ଅଗରତାଲା: ଭାରତୀୟ ରାଜନୀତିରେ ଦିନେ ନିଜ ସ୍ଥିତି ଜାହିର ପାଇଁ ସଂଘର୍ଷ କରୁଥିବା ଭାରତୀୟ ଜନତା ପାର୍ଟି(ବିଜେପି) ଆଜି ଦିନରେ ସମଗ୍ର ଭାରତବର୍ଷରେ ନିଜର ପାଖୁଡା ଲଗାଇ ପଦ୍ମ ଫୁଟାଇବାରେ ସଫଳ ହୋଇଛି ।
ସମୟ ଥିଲା ପୂର୍ବ ଭାରତର ପାହାଡି ରାଜ୍ୟରେ ଯେଉଁ ଦଳ ନିଜ ମଞ୍ଜି ବୁଣିବାରେ ଅସଫଳ ଥିଲା ଏବେ ସେହି ପାହାଡ ପର୍ବତ ରାଜ୍ୟରେ ପଦ୍ମ ଫୁଟାଇ ନିଜ ରାଜନୈତିକ ପ୍ରତିପକ୍ଷଙ୍କ ନିଦ ହଜାଇ ଦେଇଛି ବିଜେପି । ବର୍ତ୍ତମାନ ପୂର୍ବ ଭାରତର ପାହାଡିଆ ରାଜ୍ୟ ତ୍ରିପୁରାରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଶାସକ ବିଜେପିକୁ ଜବରଦସ୍ତ ସଫଳତା ମିଳିଛି । ନିର୍ବାଚନ ପ୍ରକ୍ରିୟା ଶେଷ ନହେଉଣୁ ବିଜେପି ଉଭୟ ପଞ୍ଚାୟତ ସମିତିଓ ଜିଲ୍ଲା ପରିଷଦରେ 90 ପ୍ରତିଶତରୁ ଉର୍ଦ୍ଧ୍ବ ଆସନରେ ବିଜୟୀ ହେବା ସ୍ପଷ୍ଟ ହୋଇଯାଇଛି । ଗତ ସପ୍ତାହରେ ତ୍ରିପୁରା ନିର୍ବାଚନ କମିଶନ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହ ଦିନ ଧାର୍ଯ୍ୟ କରିଥିଲେ।
ସୂଚନା ମୁତାବକ 6646 ଗ୍ରାମ ପଞ୍ଚାୟତ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ 8ଜୁଲାଇ ଥିବାବେଳେ, ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ 11ଜୁଲାଇ ଓ ଭୋଟ ଗଣତି ପାଇଁ 31 ଜୁଲାଇକୁ ଦିନ ଧାର୍ଯ୍ୟ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି ଆସନ୍ତା ଜୁଲାଇ 27ରେ ରାଜ୍ୟର 850 ଗ୍ରାମପଞ୍ଚାୟତ, 85 ପଞ୍ଚାୟତ ସମିତି ଏବଂ 80 ଜିଲ୍ଲା ପରିଷଦ ସିଟ ପାଇଁ ଭୋଟ ଗ୍ରହଣ ହେବ । କମିଶନ ଆହୁରି କହିଛନ୍ତି ଯେ ରାଜ୍ୟର ଅନେକ ଆସନରେ କଂଗ୍ରେସ, ସିପିଆଇଏମ ନିଜ ପ୍ରାର୍ଥୀ ଦେଇ ନାହାନ୍ତି ଯାହାଦ୍ବାରା ବିଜେପି ବହୁ ସିଟରେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବାକୁ ଯାଉଛି ବୋଲି କହିଛନ୍ତି ।
ମୋଟ ଗ୍ରାମ ପଞ୍ଚାୟତ 6646ରୁ ଏବେ କେବଳ 591ଟି ପଞ୍ଚାୟତରେ ନିର୍ବାଚନ ହେବ ଓ 35 ପଞ୍ଚାୟତ ସମିତି(419) ଆସନ ସହ 8ଟି ଜିଲ୍ଲା ପରିଷଦ ଜୋନର (116) ଆସନରେ ଆସନ୍ତା 27ରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ବିଜେପି ଗୁଣ୍ଡାରାଜ କରି ବିରୋଧୀଙ୍କୁ ପ୍ରାର୍ଥୀ ପତ୍ର ଦାଖଲ କରାଇ ଦେଲା ନାହିଁ ବୋଲି ଅଭିଯୋଗ କରିଛି ସିପିଆଇଏମ ।
ଅନ୍ୟପଟେ ବିଜେପି ନେତା ନେବେନ୍ଦୁ ଭଟ୍ଟାଚାର୍ଯ୍ୟ କହିଛନ୍ତି ରାଜ୍ୟରେ ବିରୋଧି ନିଜର ପରାଜୟ ସୁନିଶ୍ଚିତ ଜାଣି ପ୍ରାର୍ଥୀ ଦେଇ ନାହାନ୍ତି। ଏହାସହ ବିରୋଧୀ ଦଳରେ ପ୍ରାର୍ଥୀ ନାହାନ୍ତି ବୋଲି କହିଛି ବିଜେପି।