ହାଇଦ୍ରାବାଦ: ଅଳିଆ ଟ୍ରକରେ ହସ୍ପିଟାଲ ଗଲେ କୋରୋନା ରୋଗୀ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଜିୟାନଗରମରେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲା ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡ.ରାମନା କୁମାରୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ ଏହି ଘଟଣା ଦୁଇ ଦିନ ପୂର୍ବେ ଶୁକ୍ରବାର ଦିନ ଘଟିଥିଲା। ବିଜିୟାନଗରମ ଜିଲ୍ଲା ନେଲିମର୍ଲା ମଣ୍ଡଳର ଜରାଜପୁପେଟା ଗ୍ରାମର 3 ରୋଗୀ ପ୍ରଥମେ କୋଣ୍ଡା ଭେଲୁଗଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ପରେ ସେମାନଙ୍କୁ ନେଲିମର୍ଲା NIMS ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଭେଲୁଗଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର 108 ଆମ୍ବୁଲାନ୍ସକୁ ଡାକିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ରୋଗୀମାନଙ୍କ ସହ ଆସିଥିବା ବ୍ୟକ୍ତି ସେମାନଙ୍କୁ ଡାକ୍ତରଖାନା ନେଇଯିବେ ବୋଲି କହିଥିଲେ । ମେଡିକାଲ କର୍ମଚାରୀମାନେ ସେମାନଙ୍କୁ ପିପିଇ କିଟ ମଧ୍ୟ ଦେଇଥିଲେ । ହେଲେ ରୋଗୀଙ୍କୁ ଅଳିଆ ଟ୍ରକରେ ନିଆଯିବା ତାଙ୍କୁ ଜଣା ନଥିଲା ବୋଲି ସେମାନେ କହିଛନ୍ତି ।