ପାଟନା: ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତିଶ କୁମାର । ଏନଡିଏ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ଆଜି ଅପରାହ୍ନରେ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସପ୍ତମଥର ପାଇଁ ସେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
17 ତମ ବିଧାନସଭାର 37 ତମ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ବିହାରବାସୀଙ୍କ ନେତୃତ୍ବ ନେବେ । ଗତକାଲି ନବ ନିର୍ବାଚିତ ଏନଡିଏ ବିଧାୟକମାନେ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରିଥିଲେ ।
ଏନଡିଏ ବୈଠକ ସରିବା ପରେ ନୀତିଶ କୁମାର ରାଜଭବନ ଯାଇଥିଲେ । ପରେ ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟିବା ସହ ବିହାରରେ ସରକାର ଗଢିବାକୁ ଦାବି ରଖିଥିଲେ । ଏହାପରେ ନୀତିଶ କୁମାରଙ୍କୁ ବିହାରରେ ସରକାର ଗଠନ ପାଇଁ ରାଜ୍ୟପାଳ ସହମତି ପ୍ରକାଶ କରିଛନ୍ତି । ଆଜି ଅପରାହ୍ନରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାସହ ଖୁବଶୀଘ୍ର ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ସେ ନୀତିଶ କୁମାର ରବିବାର କହିଛନ୍ତି ।
ବିଜେପି, ଜେଡିୟୁ, ହମ୍ ଏବଂ ଭିଆଇପିର ନବନିର୍ବାଚିତ 125 ବିଧାୟକଙ୍କୁ ନେଇ ବୈଠକ ବସିଥିଲା । ନୀତିଶ କୁମାରଙ୍କ ବାସଭବନରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ । ଏନଡିଏର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ସେ ଏହି ବୈଠକରେ ଯୋଗ ଦେଇଥିଲେ ।