ହାଇଦ୍ରାବାଦ: ଆଜି ପବିତ୍ର ଧନତେରାସ । କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିକୁ ଧନ ତ୍ରୟୋଦଶୀ କୁହାଯାଇଥାଏ। ଏହାକୁ ଧନତେରାସ ମଧ୍ୟ କୁହାଯାଏ। ଧନତେରାସ ଅର୍ଥ ଧନ ବର୍ଷାର ଦିନ। ଏହି ଦିନ ଯମରାଜ, ଲକ୍ଷ୍ମୀ, ଧନ୍ବନ୍ତରୀଙ୍କ ସହ କୁବେରଙ୍କୁ ପୂଜା କରାଯାଏ । ଏହି ତିଥି ଅତ୍ୟନ୍ତ ଶୁଭ ଏବଂ ଏହି ଦିନ ଅର୍ଥ ଓ ଧନଲାଭର ସୁଯୋଗ ମିଳିଥାଏ ବୋଲି ମାନ୍ୟତା ରହିଛି । ବିଶ୍ବାସ ଅଛି ଯେ, ଏଭଳି ପବିତ୍ର ଦିନରେ ସୁନାରୁପା କିଣି ଘରକୁ ଆଣିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
ଶାସ୍ତ୍ର, ପୁରାଣ ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଅନ୍ୟ ଦୁର୍ଲଭ ଏବଂ ମୂଲ୍ୟବାନ ବସ୍ତୁ ବ୍ୟତୀତ ଶରଦ ପୂର୍ଣ୍ଣିମା ଦିନ ଚନ୍ଦ୍ର, କାର୍ତ୍ତିକ ଦ୍ବାଦଶୀ ଦିନ କାମଧେନୁ ଗାଈ, ତ୍ରୟୋଦଶୀ ଦିନ ଧନ୍ବନ୍ତରୀ ଏବଂ କାର୍ତ୍ତିକ ମାସର ଅମବାସ୍ୟା ତିଥିରେ ଭଗବତୀ ମାଆ ଲକ୍ଷ୍ମୀଙ୍କ ଅବତରଣ ହୋଇଥିଲା । ଏହି କାରଣରୁ ଦୀପାବଳି ଦିନ ଲକ୍ଷ୍ମୀ ପୂଜା ଏବଂ ଏହାର ପୂର୍ବ ତ୍ରୟୋଦଶୀ ଦିନ ଭଗବାନ ଧନ୍ବନ୍ତରୀଙ୍କ ଜନ୍ମ ଦିବସ ଧନତେରାସ ରୂପେ ପାଳନ କରାଯାଇଥାଏ ।