ଓଡିଶା

odisha

ETV Bharat / bharat

ଏମିତି ଏକ ସୂର୍ଯ୍ୟ ମନ୍ଦିର ଯେଉଁଠି ହୁଏନି ସୂର୍ଯ୍ୟଙ୍କ ପୂଜା - ଗୁଜରାଟ ମୋଢ଼େରା

ଓଡ଼ିଶାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପୂର୍ବରୁ ନିର୍ମିତ, ଇତିହାସରେ ସ୍ବତନ୍ତ୍ର ମାନ୍ୟତା ପ୍ରାପ୍ତ ସୂର୍ଯ୍ୟ ମନ୍ଦିର ମୋଢ଼େରା । ଯାହା ନିଜର କଳା ସ୍ଥାପତ୍ୟରେ ପ୍ରତିଟି ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରେ । ଆସନ୍ତୁ ଜାଣିବା ଗୁଜୁରାଟ ମୋଢ଼େରାର ଏହି ସୂର୍ଯ୍ୟ ମନ୍ଦିର ବିଷୟରେ କିଛି ଅଜଣା କଥା ।

The sun temple of Modhera Gujarat, History and Elegance meet, unkown facts, modhera sun temple, ଅଜଣା କଥା, ମୋଢ଼େରା ସୂର୍ଯ୍ୟ ମନ୍ଦିର, ଗୁଜରାଟ ମୋଢ଼େରା, ସୂର୍ଯ୍ୟଙ୍କ ପୂଜା
ଏମିତି ଏକ ସୂର୍ଯ୍ୟ ମନ୍ଦିର ଯେଉଁଠି ହୁଏ ନାହିଁ ସୂର୍ଯ୍ୟଙ୍କ ପୂଜା

By

Published : Sep 4, 2020, 9:03 AM IST

ଅହମଦାବାଦ: ଭାରତର କଳା, ସ୍ଥାପତ୍ୟ, ସଂସ୍କୃତି ଓ ଐତିହ୍ୟର ପରିଚୟ ବହନ କରନ୍ତି ଦେଶରେ ଥିବା ଅଗଣତି ସୁନ୍ଦର ଚାରୁକଳାରେ ପରିପୂର୍ଣ୍ଣ ମଠ ଓ ମନ୍ଦିର । ଇତିହାସ, କଳା ଓ ସ୍ଥାପତ୍ୟର ନିରଦର୍ଶନ ଦେଉଥିବା ସେମିତି ଏକ ମନ୍ଦିର ହେଉଛି ଗୁଜୁରାଟର ମୋଢ଼େରା ସୂର୍ଯ୍ୟ ମନ୍ଦିର । ଓଡ଼ିଶାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ମୋଢ଼େରା ମନ୍ଦିରର ମଧ୍ୟ ରହିଛି ସ୍ବତନ୍ତ୍ର ଐତିହାସିକ ମହତ୍ତ୍ବ ।

ସୌଜନ୍ୟ: Gujatat Tourism

ଗୁଜୁରାଟର ପାଟନ ନାମକ ସ୍ଥାନ ଠାରୁ 30 କିଲୋମିଟର ଦକ୍ଷିଣ ଆଡକୁ ମୋଢ଼େରା ନାମକ ଗାଁରେ ରହିଛି ମୋଢ଼େରା ସୂର୍ଯ୍ୟ ମନ୍ଦିର । ଏହି ସୂର୍ଯ୍ୟମନ୍ଦିର ବିଚକ୍ଷଣ ଶିଳ୍ପ କଳା ଓ ସ୍ଥାପତ୍ୟର ଅଦ୍ବିତୀୟ ଉଦାହରଣ ଅଟେ । ଏହି ମନ୍ଦିର ଏକ ପଦ୍ମଫୁଲ ଆକାରରେ ନିର୍ମାଣ ହୋଇଛି । ପଥର ଦେହର ଖୋଦିତ ସୁନ୍ଦର କାରୁକାର୍ଯ୍ୟ ଦେଖିଲେ ଆଖି ଫେରାଇ ହୁଏ ନାହିଁ । ରାମାୟଣ ଠାରୁ ଆରମ୍ଭ କରି ମହାଭାରତ, ମଣିଷ ଜୀବନ ଚକ୍ର ଠାରୁ କାମସୂତ୍ର, ମନ୍ଦିରର ପ୍ରତିଟି ଅଂଶରେ ଦେଖିବାକୁ ମିଳେ ଆମ ସଂସ୍କୃତିର ଛିଟା । ଚାଲୁକ୍ୟ ବଂଶର ରାଜା ପ୍ରଥମ ଭୀମଦେବ 1026 ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଇଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ ମଧ୍ୟ ଏହି ମନ୍ଦିର ଖୁବ୍‌ ପୁରାତନ ।

