ଭୁବନେଶ୍ବର: ରାଜ୍ୟରେ କୋଭିଡ-19ରେ ଦ୍ବିତୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ଏହାସହ ରାଜ୍ୟରେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ପଜିଟିଭ ସଂଖ୍ୟା 177ରେ ପହଞ୍ଚିଛି ।
ମୃତ ବ୍ୟକ୍ତି ଜଣଙ୍କ ଭୁବନେଶ୍ବର ମଧୂସୁଦନ ନଗର ଅଞ୍ଚଳର ବୋଲି ଜଣାପଡିଛି । ସେ KIMSରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 77 ବର୍ଷ ହୋଇଥିବା ନେଇ ସୂଚନା ରହିଛି । ତେବେ ସେ ଏପ୍ରିଲ 28ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହାସହ ତାଙ୍କର ଡାଇବେଟିସ, କିଡନୀ ଓ ହାଇପରଟେନସନ ଭଳି ରୋଗଥିବା ନେଇ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି ।
ସେପଟେ ରାଜ୍ୟରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋରୋନା ପଜିଟିଭ ଜଣଙ୍କ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ସେ ସୁରତ ଫେରନ୍ତା ବୋଲି ଜଣାପଡିଛି । ତେବେ ତାଙ୍କ ବୟସ 18 ବର୍ଷ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ଏହାକୁ ମିଶାଇ ଏବେ ଗଞ୍ଜାମରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4 ରେ ପହଞ୍ଚିଛି ।
ପୂର୍ବରୁ ରାଜ୍ୟରେ କୋରୋନାରେ ଖୋର୍ଦ୍ଧା ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ଥରେ ଖୋର୍ଦ୍ଧାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ତେବ ରାଜ୍ୟରେ ପଜିଟିଭ ସଂଖ୍ୟା 177ରେ ପହଞ୍ଚିଥିବା ବେଳେ 60 ଜଣ ସୁସ୍ଥ ହୋଇଛନ୍ତି । 115 ଜଣ ଆକ୍ରାନ୍ତ ଏବେ ବି ଚିକିତ୍ସା ହେଉଛନ୍ତି ।