କରାଚି: ମହଙ୍ଗା ମାଡ଼ରେ କଲବଲ ହେଉଛି ପାକିସ୍ତାନ । ପ୍ରାୟ ସବୁ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏଥିରେ ହାତ ମାରିବା ମଧ୍ୟମବର୍ଗଙ୍କ ପାଇଁ ଏବେ ଏହା ବେଶ କଷ୍ଟ ସାଧ୍ୟ ହୋଇପଡ଼ିଛି । ଗତ ଶନିବାର ଟମାଟୋ ଦର 320 ଟଙ୍କା ରହିଥିବା ବେଳେ ସୋମବାର ଏହା ଖସି ଆସି ଦେଢ ସହ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ ରବିବାର ଇଦ ମିଲାଦ ଉନ ନବୀ ପର୍ବ ପାଳିତ ହୋଇଥିଲା। ଏହାର ଠିକ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶନିବାର ଟମାଟୋ ଦର କିଲୋ ପିଚ୍ଛା 320 ଟଙ୍କାରେ ବିକ୍ରି ହୋଇଥିଲା। ମାତ୍ର ଏହାର ଦୁଇ ଦିନ ପରେ ଅର୍ଥାତ ସୋମବାର ଟମାଟୋ କିଲୋ ପିଛା 140ରୁ 170 ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ଜଣାପଡ଼ିଛି।
ଏହି ଆକାଶଛୁଆଁ ଦର ପ୍ରଭାବରେ ଖୁଚୁରା ବ୍ୟବସାୟୀ ଟମାଟୋ ବିକ୍ରି କରିବା ଏକ ପ୍ରକାର ବନ୍ଦ କରିଦେଇଛନ୍ତି। ସେହିପରି ଗୃହିଣୀ ଟମାଟୋ ରାନ୍ଧିବା ବନ୍ଦ କରିଦେଇଥିବା ବେଳେ ଏହାର ବିକଳ୍ପ ଖୋଜୁଥିବା କହିଛନ୍ତି। ପାକିସ୍ତାନର ଜଣେ ନାଗରିକ କୁଲସୁମ ବିବି କହିଛନ୍ତି କି ଟମାଟର ଦର ଆକାଶଛୁଆଁ ରହିଛି । ଏଥିପାଇଁ ଏହାର ବିକଳ୍ପ ଭାବେ ୟୋଗର୍ଟର ବ୍ୟବହାର କରାଯାଉଛି।
ସେହିଭଳି ଅନ୍ୟ ଜଣେ ଗୃହିଣୀ କହିଛନ୍ତି କି, ଟମାଟୋ ଦରକୁ ଦେଖି ରୋଷେଇ ଶାଳାରେ ଏହାକୁ ବନ୍ଦ କରିବାକୁ ପଡ଼ୁଛି । ଏଣିକି ଏହାର ଦର କମିବ ସେବେ ଅଧିକ ମାତ୍ରା ଏହାକୁ କିଣି ଫ୍ରିଜରେ ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଖୁଚୁରା ବ୍ୟବସାୟୀ ଅବ୍ଦୁଲ କରିମ କହିଛନ୍ତି କି, ଜମାଖୋର ଏବଂ ଲାଭଖୋର ବ୍ୟବସାୟୀଙ୍କ କାରଣରୁ ଟମାଟୋ ଦର ଉଚ୍ଚା ରହିଛି।
ସେପଟେ କରାଚି ଖୁଚୁରା ବ୍ୟବସାୟୀ ସଂଘର ସଭାପତି ହାଜୀ ସାହଜାହାନ କହିଛନ୍ତି କି, ବେଲୁଚିସ୍ତାନରୁ ଟମାଟର ଆମଦାନୀ କମ ରହିଛି। ଏପରିକି ଇରାନରୁ ଆସୁଥିବା ଟମାଟୋ ମଧ୍ୟ ପହଞ୍ଚି ପାରୁନାହିଁ। ଅନ୍ୟ ସ୍ଥାନରୁ ମଧ୍ୟ ଟମାଟୋ ଆସିବା ଏକ ପ୍ରକାର ବନ୍ଦ ହୋଇ ପଡ଼ିଛି । ନୂଆ ଅମଳ ବାହାରିବା ପର୍ଯ୍ୟନ୍ତ ଟମାଟୋର ଦର ଏହିଭଳି ଉଚ୍ଚା ରହିବ ବୋଲି ସେ ସୂଚନା ଦେଇଛନ୍ତି।