ମୋଢ଼େରା ସୂର୍ଯ୍ୟ ମନ୍ଦିରର ସୁନ୍ଦର କଳକୃତି, ସୌଜନ୍ୟ: Gujatat Tourism

ମନ୍ଦିରରେ ଥିବା ଗର୍ଭଗୃହ ଭିତରର ଲମ୍ବ 51 ଫୁଟ 9 ଇଞ୍ଚ ଓ ଓସାର 25 ଫୁଟ 8 ଇଞ୍ଚ ଅଟେ । କୋଣାର୍କ ମନ୍ଦିର ଭଳି ଏହି ମନ୍ଦିରର ନିର୍ମାଣ ମଧ୍ୟ ଏପରି ହୋଇଛି ଯେ ସୂର୍ଯ୍ୟୋଦୟ ହେବା କ୍ଷଣି ପ୍ରଥମ କିରଣ ମନ୍ଦିର ଗର୍ଭ ଗୃହରେ ପଡେ । ସମ୍ପୂର୍ଣ୍ଣ ମନ୍ଦିରକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି । ସେଗୁଡି ହେଉଛି; ସୂର୍ଯ୍ୟକୁଣ୍ଡ, ସଭା ମଣ୍ଡପ ଓ ଗୁଡା ମଣ୍ଡପ ।

ସୌଜନ୍ୟ: Gujatat Tourism

ସୂର୍ଯ୍ୟକୁଣ୍ଡ:ମନ୍ଦିରର ଠିକ ସମ୍ମୁଖରେ ରହିଛି ସୂର୍ଯ୍ୟକୁଣ୍ଡ ବା ରାମକୁଣ୍ଡ । ଏହା ଏକ ଗଭୀର, ପାହାଚ ବିଶିଷ୍ଟ କୁଣ୍ଡ । ଏହା ପୂର୍ବରୁ ଶୁଦ୍ଧ ପାନୀୟ ଜଳ ସଂରକ୍ଷଣ ପାଇଁ ବ୍ୟବହାର ହେଉଥିଲା ବୋଲି ବିଶ୍ବାସ କରାଯାଏ । ତେବେ ବର୍ତ୍ତମାନ ଏଠାରେ କେବେଳ ବର୍ଷା ଜଳ ଜମା ହୋଇ ରହିଛି । ବିଶ୍ବାସ କରଯାଏ ଯେ ଏଠାରେ ପୂର୍ବରୁ ଏକ ଭୂତଳ ଝରଣା ମଧ୍ୟ ରହିଥିଲା ।

ସୂର୍ଯ୍ୟ କୁଣ୍ଡ, ସୌଜନ୍ୟ: Gujatat Tourism

ସଭା ମଣ୍ଡପ: ସଭା ମଣ୍ଡପର ବ୍ୟବହାର ଧାର୍ମିକ ସଭା ଓ ବୈଠକ ପାଇଁ କରାଯାଉଥିଲା । ସଭାମଣ୍ଡପରେ ରହିଛି 52ଟି ସ୍ତମ୍ଭ । ଯାହାକି ବର୍ଷର 52 ସପ୍ତାହକୁ ପ୍ରତି ଫଳିତ କରେ । ଏହି ସ୍ତମ୍ଭ ଗୁଡ଼ିକରେ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ସହ ରାମାୟଣ ଓ ମହାଭାରତର ବିଭିନ୍ନ ପ୍ରଶଙ୍ଗ ବର୍ଣ୍ଣିତ ହୋଇ ରହିଛି । ଏହି ସ୍ତମ୍ଭ ଗୁଡିକର ତଳ ଆଡ଼କୁ ଦେଖିଲେ ଏହା ଅଷ୍ଟ କୋଣାକାର ଓ ଉପର ଆଡ଼କୁ ଦେଖିଲେ ଏହା ଗୋଲାକାର ଦେଖାଯାଏ ।

ସୌଜନ୍ୟ: Gujatat Tourism

ଗୁଡ଼ା ମଣ୍ଡପ: ଏହି ଗୃହରେ ଦିନେ ଭଗବାନ ସୂର୍ଯ୍ୟଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା । ଚଲୁକ୍ୟ ରାଜା ସୂର୍ଯ୍ୟବଂଶୀ ଥିବାରୁ ସେ ନିଜ ଇଷ୍ଟଦେବତା ଭାବେ ସୂର୍ଯ୍ୟଙ୍କୁ ପୂଜା କରୁଥିଲେ । ତେବେ ବିଦେଶୀ ଆକ୍ରମଣକାରୀଙ୍କ ଆକ୍ରମଣ ଯୋଗୁଁ ମନ୍ଦିରର ଅନେକ ଅଂଶ ନଷ୍ଟ ହୋଇଗଲା । ଏହି କ୍ରମରେ ଆଲ୍ଲାଉଦ୍ଦୀନ ଖିଲଜୀ ଆକ୍ରମଣ ବେଳେ ମନ୍ଦିର ଆହୁରି ନଷ୍ଟ ହୋଇଗଲା, ସେ ମନ୍ଦିରର ମୂର୍ତ୍ତି ଗୁଡିକ ମଧ୍ୟ ଭାଙ୍ଗି ଦେଇଥିଲା । ତେଣୁ ବର୍ତ୍ତମାନ ଏଠାରେ ଆଉ ସୂର୍ଯ୍ୟ ପୂଜା ହେଉ ନାହିଁ । ବିଶ୍ବାସ କରାଯାଏ ଯେ ମନ୍ଦିର ଖିଲଜୀର ଆକ୍ରମଣ ଦ୍ବାରା ଖଣ୍ଡିତ ହେଲା । ବର୍ତ୍ତମାନ ଏହାକୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ନିଜ ତତ୍ତ୍ବାବଧାନରେ ରଖିଛି । ବର୍ତ୍ତମାନ ମଧ୍ୟ ବର୍ଷର 12 ମାସକୁ ସୂଚାଉଥିବା 12ଟି ସୂର୍ଯ୍ୟଙ୍କ 12ଟି ସ୍ଥତି ଚିତ୍ରିତ ହୋଇଥିବା ଦେଖିବାକୁ ମିଳେ ।

