ଓଡିଶା

odisha

ETV Bharat / bharat

ସୂଚନା ଅଧିକାର ଆଇନ ଗଣତନ୍ତ୍ରର ମହତ୍ବପୂର୍ଣ୍ଣ ଅଧିକାର

ଯେକୌଣସି ସରକାରୀ ବ୍ୟବସ୍ଥାରେ ସୁଶାସନ ପାଇଁ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବ ହେଉଛି ଦୁଇଟି ଆଖି ସଦୃଶ । ଦେଶରେ କ୍ଷମତାର ଅନ୍ୟନାମ ଭ୍ରଷ୍ଟାଚାର କହିଲେ କିଛି ଭୁଲ୍ ହେବ ନାହିଁ । ସମ୍ବିଧାନର ଧାରା 19ରେ ସମସ୍ତ ନାଗରିକଙ୍କୁ ବାକ୍ ସ୍ବାଧୀନତା ପ୍ରଦାନ କରାଯାଇଥିବା ନେଇ ସୁପ୍ରିମକୋର୍ଟ 1986ରେ ସ୍ପଷ୍ଟ କରିଥିଲେ, ଏହାର ପରବର୍ତ୍ତୀ 19 ବର୍ଷ ଯାଏଁ ଏହି ବୈପ୍ଲବିକ ଆଇନ ସରକାରଙ୍କ ପାଇଁ କୌଣସି ଅଡୁଆ ପରିସ୍ଥିତି ସୃଷ୍ଚି କରିନଥିଲା । ହେଲେ କ୍ଷମତାଧାରୀଙ୍କ ଦ୍ବାରା ହେଉଥିବା ଦୁର୍ନୀତି ଲୋକଲୋଚନକୁ ଆଣିବା ପାଇଁ ସୂଚନା ଅଧିକାର ଆଇନ ଲାଗୁ ହେବାର 15 ବର୍ଷ ହେଲା ଏହା ସରକାରଙ୍କୁ ଅଡୁଆରେ ପକାଇ ଆସୁଛି ! ଅଧିକ ପଢନ୍ତୁ...

ସୂଚନା ଅଧିକାର ଆଇନ ଗଣତନ୍ତ୍ରର ମହତ୍ତ୍ବପୂର୍ଣ୍ଣ ଅଧିକାର
ସୂଚନା ଅଧିକାର ଆଇନ ଗଣତନ୍ତ୍ରର ମହତ୍ତ୍ବପୂର୍ଣ୍ଣ ଅଧିକାର

By

Published : Oct 15, 2020, 8:22 PM IST

ଯେକୌଣସି ସରକାରୀ ବ୍ୟବସ୍ଥାରେ ସୁଶାସନ ପାଇଁ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବ ହେଉଛି ଦୁଇଟି ଆଖି ସଦୃଶ । ଦେଶରେ କ୍ଷମତାର ଅନ୍ୟନାମ ଭ୍ରଷ୍ଟାଚାର କହିଲେ କିଛି ଭୁଲ୍ ହେବ ନାହିଁ । ଔପନିବେଶବାଦ ସମୟର ସରକାରୀ ଗୋପନୀୟତା ଆଇନକୁ ଢାଲ କରି ଲୁଚାଛପାରେ ସାଧାରଣ ଲୋକଙ୍କ ଟଙ୍କା ଲୁଟିବା ପାଇଁ ରାସ୍ତା ଖୋଲୁଥିବା ରାଜନୈତିକ ଦଳଗୁଡ଼ିକ ବି ଏଥିପାଇଁ ଧନ୍ୟବାଦର ପାତ୍ର ! ସମ୍ବିଧାନର ଧାରା 19ରେ ସମସ୍ତ ନାଗରିକଙ୍କୁ ବାକ୍ ସ୍ବାଧୀନତା ପ୍ରଦାନ କରାଯାଇଥିବା ନେଇ ସୁପ୍ରିମକୋର୍ଟ 1986ରେ ସ୍ପଷ୍ଟ କରିଥିଲେ, ଏହାର ପରବର୍ତ୍ତୀ 19 ବର୍ଷ ଯାଏଁ ଏହି ବୈପ୍ଲବିକ ଆଇନ ସରକାରଙ୍କ ପାଇଁ କୌଣସି ଅଡୁଆ ପରିସ୍ଥିତି ସୃଷ୍ଚି କରିନଥିଲା । ହେଲେ କ୍ଷମତାଧାରୀଙ୍କ ଦ୍ବାରା ହେଉଥିବା ଦୁର୍ନୀତି ଲୋକଲୋଚନକୁ ଆଣିବା ପାଇଁ ସୂଚନା ଅଧିକାର ଆଇନ ଲାଗୁ ହେବାର 15 ବର୍ଷ ହେଲା ଏହା ସରକାରଙ୍କୁ ଅଡୁଆରେ ପକାଇ ଆସୁଛି !

