ହାଇଦ୍ରବାଦ: ସାଧାରଣ ଲୋକଙ୍କ କ୍ରମବର୍ଦ୍ଧିଷ୍ଣୁ ଚାହିଦା ଏବଂ ଆଧୁନିକ ଚିକିତ୍ସାର ପରିବର୍ତ୍ତନଶୀଳ ଧାରାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସ୍ବୟଂଶାସିତ ଡାକ୍ତରୀ ସଂସ୍ଥା ସ୍ଥାପନର ଆବଶ୍ୟକତାକୁ ଭାରତ ସରକାର ହୃଦୟଙ୍ଗମ କରିଛନ୍ତି । ତେଣୁ, ସ୍ବାସ୍ଥ୍ୟ ସେବା ଉଦ୍ୟୋଗରେ ମାନବ ସମ୍ବଳର ଅଭାବ ପୂରଣ ଲକ୍ଷ୍ୟ ନେଇ, ପ୍ରଧାନ ମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ୍) ସ୍ଥାପନ କରିବାକୁ ସରକାର ସ୍ଥିର କଲେ । 2012ରେ ୟୁପିଏ ସରକାର ଭୋପାଳ (ମଧ୍ୟ ପ୍ରଦେଶ), ଭୁବନେଶ୍ବର (ଓଡ଼ିଶା), ଯୋଧପୁର (ରାଜସ୍ଥାନ), ପାଟନା (ବିହାର) ଏବଂ ରାୟପୁର (ଛତିଶଗଡ଼)ରେ ଏମ୍ସ୍ ସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ, 2018 ମସିହାରେ, ମଙ୍ଗଲଗିରି (ଆନ୍ଧ୍ର ପ୍ରଦେଶ), ନାଗପୁର (ମହାରାଷ୍ଟ୍ର), ଗୋରଖପୁର (ଉତ୍ତର ପ୍ରଦେଶ), ଭାଟିଣ୍ଡା (ପଞ୍ଜାବ), କଲ୍ୟାଣୀ (ପଶ୍ଚିମ ବଙ୍ଗ) ଏବଂ ଦେଓଘର (ଝାଡ଼ଖଣ୍ଡ)ରେ ନୂତନ ଏମ୍ସ ସ୍ଥାପନ ଲାଗି ସରକାର ପ୍ରସ୍ତାବ ଦେଲେ ।ଏହି ସବୁ ସଂସ୍ଥାରେ ନୂଆ ଡାକ୍ତରୀ ଛାତ୍ରମାନଙ୍କର ନାମଲେଖାକୁ ସରକାର ଅନୁମୋଦନ କରିଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ଗୁଆହାଟୀ (ଆସାମ), ଅବନ୍ତୀପୁରା (ଜାମ୍ମୁ ଓ କାଶ୍ମୀର), ବିଲାସପୁର (ହିମାଚଳ ପ୍ରଦେଶ), ମଦୁରାଇ (ତାମିଲ ନାଡୁ), ଦରଭଙ୍ଗା (ବିହାର), ରାଜକୋଟ (ଗୁଜରାଟ) ଏବଂ ରେୱାଡ଼ି (ହରିଆଣା) ଭଳି ଅନେକ ସ୍ଥାନରେ ନୂତନ ଏମ୍ସ୍ ସ୍ଥାପନ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ମୁଖ୍ୟତଃ ଜନ ସ୍ବାସ୍ଥ୍ୟସେବାର ଉନ୍ନତି ଉପରେ ଧ୍ୟାନ ଦେବା ସହିତ ଆଞ୍ଚଳିକ ବୈଷମ୍ୟ ହ୍ରାସ ସକାଶେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହିତ, ଦେଶରେ ଡାକ୍ତରୀ ଶିକ୍ଷାର ଉନ୍ନତି ଦିଗରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପରୁ କେତୋଟି ହେଲା, ଡାକ୍ତରମାନଙ୍କର ଅବସର ଗ୍ରହଣ ବୟସ ସୀମା 65 ବର୍ଷକୁ ବୃଦ୍ଧି, ବିଶେଷଜ୍ଞମାନଙ୍କ ଅଭାବ ପୂରଣ ଲାଗି ଅଧିକ ଡାକ୍ତରୀ ଏବଂ ନର୍ସିଂ ସ୍କୁଲ୍ ସ୍ଥାପନ, ଡାକ୍ତରମାନଙ୍କର ଦକ୍ଷତାର ବିକାଶ ଲାଗି ବିଶେଷ କାର୍ଯ୍ୟକ୍ରମ ଆୟୋଜନ, ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମରେ ଆବଶ୍ୟକ ପରିବର୍ତ୍ତନ, 70ଟି ମେଡିକାଲ କଲେଜର ପାହ୍ୟାବୃଦ୍ଧି ଏବଂ ସୁପର୍ ସ୍ପେସିଆଲ୍ଟି ବ୍ଲକ୍ ସ୍ଥାପନ ।
ବିଭିନ୍ନ ଆଞ୍ଚଳିକ କାରଣରୁ, ପ୍ରସ୍ତାବିତ ଏମ୍ସ୍ ସମୂହର କୋଠା ନିର୍ମାଣ କାର୍ଯ୍ୟ ଧିମେଇ ଯାଇଛି । 2019-20ରେ 5,100 କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ବେ ନୂତନ ଭାବେ ମଞ୍ଜୁରିପ୍ରାପ୍ତ ଏମ୍ସ୍ ସ୍ଥାପନ ଦିଗରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ବିଶେଷ ଅଗ୍ରଗତି କରିପାରିନାହିଁ । କଲ୍ୟାଣୀ, ରାଏ ବରେଲି, ଭାଟିଣ୍ଡା, ଦେଓଘର, ବିବିନଗର ଏବଂ ଗୋରଖପୁରରେ 50ଟି ଲେଖାଏଁ ସିଟ୍ରେ ଏମ୍ବିବିଏସ୍ର ପ୍ରଥମ ବ୍ୟାଚ୍ (2019-20) ଆରମ୍ଭ କରାଯିବ । ନାଗପୁର ଏବଂ ଭାଟିଣ୍ଡାରେ ବହିର୍ବିଭାଗ ରୋଗୀ ସେବା ଆରମ୍ଭ ହୋଇଯାଇଛି । ଜମି, ପାଣି ଓ ବିଦ୍ୟୁତ୍ ଯୋଗାଣରେ ବିବାଦ ଯୋଗୁଁ ଆଗକୁ ନିର୍ମାଣ କାର୍ଯ୍ୟ ଧିମେଇ ଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । 50 ଏକର ଜମିକୁ ନେଇ ଲାଗିଥିବା ବିବାଦ ଯୋଗୁଁ ରାଏ ବରେଲିରେ ଏମ୍ସ୍ ନିର୍ମାଣ କାର୍ଯ୍ୟ ଅଟକି ରହିଛି । ପୁରୁଣା କୋଠାଗୁଡ଼ିକୁ ଏ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇନାହିଁ । ନିୟମିତ ପାଣି ଯୋଗାଣ ହୋଇପାରିନାହିଁ । ଗୋରଖପୁରରେ ଏମ୍ବିବିଏସ୍ କ୍ଲାସ୍ ଆରମ୍ଭ ହୋଇଥିଲେ ହେଁ, ହସପିଟାଲର ମାତ୍ର 50 ପ୍ରତିଶତ ନିର୍ମାଣ କରାଯାଇଛି । ମଙ୍ଗଲଗିରି ଏମସ୍ ପାଇଁ ରାସ୍ତା ନିର୍ମାଣ, ବିଦ୍ୟୁତ୍ ଯୋଗାଣ କେନ୍ଦ୍ର ସ୍ଥାପନ, ପୁରୁଣା କୋଠା ଭଙ୍ଗା ଏବଂ ନର୍ଦ୍ଦମା କାମ ବାକି ରହିଛି । ମାଲିମକଦ୍ଦମା ଯୋଗୁଁ କାଶ୍ମୀରରେ ଏମ୍ସ ପାଇଁ ଦିଆଯାଇଥିବା 15 ଏକର ଜମିରେ ନିର୍ମାଣ ଅଧାରେ ଅଟକି ରହିଛି । ବିହାରରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଅନୁମୋଦନ ପାଇଁ ଚୂଡ଼ାନ୍ତ ସ୍ଥାନ ନିରୂପଣ କରିନାହାନ୍ତି । ରାଜକୋଟ, ଦେଓଘର ଏବଂ ବିବିନଗରରେ ଏଥିପାଇଁ ନିରୂପିତ ହସପିଟାଲଗୁଡ଼ିକ ବିଭିନ୍ନ ସ୍ଥାନୀୟ ସମସ୍ୟାରେ ବୁଡ଼ି ରହିଛନ୍ତି । ହରିଆଣାରେ ଜଙ୍ଗଲ ଜମିରେ ଏମସ୍ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଅଗ୍ରାହ୍ୟ କରିଦେଇଛି ।
2019-20ରେ, 21ଟି ଏମସ୍ ଏବଂ 75ଟି ସରକାରୀ ମେଡିକାଲ କଲେଜ ସମେତ ସୁପର୍ ସ୍ପେସିଆଲଟି ହସ୍ପିଟାଲ ଗୁଡ଼ିକର ସାମର୍ଥ୍ୟ ବୃଦ୍ଧି ଦିଗରେ କେନ୍ଦ୍ର ସରକାର 4,000 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ସହିତ, ଆଗାମୀ 10 ବର୍ଷ ପାଇଁ ସରକାର 3,500 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରୁ ଏପର୍ଯ୍ୟନ୍ତ 1,100 କୋଟି ଟଙ୍କା ଉପଯୋଗ କରାଯାଇଛି । 2009ରୁ 2019 ଭିତରେ 15ଟି ନୂତନ ଏମସ୍କୁ ଅନୁମୋଦନ ଦିଆଯାଇଛି ଏବଂ ସେଥିପାଇଁ 20,756 କୋଟି ଟଙ୍କା ମଞ୍ଜୁର କରାଯାଇଛି । 2020-23 ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ହେଲେ, ନୂତନ ଭାବେ ନିର୍ମିତ ଏମସ୍ଗୁଡ଼ିକ ସବୁ ବାଧାବିଘ୍ନ ଅତିକ୍ରମ କରିବା ସହ ଲୋକପ୍ରିୟତା ହାସଲ କରିବାର ସମ୍ଭାବନା କ୍ଷୀଣ । ସାଧାରଣ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ସକାଶେ ମେଡିକାଲ କଲେଜଗୁଡ଼ିକ ସହିତ ସଂଯୁକ୍ତ ହସପିଟାଲ ରହିବା ଦରକାର । କିନ୍ତୁ ନିର୍ମାଣ କାର୍ଯ୍ୟ ପ୍ରାରମ୍ଭରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା କାରଣରୁ, ସେଗୁଡ଼ିକ ଯେ ଆଶାନୁରୂପ ଭାବେ କାର୍ଯ୍ୟ କରିବେ, ତାହା ଅନୁମାନ କରିବା ଅସମ୍ଭବ ହୋଇଯାଇଛି । ଏମସ୍ ସଂଖ୍ୟା ଯାହା ହେଉନା କାହିଁକି, ଭାରତରେ ଜନସ୍ବାସ୍ଥ୍ୟର ସୁରକ୍ଷିତ ଭବିଷ୍ୟତକୁ ସୁନିଶ୍ଚିତ କରିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ । କେବଳ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ସମନ୍ବିତ ପ୍ରୟାସ ବଳରେ ହିଁ ଏହା ସମ୍ଭବ ହୋଇପାରିବ ।