ସୁନ୍ଦରବନ: ପଶ୍ଚିମବଙ୍ଗର ସୁନ୍ଦରବନ ଜଙ୍ଗଲ । ଜଙ୍ଗଲ ଦେବୀ ବନବିବିଙ୍କ ଦୁନିଆ । ହେଲେ ଏଠି ରାଜ କରନ୍ତି ବାଘ । ଆଉ ପେଟ ପାଇଁ ଜୀବନକୁ ବାଜି ଲଗାନ୍ତି ଏଠିକା ଗରିବ ଲୋକ । ଜୀବନଜୀବିକା ଓ ପେଟର ଭୋକ ମେଣ୍ଟାଇବା ପାଇଁ ଏମାନେ ମାଛ, କଙ୍କଡା ଆଦି ଧରିବାକୁ, ମହୁ ସଂଗ୍ରହ କରିବା ପାଇଁ ବାରମ୍ବାର ମ୍ୟାନଗ୍ରୋଭ ଜଙ୍ଗଲକୁ ଯାଇଥାନ୍ତି । ଆଉ ବାଘ ଆକ୍ରମଣର ଶିକାର ହୋଇ ଜୀବନ ହରାନ୍ତି ସ୍ଥାନୀୟ ପୁରୁଷ । ଯେଉଁଥିପାଇଁ ଏଠି ବଢୁଛି ବିଧବାଙ୍କ ସଂଖ୍ୟା ।
ସରକାରୀ ତଥ୍ୟ ଅନୁସାରେ 2019ରେ, ବିଧବାଙ୍କ ସଂଖ୍ୟା 4 ରହିଥିଲା... କିନ୍ତୁ ବାସ୍ତବିକ ସଂଖ୍ୟା ହେଉଛି 11 । ନେତିଧୁପାନୀ, ପୀରଖାଲୀ ଏବଂ ଏହାର ଆଖପାଖ ଗାଁରେ ବିଧବାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋସାବାର ଶ୍ରୀନାଥ ମଣ୍ଡଳ ଏବଂ ସୁବଳ ସର୍ଦ୍ଦାରଙ୍କ ଭଳି ଅନେକ ଲୋକ ଯିଏ ମାଛ ଧରି ଯାଇଥିଲେ, ସେମାନେ ଆଉ କେବେ ଫେରିନାହାନ୍ତି । ଶ୍ରୀନାଥଙ୍କ ପତ୍ନୀ ରୀତି ଆଜି ବି ସ୍ବାମୀଙ୍କ ସ୍ମୃତିକୁ ମନେ ପକାଇ ଝୁରି ହୋଉଛନ୍ତି । ହେଲେ ସେ ଜାଣନ୍ତି ସ୍ବାମୀ ଶ୍ରୀନାଥ ଆଉ କେବେ ବି ଫେରିବେନି । ସେଦିନ ଶ୍ରୀନାଥ ଆଉ ସୁବଳଙ୍କ ସହ ସାଥୀ ସହଯୋଗୀ ମନୋରଞ୍ଜନ ଜନା ବି ଜଙ୍ଗଲ ଯାଇଥିଲେ । ହେଲେ ସେ ବଞ୍ଚିଯାଇଥିଲେ ।
ଏଠାର ମୁଖ୍ୟ ସମସ୍ୟା ଦାରିଦ୍ର୍ୟ । ଆଉ ଏଠାର ଲୋକମାନେ ଟିକେ ଅଧିକ ରୋଜଗାର କରିବା ଆଶାରେ ବିପଦ ଉଠାନ୍ତି ଏବଂ ବାଘ ହାବୁଡରେ ପଡନ୍ତି । କେବେ କେବେ ଗ୍ରାମବାସୀ ଜଙ୍ଗଲୀଜନ୍ତୁଙ୍କ ଶିକାର ହୋଇଥିବା ସହଯୋଗୀଙ୍କ ମୃତଦେହ ବି ପାଆନ୍ତି ନାହିଁ । ଏଭଳି ସ୍ଥିତିରେ ବିଧବାଙ୍କୁ ନିଜ ପିଲାମାନଙ୍କ ରକ୍ଷଣାବେଖଣା ପାଇଁ ଅସହାୟ ସ୍ଥିତି ଦେଇ ଗତି କରିବାକୁ ପଡିଥାଏ ।