ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତିର ଶୀର୍ଷରେ ଥାଇ ମଧ୍ୟ ଆମେ କୋରୋନା ପାଇଁ ଉପଶମ ଖୋଜିବାରେ ଅସମର୍ଥ କାହିଁକି ? ଚିକିତ୍ସା ବିଜ୍ଞାନ କାହିଁକି ଆଣ୍ଟିଭାଇରାଲ୍ ଅନୁସନ୍ଧାନରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରୁନାହିଁ ? ବିଶ୍ବରେ ଦ୍ରୁତଗତି କାୟା ବିସ୍ତାର କରୁଥିବା ମହାମାରୀ କୋରୋନାର ଅନିୟନ୍ତ୍ରିତ ସ୍ଥିତିକୁ ଦେଖି ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି ।
ଏମିତି ଏକ ସମୟ ଥିଲା ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବାକୁ ଯାଉଥିଲା ଏବଂ ଠିକ ସେତିକିବେଳେ ପେନିସିଲିନ୍ ନାମକ ସୁପର ଡ୍ରଗ୍ ଉଦ୍ଭାବନ କରାଯାଇଥିଲା । ଏହା ପ୍ରଥମ ଆଣ୍ଟିବାୟୋଟିକ୍ ଥିଲା ଯାହା ଲକ୍ଷ ଲକ୍ଷ ସୈନିକଙ୍କୁ ସଂକ୍ରମଣରୁ ରକ୍ଷା କରିଥିଲା । ସେବେଠାରୁ ଅନେକ ଜୀବନ ରକ୍ଷାକାରୀ ଔଷଧ ମଣିଷକୁ ଉଦ୍ଧାର କରିବାକୁ ପାଇଁ ଆସିଛି । ଯଦିଓ ଅନେକ ଆଣ୍ଟିବ୍ୟାକ୍ଟେରିଆଲ୍ ଔଷଧ ବିଭିନ୍ନ ରୋଗକୁ ଦୂର କରି ମାନବିକତା ପାଇଁ ସହାୟକ ହୋଇଛି, ତଥାପି ଆଣ୍ଟିଭାଇରାଲ୍ ଔଷଧ କ୍ଷେତ୍ରରେ ସେତେଟା ଉନ୍ନତି ହୋଇନାହିଁ । ପ୍ରତ୍ୟେକ ଥର ଏଚ.ଆଇ.ଭି, ଇବୋଲା, ସାର୍ସ କିମ୍ବା ନିପାହ ଭଳି ନୂତନ ଭାଇରାଲ ସଂକ୍ରମଣ ଆମକୁ ସମ୍ପୂର୍ଣ୍ଣ ଅସହାୟ କରି ଦେଇଥାଏ । ଆଣ୍ଟିଭାଇରାଲ୍ ଔଷଧର ବିକାଶ କାହିଁକି ଜଟିଳ ? ଆଣ୍ଟିବାୟୋଟିକ୍ ଠାରୁ ସେମାନଙ୍କୁ କ’ଣ ଭିନ୍ନ କରେ ? ଏହାର ଉତ୍ତର ବ୍ୟାକ୍ଟେରିଆ ଏବଂ ଭାଇରସର ମର୍ଫୋଲୋଜିକାଲ୍ ବୈଶିଷ୍ଟ୍ୟରେ ରହିଛି ।
ବ୍ୟାକ୍ଟେରିଆ ଏବଂ ଭାଇରସ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି । ବ୍ୟାକ୍ଟେରିଆ ହେଉଛି ମାଇକ୍ରୋବେସ ଯାହା ନିଜେ ବଞ୍ଚିପାରିବ ଏବଂ ବୃଦ୍ଧି କରିପାରିବ । ସେଗୁଡ଼ିକ ହେଉଛି ପ୍ରୋକାରିଓଟିସ, ଏକକ ବନ୍ଦ ଡିଏନଏ ସର୍କଲକୁ ନେଇ ଗଠିତ । ଯଦିଓ ସେଗୁଡିକ ମାନବ କୋଷ ସହିତ ସମାନ, ସେମାନଙ୍କର କିଛି ବିଶେଷ ଗୁଣ ଅଛି । ଉଦାହରଣ ସ୍ୱରୂପ, ସେମାନଙ୍କର କୋଷ କାନ୍ଥ ଅଛି, ଯାହା ପେପ୍ଟିଡୋଗ୍ଲାଇକାନ୍ ନାମକ ଏକ ପଲିମରରେ ନିର୍ମିତ । ତେବେ ଏହି ବ୍ୟାକ୍ଟେରିଆର କୋଷ କାନ୍ଥ ପ୍ରାୟତଃ କୌଣସି ଆଣ୍ଟିବାୟୋଟିକ୍ ଚିକିତ୍ସା ପାଇଁ ଏକ ଲକ୍ଷ୍ୟ ଅଟେ । ଏହାର ଅର୍ଥ ହେଉଛି ବ୍ୟାକ୍ଟେରିଆ ମାରିବା କିମ୍ବା ସେମାନଙ୍କର ଅଭିବୃଦ୍ଧିକୁ ମନ୍ଥର କରି ସ୍ଥଗିତ କରି ଆଣ୍ଟିବାୟୋଟିକ୍ କାମ କରେ । ପେପ୍ଟିଡୋଗ୍ଲାଇକାନ୍ ଥିବା ବ୍ୟାକ୍ଟେରିଆର କୋଷ କାନ୍ଥ ଉପରେ ଆକ୍ରମଣ କରି ସେମାନେ ଏହା କରନ୍ତି ।
ନିରାପଦ ଏବଂ ପ୍ରଭାବଶାଳୀ ଆଣ୍ଟିଭାଇରାଲ୍ ଔଷଧର ପରିକଳ୍ପନା କରିବା କଷ୍ଟସାଧ୍ୟ, କାରଣ ଭାଇରସ ଗୁଡିକ ନକଲ ପାଇଁ ହୋଷ୍ଟ ସେଲର ବ୍ୟବହାର କରନ୍ତି । ଯେହେତୁ ଭାଇରସର ନିଜସ୍ୱ ବାୟୋକେମିକାଲ୍ ଯନ୍ତ୍ରକୌଶଳ ନାହିଁ, ସେମାନେ ହୋଷ୍ଟ ସେଲରେ ପ୍ରବେଶ କରନ୍ତି ଏବଂ ସେହି ଯନ୍ତ୍ରଗୁଡ଼ିକୁ ସେମାନଙ୍କ ଜୀବନ ପ୍ରକ୍ରିୟା ପାଇଁ ବ୍ୟବହାର କରନ୍ତି । ଯେହେତୁ ଭାଇରସ ସେମାନଙ୍କର ଜେନେଟିକ୍ ସାମଗ୍ରୀକୁ ମାନବ କୋଷର ଡିଏନଏରେ ପୁନଃ ଉତ୍ପାଦନ କରିବା ପାଇଁ ଭର୍ତ୍ତି କରନ୍ତି, ତେଣୁ ହୋଷ୍ଟ ସେଲରୁ ଭାଇରସକୁ ପୃଥକ କରିବା କଷ୍ଟକର । ତେଣୁ ଆଣ୍ଟିଭାଇରାଲ୍ ବିକାଶରେ ଏହା ହେଉଛି ମୁଖ୍ୟ ପ୍ରତିବନ୍ଧକ । କେତେକ ଭାଇରସ ହୋଷ୍ଟର ଶରୀରରେ ସୁସ୍ଥ ରହିପାରନ୍ତି ଏବଂ ଅନ୍ୟ କେତେକ ଧୀରେ ଧୀରେ ବିକଶିତ ହୁଅନ୍ତି । କେତେକ ଭାଇରସ ଏତେ ଶୀଘ୍ର ନକଲ କରିପାରିବେ ଯେ ସେମାନେ ଶରୀରର ଅନ୍ୟ ଅଙ୍ଗକୁ ସଂକ୍ରମିତ କରି ହୋଷ୍ଟ ସେଲଗୁଡ଼ିକୁ ନଷ୍ଟ କରନ୍ତି । ଅଧିକାଂଶ ଆଣ୍ଟିଭାଇରାଲ୍ ଏଜେଣ୍ଟମାନେ ଭାଇରାଲ୍ ଡିଏନଏ ସିନ୍ଥେସିସ୍ ପ୍ରତିରୋଧ କରି କାର୍ଯ୍ୟ କରନ୍ତି । ପ୍ରତିରକ୍ଷା କୋଷ ଉପରେ ଆଣ୍ଟିଭାଇରାଲର ଏପରି ପ୍ରତିବନ୍ଧକ ପ୍ରଭାବ ରୋଗ ପ୍ରତିରୋଧକ ଅବନତିରେ ସହାୟକ ହୋଇପାରେ ।
