ସାରା ଦେଶରେ ଲକ୍ଡାଉନ୍ ବା ତାଲାବନ୍ଦ କଟକଣା ଜାରି ହୋଇଥିବା କାରଣରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବା ଲାଗି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ପ୍ରଖ୍ୟାତ କୃଷିବିଜ୍ଞାନୀ ଏବଂ ପ୍ରାଧ୍ୟାପକ ଏମ୍.ଏସ୍.ସ୍ବାମୀନାଥନ୍ । ଗତ ଶୁକ୍ରବାର ଦିନ ସେ ଏକ ବିବୃତି ଜାରି କରି ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି ।
ନିର୍ଦ୍ଧାରିତ କିଣାଦରରେ ବିଭିନ୍ନ ଶସ୍ୟ କିଣିବା ଲାଗି ବଜାର ହସ୍ତକ୍ଷେପ ଯୋଜନା ବା ‘ମାର୍କେଟଇଣ୍ଟରଭେନ୍ସନ ସ୍କିମ୍’ ତୁରନ୍ତ କାର୍ଯ୍ୟକାରୀ କରାଯିବା ଉଚିତ । ଚାଷୀଙ୍କୁ ସାହାଯ୍ୟ କରିବା ସକାଶେ ଶସ୍ୟ ଦରରେ ରହୁଥିବା ପାର୍ଥକ୍ୟକୁ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଭାବରେ ବହନ କରିବା ଆବଶ୍ୟକ ।
ସ୍ଥାନୀୟ ଅଞ୍ଚଳରେ ଶ୍ରମିକଙ୍କ ଗମନାଗମନକୁ ଅନୁମୋଦନ କରାଯିବା ଆବଶ୍ୟକ ।
ଚାଷୀଙ୍କୁ ବିଭିନ୍ନ ଯନ୍ତ୍ର ଓ ଉପକରଣ ଉପଲବ୍ଧ କରାଇବାକୁ ସରକାର ଅଗ୍ରାଧିକାର ଦେବା ଉଚିତ, ଯାହାଫଳରେ ଚାଷୀମାନେ କୃଷିକାର୍ଯ୍ୟ କ୍ଷେତ୍ରରେ ସେମାନଙ୍କ ଆବଶ୍ୟକତା ପୂରଣ କରିପାରିବେ ।
ରବି ଋତୁରେ ଅମଳ ହେବାକୁ ଥିବା ଫସଲ କିଣିବା ଏବଂ ସଂଗୃହୀତ ଫସଲର ଯତ୍ନ ନେବା ଦିଗରେ ଉଭୟକେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଆଶ୍ବାସନା ପ୍ରଦାନ କରିବା ଉଚିତ ।
ଖରିଫ ଋତୁରେ ଚାଷବାସ ଲାଗି ଚାଷୀମାନେ ପ୍ରସ୍ତୁତ ହେବା ଆବଶ୍ୟକ । ଏହି ଆବଶ୍ୟକତା ପୂରଣ ପାଇଁ,ପୂର୍ବରୁ ଋଣ ଥାଉ କି ନଥାଉ, ଚାଷୀଙ୍କୁ ନୂତନ ଋଣ ପ୍ରଦାନ କରାଯିବା ଦରକାର ।
ବେସରକାରୀ ଋଣଦାତା ବା ସାହୁକାର ଏବଂ ବ୍ୟବସାୟୀଙ୍କ କବଳରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରାଯିବା ଉଚିତ । ପରବର୍ତ୍ତୀ ଫସଲ ଅମଳ ନ ହେବା ପର୍ଯ୍ୟନ୍ତ ଚାଷୀଙ୍କ ନିକଟରୁ ସୁଧ ଆଦାୟ ନ କରିବା ଲାଗିଏଭଳି ସାହୁକାର/ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯିବା ଆବଶ୍ୟକ ।