ଉତ୍ତରଦାୟିତ୍ବ ଗ୍ରହଣ ପୂର୍ବକ ଏକ ସ୍ବଚ୍ଛ ପ୍ରଶାସନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରୀ ସ୍ତରରେ ଯେକୌଣସି ଯାଞ୍ଚ ବ୍ୟବସ୍ଥାରେ କେବଳ ନିରାଶ ହେବାକୁ ପଡୁଛି । ସୂଚନା ଅଧିକାର ଆଇନକୁ ସୁଦୃଢ କରିବା ବଦଳରେ ପ୍ରତିଟି ସରକାରୀ ସ୍ତରରେ ଏହାକୁ କିପରି ଦୁର୍ବଳ କରି ଦିଆଯିବ ସେ ନେଇ ବିଭିନ୍ନ ଦଳ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି । ଗତ 15 ବର୍ଷ ମଧ୍ୟରେ ଏହି ଆଇନ ଅଧିନରେ କମିସନ ନିକଟରେ 3 କୋଟି ଆବେଦନପତ୍ର ପହଞ୍ଚିଛି, ଏଥିରୁ ଆରଟିଆଇରୁ କେତେ ଫାଇଦା ମିଳୁଛି ତାହା ସ୍ପଷ୍ଟ ପ୍ରମାଣିତ । ମାତ୍ର ତିନି ପ୍ରତିଶତ ଲୋକ ଏହି ଆଇନ ଅଧିନରେ ତଥ୍ୟ ଜାଣିବାକୁ ଅନୁରୋଧ କରିଛନ୍ତି ! କେନ୍ଦ୍ର ଓ ବିଭିନ୍ନ ରାଜ୍ୟସ୍ତରୀୟ ସୂଚନା କମିଶନଙ୍କ ପାଖରେ 2.2 ଲକ୍ଷ ମାମଲା ବିଚାରାଧୀନ ଅବସ୍ଥାରେ ପଡ଼ି ରହିଛି । କେନ୍ଦ୍ରୀୟ କମିଶନ ଅଭିଯୋଗର ସମାଧାନ ପାଇଁ ଦୁଇବର୍ଷ ସମୟ ନେଉଛି । ଏଥିରୁ ପ୍ରମାଣିତ ହେଉଛି ଯେ, ଏଯାଏଁ ସରଳ ବ୍ୟବସ୍ଥା ବାହାରି ପାରିନାହିଁ । 29ଟି ସୂଚନା କମିଶନଙ୍କ ମଧ୍ୟରୁ 9ଟିରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାଁନ୍ତି । କମିଶନର ନିଯୁକ୍ତି ଦେଇ ବ୍ୟବସ୍ଥାକୁ ସରଳ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ସତ୍ତ୍ବେ ବିଭିନ୍ନ ସରକାର ଏହାକୁ ମାନୁନାହାଁନ୍ତି, ଫଳସ୍ବରୂପ ବ୍ୟବସ୍ଥା ଠିକ୍ ଭାବେ ଚାଲି ପାରୁନାହିଁ । ପ୍ରତିବର୍ଷ 40ରୁ 60 ଲକ୍ଷ ଆବେଦନପତ୍ର ପହଞ୍ଚୁଛି, ଏଥିରୁ 55 ପ୍ରତିଶତ କୌଣସି ଉତ୍ତର ପାଉନାହାଁନ୍ତି ଏବଂ ମାତ୍ର 10 ପ୍ରତିଶତରୁ କମ୍ ଆବେଦନ ଗ୍ରହଣ ହେଉଛି । ଏଥିରୁ ପ୍ରମାଣିତ ଯେ, ପୁରୁଣା ବ୍ୟବସ୍ଥା ଛାଡ଼ି ସରକାରୀ ବିଭାଗଗୁଡ଼ିକ ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଦିଗରେ ଗୁରୁତ୍ବ ଦେଉନାହାଁନ୍ତି !

