ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଘାଟି ନିକଟ ଏଲଏସିରୁ ଚୀନ ସେନା ଦୁଇ କିଲୋମିଟର ପଛକୁ ଯିବାପରେ ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇଛନ୍ତି ତିବ୍ବତିୟାନ ଯୁବ କଂଗ୍ରେସ(ଟିୱାଇସି) । ସେନା ସହ ଭାରତ ସରକାରଙ୍କୁ ମଧ୍ୟ ଯୁବ କଂଗ୍ରେସ ପକ୍ଷରୁ ଅଭିନନ୍ଦନ ଜଣାଯିବା ସହ ଚୀନକୁ କଡାସମାଲୋଚନା କରାଯାଇଛି । ଏହାସହ ଚୀନ ଭରସାଯୋଗ୍ୟ ହୋଇନଥିବାରୁ ସରକାର ସାବଧାନତା ବଜାୟ ରଖିବାକୁ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଭାରତ-ଚୀନ ସୀମା ବିବାଦ ମଧ୍ୟରେ ପଛଘୁଞ୍ଚା ଦେଇଛି ଚୀନ । ନିଜ ଯବାନଙ୍କୁ ପୂର୍ବ ଲଦାଖର ଗଲୱାନ ଘାଟିରୁ ଦୁଇ କିଲୋମିଟର ପଛକୁ କରିଛି ବିସ୍ତାରବାଦୀ ଦେଶ । ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ଡ୍ରାଗନ୍ ସେନା । ତେବେ ଭାରତର ଏହି କୂଟନୈତିକ ବିଜୟ ପାଇଁ ତିବ୍ବତରେ ଉତ୍ସାହ ଦେଖାଦେଇଛି । ତିବ୍ବତିୟାନ ଯୁବ କଂଗ୍ରେସ ପକ୍ଷରୁ ଏନେଇ ଭାରତ ସରକାର ଓ ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଯିବା ସହ ଚୀନକୁ କଡାସମାଲୋଚନା କରାଯାଇଛି ।
ଚୀନ ସେନା ଏଲଏସିରୁ ଦୁଇ କିଲୋମିଟର ପଛକୁ ଯାଇଥିବାରୁ ଆମେ ଉତ୍ସାହିତ ହୋଇପଡିଛୁ । କିନ୍ତୁ ଆମକୁ ସାବଧାନ ରହିବାକୁ ପଡିବ । କାରଣ ଚୀନ ବିଶ୍ବାସଯୋଗ୍ୟ ନୁହେଁ ବୋଲି ଟିୱାଇସି ସାଧାରଣ ସମ୍ପାଦକ ସୋନମ ସିରିଙ୍ଗ୍ କହିଛନ୍ତି । ଏହାସହ ଯେପର୍ଯ୍ୟନ୍ତ ଭାରତ ଓ ଚୀନ ମଧ୍ୟରେ ତିବ୍ବତ ଏକ ପ୍ରସଙ୍ଗ ହୋଇ ରହିବ ଏହି ସମସ୍ୟା ସେପର୍ଯ୍ୟନ୍ତ ସମାଧାନ ହୋଇପାରିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।