ପୁରାଣରେ ବର୍ଣ୍ଣିତ ଅଛି ଯେ, ସୂର୍ଯ୍ୟକୁଣ୍ଡ ଠାରୁ ମୁଖ୍ୟ ମନ୍ଦିର ଦେଇ ଗୁଡ଼ା ମଣ୍ଡପ ପର୍ଯ୍ୟନ୍ତ ଯାତ୍ରା ହେଉଛି ମୃତ୍ୟୁରୁ ମୋକ୍ଷ ପର୍ଯ୍ୟନ୍ତ ଯାତ୍ରା ।

ସୌଜନ୍ୟ: Gujatat Tourism

ପୁରାଣରେ ମୋଢ଼େରାର ବର୍ଣ୍ଣନା

ସ୍କନ୍ଦ ଓ ବ୍ରହ୍ମ ପୁରାଣରେ ମଧ୍ୟ ଏହି ମନ୍ଦିରର ବର୍ଣ୍ଣନା ରହିଛି ଯେ ପ୍ରାଚୀନ କାଳରେ ମୋଢ଼େରା ଆଖପାଖ ସ୍ଥାନକୁ ଧର୍ମାରଣ୍ୟ ବୋଲି କୁହାଯାଉଥିଲା । ପୁରାଣରେ ଏହା ମଧ୍ୟ ବର୍ଣ୍ଣିତ ଅଛି ଯେ ପ୍ରଭୁ ରାମ ରାବଣ ବଧ ପରେ ଗୁରୁ ବଶିଷ୍ଟଙ୍କୁ ଏପରି ଏକ ସ୍ଥାନ ପଚାରି ଥିଲେ ଯେଉଁଠାରେ ସେ ଯାଇ ଆତ୍ମଶୁଦ୍ଧି କରିବେ ଓ ବ୍ରହ୍ମ ହତ୍ୟାର ପାପରୁ ମୁକ୍ତି ପାଇବେ । ସେତେବେଳେ ଗୁରୁ ବଶିଷ୍ଟ ଶ୍ରୀ ରାମଙ୍କୁ ଏହି ସ୍ଥାନକୁ ଯିବା ପାଇଁ କହିଥିଲେ ।

ପୂର୍ବରୁ ଏହି ମନ୍ଦିରର ସ୍ଥିତି ଏପରି ଥିଲା ଯେ ପ୍ରତି ଇକ୍ୟୁନକ୍ସରେ ସୂର୍ଯ୍ୟଙ୍କ ବିଗ୍ରହରେ ଲାଗିଥିବା ହୀରା ଉପରେ ସୂର୍ଯ୍ୟ କିରଣ ପଡ଼ି ସମ୍ପୂର୍ଣ୍ଣ ଗର୍ଭଗୃହ ସୁନେଲୀ କିରଣ ଆଲୋକିତ ହେଉଥିଲା । ଏହାସହ ଅନ୍ୟଦିନରେ ସୂର୍ଯ୍ୟଙ୍କ ଉପସ୍ଥିତି ଯେମିତି ହେଉ ନା କାହିଁକି ଗର୍ଭଗୃହ ସମ୍ମୁଖର ଦୁଇଟି ସ୍ତମ୍ଭ ଆଲୋକିତ ହୋଇ ରହୁଥିଲା । କିନ୍ତୁ ବର୍ତ୍ତମାନ ତାହା କେବଳ ଇତିହାସ ପୃଷ୍ଠାରେ ହିଁ ରହିଯାଇଛି ।

ଆପଣ ଯଦି କେବେ ଗୁଜୁରାଟ ଯାଆନ୍ତି ସୁନ୍ଦରେ କଳା ସ୍ଥାପତ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିର ଓ ଐତିହ ସ୍ଥଳୀକୁ ଥରେ ବୁଲି ଆସିବେ ନିଶ୍ଚୟ ।

ABOUT THE AUTHOR

...view details