'ରୂପା ପାତ୍ର'କୁ 'ମାଟି ପାତ୍ର'ରେ ପରିଣତ କରିବା ନେଇ ସରକାରଙ୍କ ଚତୁର ନୀତି ଅଦ୍ଭୁତପୂର୍ବ । ବହୁ ଉଚ୍ଚ ଆକାଂକ୍ଷା ନେଇ ସୂଚନା ଅଧିକାର ଆଇନ ପ୍ରଣୟନ ହେବାର ମାତ୍ର କିଛି ବର୍ଷ ଭିତରେ ୟୁପିଏ ସରକାରଙ୍କ ଅମଳରେ ଏହାର ବିପରୀତ ଚିତ୍ର ଦେଖିବା ଆରମ୍ଭ ହୋଇଥିଲା । ରାଜନୈତିକ ସ୍ବାର୍ଥ ହାସଲ ପାଇଁ ସରକାର ଘୋଷଣା କରିଥିଲେ ଯେ, ସରକାରୀ ଫାଇଲରେ କର୍ତ୍ତୃପକ୍ଷ ଯାହାବି ମତ ଦେବେ ତାହା ଏହି ଆଇନ ପରିସରଭୁକ୍ତ ହେବନାହିଁ । ଫଳରେ ନିଜ ପସନ୍ଦ ମୁତାବକ ବ୍ୟକ୍ତିଙ୍କୁ ସୂଚନା କମିଶନ ପଦରେ ନିଯୁକ୍ତି ଦେବା ଚିନ୍ତାଧାରା ବଢିବାକୁ ଲାଗିଲା। ଆରଟିଆଇ କାର୍ଯ୍ୟକାରୀ ହେବା ପରଠାରୁ ସୂଚନା କମିସନର ଭାବେ ଯେତେଜଣ ନିଯୁକ୍ତି ପାଇଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ 60 ପ୍ରତିଶତ ହେଉଛନ୍ତି ପୂର୍ବତନ ସରକାରୀ ଅଫିସର । ସୂଚନା କମିଶନ ମୁଖ୍ୟ ପଦବୀରେ ଯେଉଁମାନଙ୍କୁ ଅବସ୍ଥାପିତ କରାଯାଉଛି ସେମାନଙ୍କ ମଧ୍ୟରୁ 83 ପ୍ରତିଶତ ହେଉଛନ୍ତି ସରକାରୀ କର୍ମଚାରୀ ! କଟା ଘା’ରେ ଚୂନ ଦେବା ଭଳି କମିଶନଗୁଡ଼ିକରେ 25 ପ୍ରତିଶତରୁ ଅଧିକ ପଦବୀ ଖାଲି ପଡିଛି । ଗତବର୍ଷ ଏନଡିଏ ସରକାର ସୂଚନା ଆଇନରେ ଆଉ କିଛି ସଂଶୋଧନ ଆଣିଛନ୍ତି ଯାହାକି ବ୍ୟବସ୍ଥାକୁ ଅଧିକ ଦୁର୍ବଳ କରି ଦେଇଛି । ନିର୍ବାଚନ କମିଶନ ଏବଂ ସୂଚନା କମିଶନଙ୍କ ମଧ୍ୟରେ କୌଣସି ସମାନତା ନଥିବା ନିଷ୍ପତ୍ତି ନେବା ସହ ଆଇନରେ ସଂଶୋଧନ କରିଛନ୍ତି ଯାହାଦ୍ବାରା ସୂଚନା କମିଶନଙ୍କ ସଦସ୍ୟଙ୍କ ମାନ୍ୟତା ହ୍ରାସ ପାଇଛି। ଏଥିସହିତ ସୂଚନା କମିଶନ ସଦସ୍ୟଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନକୁ ଅଣାଯାଇଛି। ଫଳରେ ସେମାନଙ୍କ ନିଯୁକ୍ତି, କାର୍ଯ୍ୟକାଳ, ବେତନ ଏବଂ ଭତ୍ତା ଆଦି କେନ୍ଦ୍ର ସରକାର ନିୟନ୍ତ୍ରଣ କରୁଛନ୍ତି । କେନ୍ଦ୍ର ସରକାର ସେମାନଙ୍କ ସ୍ବାଧୀନତା ସଙ୍କୁଚିତ କରି ଦେଇଛନ୍ତି । ସୁପ୍ରିମ କୋର୍ଟ ସମେତ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ଆରଟିଆଇ ପରିସରଭୁକ୍ତ ହେବ ବୋଲି ନ୍ୟାୟପାଳିକାର ଐତିହାସିକ ରାୟ ପ୍ରକାଶ ପରେ ସୂଚନା ଅଧିକାର ଆଇନକୁ ଦୃଢ ସମର୍ଥନ ମିଳିଛି । ଏଥିସହିତ ଭାରତର ପ୍ରଧାନ ବିଚାରପତି କହିଥିଲେ, ଯଦି ଆରଟିଆଇ ଦୁର୍ନୀତିଗ୍ରସ୍ତ ହୁଏ ଏବଂ ଏହାକୁ ନେଇ ବ୍ଲାକମେଲ୍ କରାଯାଏ ତେବେ କିଛି ଲୋକଙ୍କ ଭୁଲ୍ ପାଇଁ ସମସ୍ତେ ପ୍ରଭାବିତ ହେବେ । ପ୍ରତ୍ୟେକ ନାଗରିକର ଜାଣିବାର ଅଧିକାର ଗଣତନ୍ତ୍ର ପାଇଁ ଅତି ମହତ୍ତ୍ବପୂର୍ଣ୍ଣ । ଲୋକଙ୍କ ଅଧିକାର ଭାବେ ଏହାକୁ ସୁରକ୍ଷିତ ରଖିବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ !

ABOUT THE AUTHOR

...view details