ଓଡିଶା

odisha

By

Published : Sep 22, 2019, 5:08 AM IST

ETV Bharat / bharat

ଏକାଠି ହେଲେ ମୋଦି-ଟ୍ରମ୍ପ, ଟେନସନରେ ଚୀନ ଓ ପାକିସ୍ତାନ

ଆଜି ହ୍ୟୁଷ୍ଟନରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ । ଏଥିରେ ଟ୍ରମ୍ପଙ୍କ ଯୋଗଦେବା ନେଇ ଜାଣିବା ପରେ ଟେନସନରେ ଚୀନ ଓ ପାକିସ୍ତାନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ହାଇଦ୍ରାବାଦ: ଆଜି ହେଉଛି ସେହି ପ୍ରତିକ୍ଷିତ ଦିନ । ସାରା ବିଶ୍ବ ଦେଖିବ ଆମେରିକା-ଭାରତର ବନ୍ଧୁତ୍ବ । ହୋଷ୍ଟନରେ ପ୍ରାୟ 50 ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ ମୋଦି । ଆଉ ମୋଦିଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେପଟେ ହ୍ବାଇଟ ହାଉସ୍ ପକ୍ଷରୁ ଟ୍ରମ୍ପ ଯୋଗଦେବା ନେଇ ଘୋଷଣା ହେବା ପରେ ଭାରତର ପାରମ୍ପରିକ ଶତୃ ରାଷ୍ଟ୍ର ଚୀନ ଓ ପାକିସ୍ତାନ ଛାତିରେ ପସିଛି ଛନ୍‌କା । ମୋଦିଙ୍କ କାର୍ଯ୍ୟକ୍ରମରେ ଟ୍ରମ୍ପକୁ ଯୋଗଦାନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଉଭୟ ଦେଶ ।

ଟ୍ରମ୍ପକୁ ମଧ୍ୟସ୍ଥି କରି କାଶ୍ମୀର ହାତେଇବାକୁ ଚାହୁଁଥିବା ପାକ୍‌କୁ ଲାଗିଛି ଶକ୍ତ ଝଟ୍‌କା । ହ୍ବାଇଟ ହାଉସ ପକ୍ଷରୁ ଟ୍ରମ୍ପ ଯୋଗଦେବା ନେଇ ଗ୍ରୀନ ସିଗିନାଲ ମିଳିବା ପରଠାରୁ ଉଭୟ ଦେଶ ବିଳିବିଳାଉଛନ୍ତି । ଏପରିକି ଟ୍ରମ୍ପଙ୍କ ଯୋଗଦାନକୁ ନେଇ ପ୍ରଶ୍ନ ଉଠାଇଛି ପାକିସ୍ତାନ । ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କ ଏକ ନୂତନ ସ୍ତରକୁ ପହଞ୍ଚିଛି ବୋଲି ଟ୍ରମ୍ପ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସାରା ବିଶ୍ବକୁ ଦେଖାଇବାକୁ ଚାହୁଁଥିବା ପାକିସ୍ତାନ ଗଣମାଧ୍ୟମ ଆଲୋଚନା କରୁଛି । କାରଣ ଇତିହାସରେ ପ୍ରଥମଥର ପାଇଁ ଆମେରିକା ରାଷ୍ଟ୍ରପତି ଅନ୍ୟଦେଶର ରାଲିରେ ଯୋଗ ଦେଉଛନ୍ତି ।

ଅନ୍ୟପଟେ ଟ୍ରମ୍ପଙ୍କ ଯୋଗଦାନକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା । ତେବେ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ବାସ୍ତବ କଥା ହେଲା ଚୀନ ସାରା ବିଶ୍ବରେ ନିଜର କାୟା ବିସ୍ତାର କରିବାରେ ଲାଗି ପଡିଛି । ଦକ୍ଷିଣ-ଚୀନ ସାଗରରେ ଚୀନ ନିଜର ପ୍ରଭାବ ବିସ୍ତାର କରିବାକୁ ଅଣ୍ଟା ଭିଡିଛି । ଏପରି କରି ଚୀନ ଆମେରିକା ପରି କେତେକ ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଛି । ଏପରିକି ଫିଲିଫାଇନ୍ସ, ଭିଏତନାମ ଭଳି କେତେକ ଦେଶକୁ ନିଜର ବୋଲି କହୁଛି ଚୀନ । କେବଳ ସେତିକି ନୁହେଁ ଦକ୍ଷିଣ-ଚୀନ ସାଗରର ଏକ ବଡ ଅଶଂକୁ ନିଜର ବୋଲି ଦାବି କରୁଛି । ଅନ୍ୟପଟେ ବାଣିଜ୍ୟ-ବ୍ୟାପାରକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ, ଚୀନରେ ସକ୍ରିୟ ଥିବା କିଛି ଆମେରିକୀୟ କମ୍ପାନୀକୁ କାରବାର ବନ୍ଦ କରି ଅନ୍ୟ ସ୍ଥାନକୁ ଚାଲିଯିବାକୁ ଟ୍ରମ୍ପ ଅନୁରୋଧ କରିଛନ୍ତି ।

