ପାଟନା: ନବରାତ୍ରୀର ମହାସପ୍ତମୀ ଅବସରରେ ବିହାର ନିର୍ବାଚନର ଶଙ୍ଖନାଦ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାସାରାମ ପରେ ଭାଗଲପୁର ରାଲିରେ ମଧ୍ୟ ବିରୋଧିଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମହାମାରୀ କୋରୋନା କାଳରେ ଏ ହେଉଛି ବିଶ୍ବର ପ୍ରଥମ ବଡ ନିର୍ବାଚନ । 90 ଦଶକର ବିହାରକୁ ଅରାଜକତା ଓ ଅବ୍ୟବସ୍ଥାର ପଙ୍କ ମଧ୍ୟକୁ ଠେଲି ଦିଆଯାଇଥିଲା । ଆଜି ବି ବିହାରର ଅନେକ ସମସ୍ୟାର ମୂଳ କାରଣ 90 ଦଶକର ଅବ୍ୟବସ୍ଥା ଓ କୁଶାସନ । ହେଲେ ଏବେ ଏକ ନୂଆ ବିହାର ନିର୍ମାଣକୁ ସମସ୍ତେ ଦେଖିବାକୁ ଯାଉଛନ୍ତି । ବିହାରରେ ଆଉ ଲଣ୍ଠନର ଆବଶ୍ୟକତା ନଥିବା କହିଛନ୍ତି ମୋଦି ।
ଭାଗଲପୁର ରାଲିରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି, ବିହାରରେ ନାହିଁ ଲଣ୍ଠନର ଆବଶ୍ୟକତା ମୋଦି କହିଛନ୍ତି, ଯେଉଁ ଲୋକମାନେ ମାଓବାଦୀ ଓ ହିଂସାର ଗତିବିଧିକୁ ଖୋଲାଳି ପ୍ରୋତ୍ସାହନ ଦେଉଛନ୍ତି, ସେମାନେ ଏନଡିଏର ବିରୋଧରେ ଛିଡା ହୋଇଛନ୍ତି । ବିହାରକୁ ରୋଗାଗ୍ରସ୍ତ କରିବା ଏମାନଙ୍କର ମନସିକତା । ହେଲେ ବିହାରକୁ ସଶକ୍ତ ଓ ଆତ୍ମନିର୍ଭର କରିବା ଏନଡିଏର ସଂକଳ୍ପ ବୋଲି ସେ କହିଛନ୍ତି ।
ମହାମେଣ୍ଟକୁ ଟାର୍ଗେଟ କରି ମୋଦି କହିଛନ୍ତି, ଏବେ ବିହାରର ପଛୁଆ ଜିଲ୍ଲାଗୁଡିକୁ ଚିହ୍ନଟ କରି ଦୃତଗତିରେ ସେଗୁଡିକର ବିକାଶ କରାଯାଉଛି । ମହାମେଣ୍ଟର ମାନସିକତା ସହ ବିହାରର ଜନସାଧାରଣ ସମ୍ପୂର୍ଣ୍ଣ ପରିଚିତ ଅଛନ୍ତି । ଏମାନେ ଦେଶକୁ ବିଭାଜନ କରିବାକୁ ଚାହୁଥିବା ବେଳେ ବିହାରର ଜନସାଧାରଣ ସତର୍କ ରହିବାର ଆବଶ୍ୟକତା ଥିବା ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ସରକାର ଶାସକ ନୁହେଁ ବରଂ ସେବକ ଭାବରେ କାର୍ଯ୍ୟ କରୁଛି । ବେଇମାନି କରୁଥିବା ଲୋକଙ୍କୁ ଶହେ ଥର ଭାବିବାକୁ ପଡୁଛି । ବିରୋଧି ଆଜି ପ୍ରତ୍ୟେକ ସୁଧାରର ବିରୋଧ କରିବାରେ ଲାଗିଛନ୍ତି ।
ସେହିପରି ନିଜ ସରକାରର ଲୋକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇ ମୋଦି କହିଛନ୍ତି, ଏବେ ବିହାରର ଗାଁରେ, ଛୋଟ ଛୋଟ ସହରରେ ଶୀତଳିକରଣ ଭଣ୍ଡାରର ବିସ୍ତାର ହେବ । ନୂଆ ଆଇନ ଆଧାରରେ ତା ଦ୍ବାରା ଆମ୍ବ, ମକ୍କା, ଲିଚୁ, କଦଳୀ ଉତ୍ପାଦନ କରୁଥିବା ଚାଷୀଙ୍କୁ ଅତ୍ୟନ୍ତ ଲାଭ ହେବ ।
ଚାଷୀଙ୍କ ବିଷୟରେ ମୋଦି କହିଛନ୍ତି, ଏନଡିଏର ବିରୋଧି ଯେବେ ଚାଷୀଙ୍କ ପାଇଁ କିଛି କରିପାରିଲେ ନାହିଁ, ସେତେବେଳେ ସେମାନେ କ୍ରମାଗତ ମିଥ୍ୟା ପ୍ରଚାରରେ ଲାଗିଛନ୍ତି । ଏମଏସପିକୁ ନେଇ ଗୁଜବ ସୃଷ୍ଟି ହେଉଥିବା ମୋଦି ବିରୋଧିଙ୍କୁ ଟାର୍ଗେଟ କରି କହିଛନ୍ତି । ତେବେ ଏନଡିଏ ସରକାର ଚାଷୀଙ୍କୁ ଦେଢଗୁଣା ଏମଏସପି ଦେବା ଲାଗି ସୁପାରିଶ କରିଥିଲା ।