ନୂଆଦିଲ୍ଲୀ: କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ନଭେମ୍ବରରୁ ଆରମ୍ଭ ହେବ। ନିଜାମ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏନଆଇଏମଏସ) ଚିକିତ୍ସା ସୂତ୍ରରୁ ପ୍ରକାଶ ଯେ, ଏହି ଟ୍ରାୟଲ ନଭେମ୍ବର ମାସର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଆରମ୍ଭ ହୋଇପାରେ।
କ୍ଲିନିକାଲ୍ ଟ୍ରାଏଲ୍ ନୋଡାଲ୍ ଅଫିସର ଡ. ସି ପ୍ରଭାକର ରେଡ୍ଡୀ କହିଛନ୍ତି, ଏନଆଇଏମଏସରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସଫଳତାର ସହ ସମାପ୍ତ ହୋଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ 12 ଜଣଙ୍କୁ ବୁଷ୍ଟର ଡୋଜ ଦେଇ ଟିକା ଦିଆଯାଇଥିଲା ଏବଂ ଅନ୍ୟ 55 ଜଣଙ୍କୁ ଆସନ୍ତା 3 ଦିନ ମଧ୍ୟରେ ଟିକା ଦିଆଯିବ। 14 ଦିନ ପରେ ସେମାନେ ରକ୍ତ ନମୁନା ସଂଗ୍ରହ କରି ଆଇସିଏମଆରକୁ ପଠାଇବେ । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ଏନଆଇଏମଏସରେ 45 ଜଣଙ୍କୁ ଟୀକାକରଣ କରିବା ପରେ ଫଳାଫଳ ଆଶାବାଦୀ ବୋଲି ଡାକ୍ତରୀ ଟିମ୍ କହିଛନ୍ତି।