ସେପଟେ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ଚୀନ ନୌସେନାର ଗତିବିଧି ବଢିବାରେ ଲାଗିଛି । ଯାହାକି ଭାରତ,ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ସମସ୍ତ ରାଷ୍ଟ୍ର ସହ ସୁସମ୍ପର୍କ ସ୍ଥାପନା କରିବାକୁ ଚାହୁଁଛି ଭାରତ । ହେଲେ କାଶ୍ମୀର ପ୍ରସଙ୍ଗକୁ ନେଇ ଚୀନର ଆଭିମୁଖ୍ୟକୁ ନେଇ ଭାରତ ତାର ନୀତିକୁ ବଦଳାଇ ଦେଇଛି । ଏନେଇ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି, ବ୍ୟାପାର ଓ ଯୁଦ୍ଧ ସର୍ବଦା ଭୁଲ୍ ହୋଇନଥାଏ । କେବଳ ବାଣିଜ୍ୟ-ବ୍ୟାପାର ଛଡା ଅନ୍ୟ କୌଣସି ପ୍ରସଙ୍ଗରେ ଚୀନରେ ସହଯୋଗ କାମନା ଧିରେ ଧିରେ କମ୍‌ ହେବାରେ ଲାଗିଛି ବୋଲି ଚୀନକୁ ଟାର୍ଗେଟ କରି ସେ କହିଛନ୍ତି । ଏପଟେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ଯୋଗଦାନ ସିଧାସଳଖ ଚୀନକୁ ଚେତାଇ ଦେଉଛି କି, ଚୀନର ଆର୍ଥିକ ଓ ସୈନ୍ୟ ଶକ୍ତିକୁ ଦୁର୍ବଳ କରିବାକୁ ଏହା ଏକ ଅଭିଯାନ । ଏହି ଅଭିଯାନରେ ଏକ ଶକ୍ତିଶାଳୀ ଯୋଡି ଭାବରେ ଉଭା ହୋଇଛନ୍ତି ଦୁଇ ରାଷ୍ଟ୍ର ।


ପୂର୍ବରୁ ମଧ୍ୟ ଅନେକ ପ୍ରସଙ୍ଗରେ ପାକିସ୍ତାନକୁ ସହଯୋଗ କରି ଆସିଥିଲା ଚୀନ୍ । କିନ୍ତୁ କାଶ୍ମୀର ପ୍ରସଙ୍ଗରେ ଯେଉଁଭଳି ଭାବେ ଚୀନ ପାକିସ୍ତାନକୁ ସହଯୋଗ କରୁଛି ତାହାର ସିଧାସଳଖ ପ୍ରଭାବ ଭାରତ-ଚୀନ ମଧ୍ୟରେ ଥିବା ସମ୍ପର୍କ ଉପରେ ପଡିଛି । ଧାରା 370 ଉଚ୍ଛେଦ ହେବା ପରେ ପାକିସ୍ତାନ ସପକ୍ଷରେ ବାହାରିଥିଲା ଚୀନ । ବିଶ୍ବ ମଞ୍ଚରୁ ଭାରତ ବିରୋଧରେ ସମର୍ଥନ ଏକାଠି କରିବାରେ ଉଭୟ ଲାଗିପଡିଛନ୍ତି । କିନ୍ତୁ କେବଳ ତୁର୍କୀ ଛଡା ଅନ୍ୟ ସମସ୍ତ ରାଷ୍ଟ୍ର ଭାରତ ସପକ୍ଷରେ ବାହାରିଛନ୍ତି । ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର କହି ଦୂରେଇ ରହିଛନ୍ତି ଅନ୍ୟାନ୍ୟ ଦେଶ । ତେବେ କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ନିକଟରେ ଆଗଭର ହୋଇଥିଲା ଆମେରିକା । କିନ୍ତୁ ଭାରତର ରୋକଠୋକ ପରେ ଆମେରିକା ଏଥିରୁ ନିବୃତ ହୋଇଯାଇଛି । ଏପଟେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ଯୋଗଦାନ ପାକିସ୍ତାନକୁ ଏହି ବାର୍ତ୍ତା ଯାଉଛି କି, କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ଆମେରିକାର ସମର୍ଥନ ଆଶା ମଧ୍ୟ କରନ୍ତୁ ନାହିଁ । ପାକିସ୍ତାନ ଯେଭଳି ଭାରତ ଉପରେ ପରମାଣୁ ଯୁଦ୍ଧର ଧମକ ଦେବାରେ ଲାଗିଛି ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ପାକିସ୍ତାନର ଦାୟିତ୍ବବୋଧ ନାହିଁ ।

ସୁରେଶ ବାଫନାଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details