ଯଦି ଆଣ୍ଟିଭାଇରାଲ ଭାଇରସ ଜୀବନ ଚକ୍ରକୁ ଟାର୍ଗେଟ କରିପାରନ୍ତି ତେବେ ଭାଇରସ ବିଲୋପ କରିବା କଷ୍ଟକର ନୁହେଁ । କିନ୍ତୁ ସବୁଠାରୁ ବଡ ଜଟିଳତାର ବିଷୟ ହେଉଛି ଯେକୌଣସି ଆଣ୍ଟିଭାଇରାଲ୍ ଔଷଧ ଭାଇରସକୁ ଟାର୍ଗେଟ୍ କରିବା ପ୍ରକ୍ରିୟାରେ ହୋଷ୍ଟ ସେଲଗୁଡ଼ିକୁ କ୍ଷତି ପହଞ୍ଚାଇଥାନ୍ତି । ବର୍ତ୍ତମାନ ଉପଲବ୍ଧ ଅଧିକାଂଶ ଆଣ୍ଟିଭାଇରାଲ୍ ଔଷଧ ଏଚ.ଆଇ.ଭି, ହର୍ପସ୍ ଇତ୍ୟାଦି ଭାଇରସ ଗୁଡିକ ନିର୍ଦ୍ଦିଷ୍ଟ ଭାଇରସର ପ୍ରକୃତି ଉପରେ ଡିଜାଇନ୍ ହୋଇଛି, ତଥାପି ହୋଷ୍ଟ ଔଷଧ ଉପରେ ଏହି ଔଷଧର ପ୍ରଭାବ ପ୍ରଭାବିତ ହୋଇଥାଏ । ଭାଇରସର ନିର୍ଭରଶୀଳତା, ଏହି ଔଷଧ ଗୁଡିକ କାମ କରିବାର ସମ୍ଭାବନାକୁ କମ୍ କରିଥାଏ । ତେବେ ଦୁର୍ଭାଗ୍ୟବଶତଃ ଭାଇରସର ମୋରଫୋଲଜି ଏବଂ ପ୍ରକୃତି ଗୋଟିଏ ପରିବାରରୁ ଅନ୍ୟ ପରିବାର ମଧ୍ୟରେ ବହୁତ ଭିନ୍ନ । ଏହି ସମସ୍ତ କାରଣ ଆଣ୍ଟିଭାଇରାଲ୍ ବିକାଶକୁ ଜଟିଳ କରିଥାଏ ।
ସମ୍ପ୍ରତି କୋଭିଡ-19 ସଂକ୍ରମିତ ରେମଡେସିଭିର, ଲୋପିନାଭିର, ରିଟୋନାଭିର ଏବଂ ରିବାଭିରିନ ପରି ଆଣ୍ଟିଭାଇରାଲ ସହିତ ପରୀକ୍ଷାମୂଳକ ଭାବରେ ଚିକିତ୍ସିତ ହେଉଛନ୍ତି । ଯଦିଓ ସେମାନେ କାମ କରିଥିବା ପରି ମନେହୁଏ, ସେମାନଙ୍କର ଫଳାଫଳର ସମ୍ପୂର୍ଣ୍ଣ ପରିମାଣ କେବଳ ବଡ଼ ଆକାରର ପରୀକ୍ଷଣ ଦ୍ୱାରା ଜଣାପଡିପାରେ । କେବଳ କୋଭିଡ-19 ପାଇଁ ଏକ ନୂତନ ଆଣ୍ଟିଭାଇରାଲ୍ ଔଷଧର ଆବିଷ୍କାର ସାରା ଖେଳକୁ ପରିବର୍ତ୍ତନ କରିପାରେ । ଏଥିପାଇଁ ଭାଇରସର ଗଠନ ଏବଂ ଏହା ହୋଷ୍ଟ ସେଲଗୁଡ଼ିକ ସହିତ କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ଭାବରେ ବୁଝିବା ଆବଶ୍ୟକ । କୋରୋନା ଭାଇରସର ଜିନୋମ୍ ଯେତେ ଶୀଘ୍ର ମ୍ୟାପ୍ ହୋଇପାରିବ, ସେତେ ଶୀଘ୍ର ଉପଶମ ମିଳିପାରିବ । ବିଶ୍ବବ୍ୟାପୀ ବୈଜ୍ଞାନିକମାନେ କୋରୋନା ପାଇଁ ଉପଶମ ଖୋଜିବା ପାଇଁ ଘଣ୍ଟା ଘଣ୍ଟା କାମ କରୁଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବିଭିନ୍ନ ଦେଶର ଅନୁସନ୍ଧାନକାରୀଙ୍କ ମଧ୍ୟରେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁଛି । ଯେପର୍ଯ୍ୟନ୍ତ ଆମେ ଏହାର ଏକ ଉପଶମ ନ ପାଇଛୁ ସେ ପର୍ଯ୍ୟନ୍ତ ଆମେ ସାମାଜିକ ଦୂରତା ବଜାୟ ରଖିବା ସହ ବ୍ୟକ୍ତିଗତ ସ୍ୱଚ୍ଛତାକୁ ଗ୍ରହଣ କରିବା ଆବଶ୍ୟକ ।