଇଛନ୍ତି ପ୍ରୟାସ । ଏପରିସ୍ଥଳରେ ମେଙ୍ଗାଲୁରୁର ନିତିନ ବାସ୍ ନାମକ ଜଣେ ପରିବେଶବିତ୍ ଆଗକୁ ଆସିଛନ୍ତି । ପ୍ଲାଷ୍ଟିକ ବ୍ରଶ ବଦଳରେ ଏହାର ବିକଳ୍ପ ବ୍ୟବହାର ପାଇଁ ସେ କରୁଛନ୍ତି ପ୍ରୋତ୍ସାହନ । ଆମେ ପ୍ରତିଦିନ ସକାଳୁ ସକାଳୁ ପ୍ଲାଷ୍ଟିକ ବ୍ରଶର ବ୍ୟବହାର କରୁଛେ । କିନ୍ତୁ ନିତିନ ପ୍ଲାଷ୍ଟିକ ବ୍ରସ ବଦଳରେ କାଠ ବ୍ରଶ କରୁଛନ୍ତି ବ୍ୟବହାର । ଅନ୍ୟପଟେ ସେ ଆସାମର ଏକ ଏନଜିଓରେ କରୁଛନ୍ତି କାମ । ଆଉ ଏଠାକାର ଆଦିବାସୀ କାଠ ବ୍ରଶ ନିର୍ମାଣ କରିବାରେ ସିଦ୍ଧହସ୍ତ । ତାଙ୍କର କୌଶଳକୁ ଆପଣେଇ ନେଇଛନ୍ତି ନିତିନ ।