ଜୟପୁର: ସଚିନ ପାଇଲଟଙ୍କ ସମର୍ଥନରେ ଛୁଟୁଛି ଇସ୍ତଫାର ସୁଅ । ପିସିସି ସଭାପତି ଓ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନଙ୍କୁ ବିଦା କରିବା ପରେ ତାଙ୍କ ସମର୍ଥନରେ ଇସ୍ତଫା ଦେଉଛନ୍ତି ବିଭିନ୍ନ ଜିଲ୍ଲା ସଭାପତି ।
ରାଜସ୍ଥାନର 3 ଜିଲ୍ଲା ସଭାପତି ସଚିନଙ୍କ ସମର୍ଥନରେ ସେମାନଙ୍କର ଇସ୍ତଫା ପତ୍ର ଦେଇଛନ୍ତି । ପାଲି, ଟୋଙ୍କ ଓ ଗଙ୍ଗାନଗର ଜିଲ୍ଲାର କଂଗ୍ରେସ ଜିଲ୍ଲା ସଭାପତି ଇସ୍ତଫା ଦେଇଛନ୍ତି । ସେହିପରି ଚିତ୍ତୋରଗଡ ସେବାଦଳର ଜିଲ୍ଲାଧ୍ୟକ୍ଷ ଆଶାରାମ ଗାଡରୀ ଓ ନ୍ୟାସନାଲ ଷ୍ଟୁଡେଣ୍ଡସ୍ ୟୁନିୟନ ଅଫ୍ ଇଣ୍ଡିଆର କୋର୍ଡିନେଟର ଦୀପକ ସିଂ ରାଠୋର ମଧ୍ୟ ନିଜର ଇସ୍ତଫା ଦେଇଛନ୍ତି ।
ସେପଟେ ସଚିନଙ୍କୁ କଂଗ୍ରେସ ଗୁରୁତ୍ବପୂର୍ଣ୍ଣ ପଦବୀରୁ ହଟାଇବା ପରେ ବିଜେପିରେ ମିଶିବାକୁ ନେଇ ହେଉଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । ସେ ବିଜେପିରେ ଯୋଗ ଦେଉନାହାଁନ୍ତି ବୋଲି କହିଛନ୍ତି ।
ସୂଚନାଥାଉକି, ମଙ୍ଗଳବାର ପ୍ରଥମେ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବିଦା କରିଥିଲା କଂଗ୍ରେସ । ପାଇଲଟଙ୍କ ସମେତ ଅନ୍ୟ ଦୁଇମନ୍ତ୍ରୀ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହଙ୍କୁ ମଧ୍ୟ ଦଳ ମନ୍ତ୍ରୀପଦରୁ ହଟାଇଥିଲା । ସେହିପରି ସଚିନଙ୍କ ସ୍ଥାନରେ ଗୋବିନ୍ଦ ସିଂହ ଡୋଟାସରାଙ୍କୁ ନୂଆ ପିସିସି ସଭାପତି ଦାୟିତ୍ବ ଦେଇଥିଲା ଦଳ ।
ବିଧାୟକ ଦଳ ବୈଠକରେ ସଚିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ପାରିତ ହେବା ପରେ ଏପରି ନିଷ୍ପତ୍ତି ନେଇଥିଲା କଂଗ୍ରେସ । ସେପଟେ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ କଂଗ୍ରେସ ବିଦା କରିବା ପରେ ସତ୍ୟକୁ ଅପମାନିତ କରାଯାଇପାରେ, ପରାଜିତ ନୁହେଁ ବୋଲି ଟ୍ବିଟ୍ କରି ଜଣାଇଥିଲେ ସଚିନ ।