ଓଡିଶା

odisha

ETV Bharat / bharat

ଆଜି ମିସାଇଲ ମ୍ୟାନ କଲାମଙ୍କ ଶ୍ରାଦ୍ଧବାର୍ଷିକୀ

ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧ ବାର୍ଷିକୀ । ଅନ୍ତରୀକ୍ଷ କ୍ଷେତ୍ରରେ ଆଜି ଭାରତ ଯେଉଁଠି ପହଞ୍ଚି ପାରିଛି, ତାହା କେବଳ ତାଙ୍କର ହିଁ ଅବଦାନ । ଶିକ୍ଷକତାକୁ ବୃତ୍ତି କରିଥିବା କଲାମଙ୍କ ଜୀବନର ଶେଷ ମୁହୂର୍ତ୍ତ ଛାତ୍ର ଗ୍ରହଣରେ ବିତିଥିଲା ।

By

Published : Jul 27, 2019, 2:30 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ହେଉଛି ମିସାଇଲ ମ୍ୟାନ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କର 4ର୍ଥ ଶ୍ରାଦ୍ଧ ବାର୍ଷିକୀ । ଜୀବନର ପ୍ରାରମ୍ଭରୁ ଶିକ୍ଷା ଓ ଶିକ୍ଷକତାକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିଥିବା କଲାମ ଜୀବନର ଶେଷ ମୁହୂର୍ତ୍ତ ମଧ୍ୟ ଛାତ୍ରଙ୍କ ଗହଣରେ ବିତାଇଥିଲେ । 85 ବର୍ଷ ବୟସରେ ମଧ୍ୟ ଯୁବ ସୁଲଭ ଉଦ୍ଦାମତା ରଖୁଥିବା କଲାମ 2015 ମସିହା ଜୁଲାଇ 27 ତାରିଖରେ ମେଘାଳୟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମେଘାଳୟର ସିଲଂରେ ଆଇଆଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଉଥିବା ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।

ଭାରତର ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କ ମଧ୍ୟରେ ପରିଗଣିତ ଡ.ଅବଦୁଲ କଲାମଙ୍କ ଜନ୍ମ 1931 ମସିହା ଅକ୍ଟୋବର 15 ତାରିଖରେ ହୋଇଥିଲା । ସେ ତାମିଲନାଡୁର ରାମେଶ୍ବରମସ୍ଥିତ ଏକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବା ହେତୁ ପିଲା ଦିନେ ଖବର କାଗଜ ବିକ୍ରି କରୁଥିଲେ କଲାମ । ରାମେଶ୍ବରମରେ ପ୍ରାରମ୍ଭିକ ଶିକ୍ଷା ଅର୍ଜନ କରି ସେଣ୍ଟ ଜୋସେଫରେ ସ୍ନାତକ ଏବଂ ମାଦ୍ରାସ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକନୋଲୋଜିରୁ ଏରୋନେଟିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ନିଜ କଠିନ ପରିଶ୍ରମ ଏବଂ ଉଚ୍ଚ ଧରଣର ଚିନ୍ତାଧାରା ଯଗୁଁ 2002 ମସିହାରେ ରାଷ୍ଟ୍ରପତି ଭାବେ ଦେଶର ସର୍ବୋଚ୍ଚ ନାଗରିକ ପଦରେ ଅବସ୍ଥାପିତ ହୋଇଥିଲେ କଲାମ । ଦାରିଦ୍ରତାରେ ଜୀବନ ବିତାଇଥିବା କଲାମ ଜଣେ ସଫଳ ବୈଜ୍ଞାନିକ ଏବଂ ଇଞ୍ଜିନିୟର ଭାବେ ଖ୍ୟାତି ଅର୍ଜନ କରିଥିଲେ ।

ବିଦ୍ୟାର୍ଥୀଙ୍କ ପ୍ରତି କଲାମଙ୍କ ମନରେ ଥିଲା ସ୍ବତନ୍ତ୍ର ସ୍ଥାନ । ଏଥିପାଇଁ ସଂଯୁକ୍ତ ରାଷ୍ଟ୍ର ତାଙ୍କ ଜନ୍ମ ଦିବସକୁ ବିଦ୍ୟାର୍ଥୀ ଦିବସ ରୂପେ ପାଳନ କରୁଛି । ଦେଶର ସମସ୍ତ ସର୍ବୋଚ୍ଚ ପୁରସ୍କାର ଦ୍ବାରା ସମ୍ମାନିତ କଲାମ । ସେ 1981ରେ ପଦ୍ମ ଭୂଷଣ, 1990ରେ ପଦ୍ମ ବିଭୂଷଣ ଓ 1997 ରେ ଭାରତ ରତ୍ନରେ ସମ୍ମାନିତ ହୋଇଥିଲେ ।

ମିସାଇଲ ମ୍ୟାନ ନାମରେ ପରିଚିତ କଲାମଙ୍କୁ ଭାରତୀୟ ମିସାଇଲ ପ୍ରୋଗ୍ରାମର ଜନକ ବୋଲି କୁହାଯାଏ । 1962 ମସିହାରେ ସେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସହ ଜଡ଼ିତ ହେଲେ । ତାଙ୍କ ନେତୃତ୍ବରେ ଭାରତ ନିଜର ପ୍ରଥମ ସ୍ବଦେଶୀ ଉପଗ୍ରହ ପ୍ରକ୍ଷେପଣ ଯାନ ପିଏସଏବି-3 କୁ ବିକଶିତ କରିଥିଲା ଏବଂ 1980 ରେ ପ୍ରଥମ ଉପଗ୍ରହ ରୋହିଣୀକୁ ମହାକାଶରେ ଅବସ୍ଥାପିତ କରିଥିଲା । ଏହାପରେ 1982 ରେ ପ୍ରତିରକ୍ଷା ଗବେଷଣା ବିକାଶ ସଂସ୍ଥା (ଡିଆରଡିଓ) ତାଙ୍କ ନେତୃତ୍ବରେ ନାଗ, ପୃଥିବୀ, ଆକାଶ, ତ୍ରିଶୂଳ ଏବଂ ଅଗ୍ନି ଭଳି କ୍ଷେପଣାସ୍ତ୍ରର ବିକାଶ କରିଥିଲା।

ABOUT THE AUTHOR

...view details