ହାଇଦ୍ରାବାଦ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ବର୍ତ୍ତମାନ ଏହି ଭାଇରସ କବଳରେ ସାରା ବିଶ୍ବ ରହିଛି । ଭାରତର ବି ଚିନ୍ତା ବଢାଇଛି କୋରୋନା । ତେବେ ଦେଶରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର କେରଳରୁ 4 ଓ ମହାରାଷ୍ଟ୍ରର ନାଗପୁରରୁ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁନେରୁ ମଧ୍ୟ ଜଣଙ୍କ ରକ୍ତ ନମୁନାରେ ଏହି ଭାଇରସ ପଜିଟିଭ ଥିବା ଜଣାପଡିଛି । ଏହାସହ ବର୍ତ୍ତମାନ ସୁଦ୍ଧା ଦେଶରେ 85 ଜଣ କୋରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇସାରିଲେଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମ୍ବାଦିକ ସମ୍ମିଳନୀରେ ସୂୂଚନା ଦିଆଯାଇଛି ।
ସେପଟେ କର୍ଣ୍ଣାଟକର କଲବୁର୍ଗିରେ ଗୁରୁବାର ଜଣେ ବୃଦ୍ଧଙ୍କ କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟ ହେବାକୁ ନେଇ ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଭୟ ବଢିଯାଇଛି । ଭାଇରସ ପ୍ରକୋପକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ କରିଦେଇଛନ୍ତି । ଏହାସହ ସମସ୍ତ ମଲ, ସିନେମା ଘର, ସ୍ବିମିଙ୍ଗ୍ ପୁଲକୁ ମଧ୍ୟ ବନ୍ଦ କରିଦିଆଯାଇଛି ।