ନୂଆଦିଲ୍ଲୀ: ଦେଶରେ ଥମୁନାହିଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ସଙ୍କଟ ମଧ୍ୟରେ ଦିଲ୍ଲୀର ନିଜାମୁଦ୍ଦିନରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି, ଯାହାକି ବର୍ତ୍ତମାନ ସ୍ଥିତିରେ ଦେଶ ପାଇଁ ସତର୍କ ଘଣ୍ଟି କୁହାଯାଇପାରେ । ଗତ 24 ଘଣ୍ଟା ମଧ୍ୟରେ ଦେଶର ରାଜଧାନୀ ସମେତ ଅନେକ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବଢିଯାଇଛି । ଆନ୍ଧ୍ରପ୍ରଦେଶରେ 17 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିଲ୍ଲୀର ତବଲିଗି ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବୋଲି ସ୍ପଷ୍ଟ ହୋଇଛି । ମୋଟ 711 ଜଣ ଆନ୍ଧ୍ରପ୍ରଦେଶରୁ ଦିଲ୍ଲୀ ଯାଇଥିଲେ । ତେବେ ଦେଶରେ ଅଧିକାଂଶ କୋରୋନା ମାମଲା ସହ ନିଜାମୁଦ୍ଦିନରେ ଆୟୋଜିତ ଧାର୍ମିକ ସମାବେଶର ଲିଙ୍କ୍ ରହିଥିବା ଜଣାପଡିଛି ।
ସେହିପରି ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତରେ ସାମିଲ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଦିଲ୍ଲୀରେ 24 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ସୋମବାର ସ୍ପଷ୍ଟ କରିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ । 1000 ଜଣଙ୍କୁ ନିଜାମୁଦ୍ଦିନରୁ ସ୍ଥାନାନ୍ତର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 344 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ 700 ଜଣଙ୍କୁ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି । ଜମାତ ସେଣ୍ଟରରେ ଡାକ୍ତରୀ ଟିମକୁ ନିୟୋଜିତ କରାଯାଇଛି । ଏହାବ୍ୟତିତ ଏହାର ଆଖପାଖ ଅଞ୍ଚଳକୁ ସାନିଟାଇଜ କରାଯାଉଛି ।
ସେପଟେ ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ତେଲେଙ୍ଗାନାର 6 ଜଣଙ୍କର ମୃତ୍ୟୁ ହୋଇଯାଇଛି । ସମସ୍ତଙ୍କ ମୃତ୍ୟୁ କୋରୋନା ଭାଇରସ କାରଣରୁ ହୋଇଥିବା ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତକମାନେ ଚଳିତମାସ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଥିଲେ । ତେଲେଙ୍ଗାନାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକର ତତ୍ପରତା ପ୍ରକାଶ କରିଛନ୍ତି । ଏହାସହ ଦିଲ୍ଲୀରୁ ଆସିଥିବା ସମସ୍ତ ଲୋକଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ସମ୍ପର୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।